ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ଭାବି ନଥିଲୁ ଆଉ ବଞ୍ଚିବୁ ବୋଲି । କିନ୍ତୁ ପାଣିରେ ବୁଡି ରହି ମା’ କାଳିଜାଇଙ୍କୁ ସ୍ମରଣ କରି ବଞ୍ଚିବା ପାଇଁ ସଂଘର୍ଷ କଲୁ । ଅଧଘଣ୍ଟା କାଳ ସନ୍ଧ୍ୟାର ଅନ୍ଧାରରେ ପାଣିରେ ରହିବା ପରେ ପଛରେ ଆସୁଥିବା ଡଙ୍ଗା ଆମକୁ ଉଦ୍ଧାର କରିଥିଲା । ସତେ ଯେମିତି ଦେବୀଙ୍କ ଦୟାରୁ ମରଣ ମୁହଁରୁ ଫେରି ଆସିଲୁ ।… ଚିଲିକାରେ ରବିବାର ସନ୍ଧ୍ୟାରେ ହୋଇଥିବା ଡଙ୍ଗା ବୁଡ଼ି ଘଟଣାରେ ଅସୁସ୍ଥ ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବାଣପୁର ଅଞ୍ଚଳର ବାସନ୍ତୀ ଭୁଜାବାଲା (୩୧) ଓ ରିନା ଜାଲି (୩୭) ଏକଥା କହିଛନ୍ତି । ସୋମବାର ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ବେଶ୍ ସୁଧାର ଆସିଛି । ବଡ଼ ଡାକ୍ତରଖାନା ଆସିବା ବେଳକୁ ଉଦାସ, ଭୟଭୀତ ଥିବା ଚେହେରା ଦିନକ ପରେ କିଛିଟା ଆଶ୍ୱସ୍ତ ଦେଖାଯାଉଥିଲା ।
ସେମାନେ କହିବା ମୁତାବକ- ବନ୍ଧୁ ଓ ସମ୍ପର୍କୀୟଙ୍କ ସହ କାଳିଜାଇରୁ ବଣଭୋଜି ସାରି ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଯାଇଥିଲା । ୭ ଜଣ ଅସୁସ୍ଥ ହୋଇଥିବା ବେଳେ ବାସନ୍ତୀ, ରିନାଙ୍କ ସମେତ ଆଉ ଜଣେ ବୃଦ୍ଧା ଅଗତି ଦୁଲାଇ (୬୦)ଙ୍କୁ ବାଣପୁର ସ୍ୱାସ୍ଥ୍ୟକେନ୍ଦ୍ରରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ଅଗତିଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା । ସୋମବାର ସମସ୍ତଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଏବଂ ସେମାନେ ବର୍ତ୍ତମାନ ବିପଦମୁକ୍ତ ଥିବା କହିଛନ୍ତି ସେମାନଙ୍କ ଚିକିତ୍ସା କରୁଥିବା ଡାକ୍ତର ପ୍ରଫେସର ଶୁଭେନ୍ଦୁ ଆଚାର୍ଯ୍ୟ । ବ୍ରହ୍ମପୁର ଉପଜିଲ୍ଲାପାଳ ସିନେ୍ଦ ଦତ୍ତାତ୍ରୟ ଭାଉସାହେବ ମଧ୍ୟ ଚିକିତ୍ସାଧୀନ ୩ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ସମେତ ସେମାନଙ୍କ ଚିକିତ୍ସା ଉପରେ ନଜର ରଖିଥିଲେ ।
ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ବାସନ୍ତୀ ଓ ରିନା ଘଟଣା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ବାସନ୍ତୀଙ୍କ କହିବା ପ୍ରକାରେ ରବିବାର ଅପରାହ୍ଣ ପ୍ରାୟ ୪ଟା ୫୦ରେ ଡଙ୍ଗା ବାହାରିଥିଲା । କିଛି ଦୂର ଆସିବା ପରେ ପବନ ଓ ଜୁଆର ଆସି ଡଙ୍ଗାରେ ପିଟି ହୋଇଥିଲା ଏବଂ ପାଣି ଭର୍ତ୍ତି ହୋଇଯାଇଥିଲା । ଅକାତକାତ ପାଣିରେ କିଛି ବୁଦ୍ଧିବାଟ ଦିଶୁନଥିଲା । ମୋର ଦୁଇ ପିଲାଙ୍କୁ ଉପରକୁ ଉଠାଇ ଧରିବାକୁ ଚେଷ୍ଟା କରିଥିଲି । ପ୍ରାୟ ୩୦ ମିନିଟ୍ କାଳ ପାଣିରେ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲି । ନାଉରିଆ କାତ ପୋତିଦେଇଥିଲେ ଏବଂ ଆମେ କାତକୁ ଧରି କିଛି ସମୟ ରହିବା ପରେ ପଛରୁ ଗୋଟିଏ ଡଙ୍ଗା ଆସିଥିଲା । ସେହିପରି ରିନା ଜାଲି କହିଛନ୍ତି, ମୋ ସ୍ୱାମୀ ଅଶୋକ ଜାଲି ଡଙ୍ଗା ଚଳାଉଥିଲେ । ତାଙ୍କ ପାଇଁ ମୁଁ ବଞ୍ଚିପାରିଛି । ଏମିତି ପରିସ୍ଥିତି ଜୀବନରେ କେବେବି ଆସିନଥିଲା । ସେହି କଥା ମନେ ପଡ଼ିଲେ ଭୟ ଲାଗୁଛି ।


Comments are closed, but trackbacks and pingbacks are open.