ଚିଲିକା, ଅଂଶୁପା ପାଇଁ ମେଗା ଯୋଜନା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଆର୍ଦ୍ରଭୂମି ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡ଼ିଛନ୍ତି ସରକାର । ଚିଲିକା ଓ ଅଂଶୁପା ହ୍ରଦର ସମନ୍ୱିତ ସୁପରିଚାଳନା ପାଇଁ ପ୍ରସ୍ତୁତ ହୋଇଛି ପାଞ୍ଚ ବର୍ଷିଆ ଯୋଜନା । ଭିତରକନିକା ବି ରହିଛି ଫୋକସ୍ରେ । ଏଥିପାଇଁ ଟଙ୍କା ବି ବରାଦ ହୋଇଛି । ଏହି ସବୁ ଆର୍ଦ୍ରଭୂମି ପାଶ୍ୱର୍ବର୍ତ୍ତୀ ଗାଁ ଲୋକ ଓ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ମିଳିବ ଜୀବିକା ।
ଶନିବାର ଲୋକସଭା ଭବନରେ ରାଜ୍ୟ ଆର୍ଦ୍ରଭୂମି ପ୍ରାଧିକରଣର ପ୍ରଥମ ବୈଠକ ବସିଥିଲା । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏଥିରେ ଅଧ୍ୟକ୍ଷତା କରିଥିଲେ । ବୈଠକରେ ଚିଲିକା ହ୍ରଦର ସମନ୍ୱିତ ପରିଚାଳନା ପାଇଁ ୧୫୮ କୋଟି ଟଙ୍କାର ବ୍ୟୟ ଅଟକଳକୁ ଅନୁମୋଦନ ମିଳିଥିଲା । ଏହା କାର୍ଯ୍ୟକାରୀ ହେଲେ ଚିଲିକା ପାଶ୍ୱର୍ରେ ଥିବା ୧୫୧ଟି ଗାଁର ପ୍ରାୟ ୨ ଲକ୍ଷ ମତ୍ସ୍ୟଜୀବୀଙ୍କୁ ମିଳିବ ଜୀବିକା । ମତ୍ସ୍ୟଜୀବୀମାନଙ୍କୁ ଜୀବିକା ମିଳିଲେ ଚିଲିକା ହ୍ରଦ ଉପରେ ପଡ଼ୁଥିବା ଅତ୍ୟଧିକ ଚାପ କମିବ । ଏହାର ପରିବେଶ ସନ୍ତୁଳିତ ହୋଇପାରିବ ।
ସେହିପରି ଅଂଶୁପା ହ୍ରଦର ସାମଗ୍ରିକ ବିକାଶ ପାଇଁ ୨୧ କୋଟି ୨୩ ଲକ୍ଷ ଟଙ୍କାର ଏକ ପଞ୍ଚବାର୍ଷିକ ସମନ୍ୱିତ ପରିଚାଳନା ଯୋଜନା ବୈଠକରେ ମଞ୍ଜୁର ହୋଇଛି । ଏହାଦ୍ୱାରା ୨ଟି ଗ୍ରାମର ୨୫୦ଜଣ ମତ୍ସ୍ୟଜୀବୀ ଉପକୃତ ହେବେ ।
ଭିତରକନିକାର ପରିବେଶ ସୁରକ୍ଷାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି । ୬୭୨ ବର୍ଗ କିଲୋମିଟର ପରିମିତ ଅଞ୍ଚଳରେ ୪୧୦ଟି ଗାଁର ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବିକା ସୁରକ୍ଷିତ କରିବା ପାଇଁ ବୈଠକରେ ଯୋଜନା ହୋଇଛି ।
ବୈଠକରେ ମନ୍ତ୍ରୀ ଶ୍ରୀ ଆରୁଖ କହିଲେ, ଆର୍ଦ୍ରଭୂମି ହେଉଛି ଜୈବ ବିବିଧତାରେ ପରିପୂର୍ଣ୍ଣ ପ୍ରାକୃତିକ ସମ୍ପଦ । ଏହା ବହୁ ପ୍ରଜାତିର ଉଦ୍ଭିଦ, ପକ୍ଷୀ, ଉଭୟଚର, ମତ୍ସ୍ୟ ସମ୍ପଦର ବାସସ୍ଥଳୀ । ପରିବେଶର ଭାରସାମ୍ୟ ରକ୍ଷା ସହ ଆର୍ଦ୍ରଭୂମି ଲକ୍ଷଲକ୍ଷ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଉପକୃତ କରୁଛି । ବନ୍ୟା ଓ ବାତ୍ୟା ନିୟନ୍ତ୍ରଣ, ବିଶୁଦ୍ଧ ଜଳଧାରଣ ସହ ପରିବେଶ ପର୍ଯ୍ୟଟନର ମାଧ୍ୟମ ହେଉଛି ଏହି ଆର୍ଦ୍ରଭୂମି । ମାନବ ଜାତି ଓ ପ୍ରାଣୀ ଜଗତ ପାଇଁ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ମାତ୍ର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ତଥା କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ହେତୁ ଏହି ଅଦ୍ୱିତୀୟ ପରିସଂସ୍ଥାଗୁଡ଼ିକର ସ୍ଥିତି ବର୍ତ୍ତମାନ ସଙ୍କଟମୟ ହୋଇପଡ଼ିଛି । ଆର୍ଦ୍ରଭୂମିଗୁଡ଼ିକୁ ଚିହ୍ନଟ କରି ଏହାର ପୁନରୁଦ୍ଧାର, ସଂରକ୍ଷଣ, ପରିଚାଳନା, ଜୈବ ବିବିଧତାର ସୁରକ୍ଷା, ସମନ୍ୱିତ ବିକାଶ, ପର୍ଯ୍ୟଟନ ଉପଯୋଗୀ କରିବା ତଥା ଆର୍ଦ୍ରଭୂମି ଉପରେ ନିର୍ଭରଶୀଳ ଲକ୍ଷଲକ୍ଷ ଲୋକଙ୍କ ଜୀବିକାକୁ ସୁନିଶ୍ଚିତ କରିବା ପାଇଁ ଦୀର୍ଘମିଆଦି କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।
ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଜଙ୍ଗଲ ଓ ପରିବେଶ ବିଭାଗ) ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ଆର୍ଦ୍ରଭୂମି ପ୍ରାଧିକରଣ ଗଠନର ଆଭିମୁଖ ଓ ଉଦ୍ଦେଶ୍ୟ ସହ ଏନଜିଟି ଦେଇଥିବା ନିର୍ଦ୍ଦେଶ ଉପରେ ଆଲୋକପାତ କରିଥିଲେ ।
ବୈଠକରେ ସୂଚନା ଦିଆଯାଇଥିଲା, ଗତ ଦୁଇ ବର୍ଷରେ ଚିଲିକା ହ୍ରଦରୁ ୧୭୨ ବର୍ଗ କିଲୋମିଟର ଜବରଦଖଲମୁକ୍ତ କରାଯାଇଛି । ଫଳରେ ଚିଲିକାର ମତ୍ସ୍ୟ ଉତ୍ପାଦନ ୨୦ ପ୍ରତିଶତ ବଢ଼ିଛି । ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଆର୍ଥିକ ଅନୁଦାନରେ ଅଂଶୁପା, କାଞ୍ଜିଆ, କୁଆଁରିଆ ଓ ସର୍ବୋପରି ଭିତରକନିକା ଆର୍ଦ୍ରଭୂମିର ସୁରକ୍ଷା ତଥା ସଂରକ୍ଷଣ ଏବଂ ପରିଚାଳନା ପାଇଁ ବିଭିନ୍ନ ଉନ୍ନତିମୂୂଳକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ରାଜ୍ୟର ସର୍ବବୃହତ ମଧୁର ଜଳ ହ୍ରଦ ଅଂଶୁପାକୁ ଗତ ଦୁଇ ବର୍ଷ ଭିତରେ ପୁନରୁଦ୍ଧାର କରାଯାଇ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ କରାଯାଇଛି ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଆର୍ଦ୍ରଭୂମି ନିୟମ-୨୦୧୭ ବିଜ୍ଞପ୍ତି ଅନୁଯାୟୀ ୨୦୧୭ ସେପ୍ଟେମ୍ବର ୨୬ରେ ରାଜ ଆର୍ଦ୍ରଭୂମି ପ୍ରାଧିକରଣ ପୁନର୍ଗଠନ କରାଯାଇଛି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ୧୦୦ଟି ଆର୍ଦ୍ରଭୂମିକୁ ଚିହ୍ନଟ କରି ଏଗୁଡ଼ିକର ପୁନରୁଦ୍ଧାର ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିରେ ଓଡ଼ିଶାର ଚିଲିକା, ଅଂଶୁପା ଓ ଭିତରକନିକା ସ୍ଥାନିତ ହୋଇଛି ।
ବୈଠକରେ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା, ଓରସାକ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ପରିବେଶ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ଡ.କେ.ମୁରୁଗେସାନ୍, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons