କଟକ,(ବି.ବି.ନ୍ୟୁଜ୍): ଶେଷରେ ଜାମିନ ପାଇ ଚୌଦ୍ୱାର ସେଣ୍ଟ୍ରାଲ ଜେଲରୁ ମୁକୁଳିଛନ୍ତି ଆତ୍ମ ଘୋଷିତ ଭଗବାନ ସନ୍ତୋଷ ରାଉଳ ଓରଫ ସାରଥି। ୨ ଜଣ ଜାମିନଦାର ଓ ୨ ଲକ୍ଷ ଟଙ୍କା ବେଲ ବଣ୍ଡ ବଦଳରେ ସାରଥିଙ୍କୁ ଜୁଲାଇ ୨୨ ତାରିଖ ଦିନ କୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ପ୍ରାୟ ୪ ବର୍ଷ ପୂର୍ବେ ସାରଥୀଙ୍କୁ ମହିଳାଙ୍କୁ ଅସଦାଚରଣ ସମେତ ୩ଟି ମାମଲାରେ ଗିରଫ କରାଯାଇଥିବା ବେଳେ ସେ ଏପର୍ୟନ୍ତ ଜେଲରେ ବନ୍ଦୀ ଥିଲେ।
ଜେଲରୁ ମୁକୁଳିବା ଲାଗି ଗୁରୁବାର ତାଙ୍କର ଜାମିନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦଶାନୁସାରେ ନିମ୍ନ ଅଦାଲତ ଅର୍ଥାତ କେନ୍ଦ୍ରାପଡା ଏସଡିଜେଏମଙ୍କ କୋର୍ଟରେ ସାରଥିଙ୍କ ବେଲ ବଣ୍ଡ ଦାଖଲ କରାଯାଇଥିଲା। କୋର୍ଟରେ ୨ ଜଣ ପରିଚିତ ମିଶ୍ର ଓ ପ୍ରଶାନ୍ତ କୁମାର ଦାସ ଜାମିନଦାର ପଡିଥିବା ବେଳେ ୨ଲକ୍ଷ ଟଙ୍କା ମୂଲ୍ୟର ଭୂସମ୍ପତ୍ତି କାଗଜପତ୍ର ଦାଖଲ ହୋଇଥିଲା। ତେବେ ଏସଡିଜେଏମଙ୍କ କୋର୍ଟ ଜାମିନ ମଞ୍ଜୁର କରିବା ପୂର୍ବରୁ ସାରଥିଙ୍କ ଲାଗି ପାଇଁ ପୁଣି ସର୍ତ୍ତ ନିର୍ଦ୍ଧାରଣ କରିଥିଲେ।
ଏଥିରେ କୋର୍ଟ ମାମଲା ନସରିବା ପର୍ୟ୍ୟନ୍ତ ସାରଥିଙ୍କୁ ବିନାନୁମତିରେ ରାଜ୍ୟ ବାହାରକୁ ଯାଇ ପାରିବେ ନାହିଁ ବୋଲି ସର୍ତ୍ତ ରଖିଛନ୍ତି। ଏସଡିଜେଏମଙ୍କ କୋର୍ଟରେ ଜାମିନ ପ୍ରକ୍ରିୟା ସରିବା ପରେ ତାଙ୍କୁ ବିଳମ୍ବିତ ସନ୍ଧ୍ୟାରେ ଚୌଦ୍ୱାର ଜେଲରୁ ମୁକ୍ତ କରାଯାଇଥିଲା। ସାରଥିଙ୍କ ଜାମିନ ଖବର ପ୍ରଚାରିତ ହେବା ପରେ ଜେଲ ଫାଟକ ସମ୍ମୁଖରେ ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ ଜମିଥିଲା। ତେବେ କୋର୍ଟଙ୍କ ଜାମିନ ସର୍ତ୍ତରେ ଗଣମାଧ୍ୟମ କଟକଣା ଥିବାରୁ ସେ ଗଣମାଧ୍ୟମକୁ ଯଥାସମ୍ଭବ ଟାଳିବାକୁ ଉଦ୍ୟମ କରିଥିଲେ। ତେବେ ଜେଲରୁ ବାହାରକୁ ଆସି ସାରଥୀ ପ୍ରଥମେ ଜେଲ ଫାଟକକୁ ନମସ୍କାର କରିଥିବା ଦେଖାଯାଇଥିଲା।
Comments are closed, but trackbacks and pingbacks are open.