ବାଲିଆପାଳ,(ବି.ବି.ନୁ୍ୟଜ୍): ଏବେ ସୋସିଆଲ ମିଡିଆରେ ଅନେକ ୟୁଟୁ୍ୟବ ଚ୍ୟାନେଲ ଦେଖିବାକୁ ମିଳୁଛି । ତେବେ ଏହା ବୈଧ କି ଅବୈଧ ତାହା ଜାଣିବାର ସୁଯୋଗ ନାହିଁ । ଅନେକ ଯୁବକ ଏହି ସବୁ ୟୁଟୁ୍ୟବ ଚ୍ୟାନେଲର ବୁମ୍ ଧରି ନିଜକୁ ସାମ୍ବାଦିକ ପରିଚୟ ଦେଇ ଅନେକ ବେଆଇନ କାର୍ଯ୍ୟରେ ସଂପୃକ୍ତ ରହୁଥିବା ଖବର ମିଳୁଛି । ଏପରିକି ସରକାରୀ କର୍ମଚାରୀ, ସାଧାରଣ ଲୋକଙ୍କୁ ଧମକ ଦେଇ ମୋଟା ଅଙ୍କର ଚାନ୍ଦା ଆଦାୟ କରୁଥିବା ଶୁଣିବାକୁ ମିଳୁଛି । ଶୁକ୍ରବାର ଦେଖିବାକୁ ମିଳିଛି ଏପରି ଏକ ଘଟଣା । ନିଜକୁ ଏମ୍-ଏଚ୍ ନୁ୍ୟଜ୍ ଓଡ଼ିଶା ୟୁଟୁ୍ୟବ ଚ୍ୟାନେଲ୍ର ସାମ୍ବାଦିକ ପରିଚୟ ଦେଇ ଜନୈକ ବ୍ୟକ୍ତିଙ୍କ ଘରେ ବେଆଇନ ଭାବେ ରାତିରେ ପ୍ରବେଶ କରିଥିଲେ୬ ଜଣ ଯୁବକ । ସେମାନଙ୍କୁ ପୁଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୮ଟାରେ ସାମ୍ବାଦିକ ପରିଚୟ ଦେଇ ୬ ଜଣ ଯୁବକ ଏକ କାର୍ରେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ କଙ୍କଡ଼ାପାଳ ଗ୍ରାମର ନୃସିଂହ ଚରଣ ଦାସଙ୍କ ଘରକୁ ଆସିଥିଲେ । ସେଠାରେ ମଦ ବିକ୍ରି ହେଉଥିବା କହି ଘରର ଆସବାବପତ୍ର ଛାନ୍ଭିନ୍ କରିଥିଲେ । ଘରେ ନୃସିଂହ କିମ୍ବା ତାଙ୍କ ପତ୍ନୀ କେହି ନଥିଲେ, କେବଳ ତାଙ୍କ ପୁଅ ଝିଅ ଘରେ ଥିଲେ । ଏତେ ଲୋକଙ୍କୁ ଦେଖି ସେମାନେ ଭୟରେ ପାଟି କରିଥିଲେ । ଚିକ୍ରାର ଶୁଣି ପଡେ଼ାଶୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଯୁବକମାନଙ୍କ ପରିଚୟ ମାଗିବାରୁ ସେମାନେ ଏମ୍ଏଚ୍ ନୁ୍ୟଜ୍ ଓଡ଼ିଶା ଚ୍ୟାନେଲର ସାମ୍ବାଦିକ ବୋଲି କହିଥିଲେ । ଲୋକଙ୍କର ସନେ୍ଦହ ହେବାରୁ ସେମାନେ ଯୁବକମାନଙ୍କୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ । ବାଲିଆପାଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ସହିତ ଗାଡ଼ି ସହ ଯୁବକମାନଙ୍କୁ ଥାନାକୁ ଆଣିଥିଲେ । ଏହି ଯୁବକମାନଙ୍କ ମଧ୍ୟରେ ରିପୋର୍ଟର କହୁଥିବା ତପନ ମାଝୀଙ୍କର ଘର ନିକଟସ୍ଥ ନାରାୟଣପୁର ଗ୍ରାମରେ ହୋଇଥିବା ବେଳେ ତାଙ୍କର କ୍ୟାମେରାମ୍ୟାନ ଭାବେ ଯାଇଥିବା ମିଥୁନ ମୁର୍ମୁଙ୍କ ଘର ଚୌମୁଖରେ । ଅନ୍ୟ ସହଯୋଗୀମାନେ ହେଲେ ଅପର୍ତ୍ତୀ ମାଝୀ (ନାରାୟଣପୁର), ଜଗନ୍ନାଥ ବେହେରା (ଡଗରା), ତପନ କୁମାର ମାଝୀ (ନାରାୟଣପୁର) ଓ ଅନୁଜ ପାତ୍ର (ଚୌମୁଖ) ବୋଲି ଜଣାପଡ଼ିଛି । ସମସ୍ତ ଯୁବକନଙ୍କ ବୟସ ୧୮ରୁ ୨୦ ବର୍ଷ ମଧ୍ୟରେ । ଗତ ପାଞ୍ଚ ଦିନ ଧରି ସାରପୁଞ୍ଜା ଗ୍ରାମର କାର୍ତ୍ତିକ ଚନ୍ଦ୍ର ଗିରିଙ୍କ ଗାଡ଼ିକୁ ଏମାନେ ଭଡ଼ା ସୂତ୍ରରେ ନେଇଥିଲେ । ଏହି ଯୁବକମାନେ ସାମ୍ବାଦିକ ପରିଚୟ ଦେଇ ବିଭିନ୍ନ ସ୍ଥାନରୁ ଚାନ୍ଦା ଆଦାୟ କରୁଥିବା ଅଭିଯୋଗ ହୋଇଛି । ଘର ମାଲିକ ନୃସିଂହ ଦାସଙ୍କ ଅଭିଯୋଗ କ୍ରମେ ବାଲିଆପାଳ ପୁଲିସ ନଂ୧୩୩/୨୦ରେ ମାମଲା ରୁଜୁ କରିଛି । ପୁଲିସ ଶନିବାର ସମସ୍ତଙ୍କ ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରିଛି । ଏ ବାବଦରେ ଅଭିଯୁକ୍ତ ତପନ ମାଝୀଙ୍କୁ ପଚାରିବାରୁ ନୃସିଂହଙ୍କ ଘରେ ବେଆଇନ ନିଶା କାରବାର ହେଉଥିବା ଖବର ପାଇ ସେମାନେ ତାଙ୍କର ଚ୍ୟାନେଲ ପାଇଁ ଖବର ସଂଗ୍ରହ ପାଇଁ ଯାଇଥିଲେ । ସେମାନଙ୍କୁ ଜାଣିଶୁଣି ଫସାଇ ଦିଆଯାଇଥିବା ଶ୍ରୀ ମାଝୀ କହିଥିଲେ । ବାଲିଆପାଳ ବ୍ଲକରେ ବର୍ତ୍ତମାନ ଏହିଭଳି ଅନେକ ୟୁଟୁ୍ୟବ ଚ୍ୟାନେଲର ସାମ୍ବାଦିକ ଘୂରି ବୁଲୁଥିବା ବେଳେ ସେମାନଙ୍କ ମଧ୍ୟରେ କେଉଁମାନେ ବୈଧ ସେମାନଙ୍କୁ ଚିହ୍ନଟ କରାଯିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଦାବି ହୋଇଛି ।
Comments are closed, but trackbacks and pingbacks are open.