ବ୍ରହ୍ମପୁର,(ବି.ବି.ନୁ୍ୟଜ): ବ୍ରହ୍ମପୁର ବଡ଼ ବଜାର ବିଦୋନ ଜୁଏଲର୍ସ ଓ କେଶବ ଜୁଏଲର୍ସ ଚୋରି ଘଟଣାରେ ଛତିଶଗଡ଼ରୁ ଗିରଫ ଦୁଇଜଣ ଅଭିଯୁକ୍ତ ଲୋକେଶ ଶ୍ରୀଭାସ ଓ ଲୋକେଶ ରାଓଙ୍କୁ ଟ୍ରାନ୍ଜିଟ୍ ରିମାଣ୍ଡ୍ରେ ଆଣିଛି ପୁଲିସ । ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି । ସେମାନଙ୍କ ଠାରୁ ୧୨ଲକ୍ଷ ଟଙ୍କା, ୧୬୮ଗ୍ରାମ୍ ସୁନା, ନୂଆ ମାରୁୁତି ଏର୍ଟିଗା କାର୍, ଗ୍ରୀଲ୍ କଟର ମେସିନ୍ ଜବତ ହୋଇଥିବା ଆଜି ବ୍ରହ୍ମପୁର ଏସ୍ପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର । ଚୋରି ମାମଲାରେ ଆହୁରି ଅନେକ ସାମ୍ରଗୀ ମିଳିନଥିବାରୁ ଛତିଶଗଡ଼ ଓ ଆଲାହବାଦ୍ରେ ଦୁଇଟି ଟିମ୍ ଥିବା ଏସ୍ପି କହିଛନ୍ତି ।
ଏସ୍ପିଙ୍କ ସୂଚନା ପ୍ରକାରେ ଛତିଶଗଡ଼ କୃଶୀପାର ଥାନା ମଧ୍ୟଲଗନ୍ ଅଞ୍ଚଳର ଲୋକେଶ ରାଓ (୨୪) ଓ ଛତିଶଗଡ଼ ପଣ୍ଡିତରାଇ ଥାନା ନୟାପଡ଼ା ଅଞ୍ଚଳର ଲୋକେଶ ଶ୍ରୀଭାସ(୨୯) ୨୦୨୦ ମାର୍ଚ୍ଚ ମାସରେ ଏକ ଚୋରି ମାମଲାରେ ଛତିଶଗଡ଼ ଦୁର୍ଗ ଜେଲ୍ରେ ଥିଲେ । ପୂର୍ବରୁ ଲୋକେଶ ରାଓ ତାଙ୍କ ସମ୍ପର୍କୀୟଙ୍କ ଘରକୁ ବ୍ରହ୍ମପୁର ଆସୁଥିଲା । ବ୍ରହ୍ମପୁର ବଡ଼ବଜାର ବୁଲିବାକୁ ଯାଇ ସୁନା ଦୋକାନ ଉପରେ ନଜର ପକାଇଥଲା ଏବଂ ଏଠୁ ଚୋରି କରିବା ପାଇଁ ଟାର୍ଗେଟ୍ କରିଥିଲା । ଦୁର୍ଗ ଜେଲ୍ରେ ହିଁ ଉଭୟ ଲୋକେଶ ବ୍ରହ୍ମପୁରରେ ଚୋରି କରିବା ପାଇଁ ଯୋଜନା କରିଥିଲେ । ଯୋଜନା ମୁତାବକ ଉଭୟେ ବ୍ରହ୍ମପୁରରେ ଅକ୍ଟୋବର ୨୮ ତାରିଖରେ ପହଞ୍ଚିିଥିଲେ । ଅକ୍ଟୋବର ୩୦ ତାରିଖ ରାତିରେ ନିଶୁଣିରେ ଛାତ ଚଢ଼ି ବିନୋଦ ଜୁଏଲର୍ସରୁ ପ୍ରାୟ ଦେଢ଼ କିଲୋ ଓଜନର ସୁନା ଅଳଙ୍କାର ଚୋରି କରି ଚମ୍ପଟ ମାରିଥିଲେ ।
ପୁଣି ଡିସେମ୍ବର ୧୭ ତାରିଖରେ ଲୋକେଶ ଶ୍ରୀଭାସ ବ୍ରହ୍ମପୁର ଆସି କେଶବ ଜୁଏଲର୍ସରୁ ୪୨୪ ଗ୍ରାମ୍ ସୁନା ଅଳଙ୍କାର ଓ ୧.୪୦ଲକ୍ଷ ଟଙ୍କା ଚୋରି କରି ଫେରାର ହୋଇଯାଇଥିଲା । ତଦନ୍ତ ସମୟରେ ଦୁଇ ଚୋର ଛତିଶଗଡ଼ରୁ ଆସିଥିବା ଜାଣିପାରିଥିଲା ପୁଲିସ । ଅଭିଯୁକ୍ତ ମାନେ ଏକ ହୋଟେଲ୍ର ଡର୍ମିଟରୀରେ ରହୁଥିଲେ । ଅଭିଯୁକ୍ତଙ୍କ ଠିକଣା ହୋଟେଲ୍ରୁ ପାଇବା ପରେ ବଡ଼ ବଜାର ଥାନା ଆଇଆଇସି ପ୍ରଶାନ୍ତ ଭୂପତିଙ୍କ ନେତୃତ୍ୱରେ ଦୁଇଟି ଟିମ୍ ଛତିଶଗଡ଼ ଓ ଆଲାହବାଦ୍ ଅଭିମୁଖେ ବାହାରିଥିଲା । ସ୍ଥାନୀୟ ପୁଲିସ ସହାୟତାରେ ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ ସଫଳ ହୋଇଥିଲା । ଉଭୟଙ୍କୁ ଜେରା କରିବା ପରେ ସବୁ ସତ ଓଗାଳି ଦେଇଥିଲେ । କିନ୍ତୁ ଚୋରି ହୋଇଥିବା ସବୁ ସୁନା ମିଳିନଥିଲା । ଯାହାଫଳରେ ତଦନ୍ତ କରୁଥିବା ଟିମ୍ ଦୁଇଟି ସେଠାରେ ରହିଛନ୍ତି ବୋଲି ଏସ୍ପି କହିଛନ୍ତି ।
ଛତିଶଗଡ଼ କବୀରଧାନ ଜିଲ୍ଲା କୱର୍ଦ୍ଧା ସିଜେଏମ୍ କୋର୍ଟରେ ଡିସେମ୍ବର ୨୪ତାରିଖରେ ଅଭିଯୁକ୍ତଙ୍କୁ ପୁଲିସ ହାଜର କରିଥିଲା । ସେଠାର ଟ୍ରାନ୍ଜିଟ୍ ରିମାଣ୍ଡରେ ଆଣି ଆଜି ଅପରାହ୍ନରେ ବ୍ରହ୍ମପୁର ବଡ଼ ବଜାର ଥାନା କେସ୍ ନମ୍ବର ୨୨୪/୨୦୨୦ଅନୁଯାୟୀ ବ୍ରହ୍ମପୁର ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯାଇଛି । ଉଭୟଙ୍କ ଜାମିନ୍ ନାମଞ୍ଜୁର କରିବା ପରେ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ଉଭୟଙ୍କୁ ପୁଣି ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି ଏସ୍ପି ସୂଚନା ଦେଇଛନ୍ତି । ବ୍ରହ୍ମପୁର ଏଏସ୍ପି ପ୍ରଭାତ କୁମାର ରାଉତରାୟ, ଟାଉନ୍ ଏସ୍ଡିପିଓ ବିଷ୍ଣୁ ପ୍ରସାଦ ପତି, ଟାଉନ୍ଥାନା ଆଇଆଇସି ସୁରେଶ କୁମାର ତ୍ରିପାଠୀ, ବଡ଼ ବଜାର ଥାନା ଆଇଆଇସି ପ୍ରଶାନ୍ତ ଭୂପତି, ଗୋସାଇଁନୂଆଗାଁ ଥାନା ଆଇଆଇସି ସୁମିିତ୍ ସୋରେନ୍ ଓ ବିଭିନ୍ନ ଥାନାରେ ନିଯୁକ୍ତ ଯୁବ ଏସ୍ଆଇମାନଙ୍କୁ ନେଇ ଗଠିତ ଟିମ୍ ଚୋରଙ୍କୁ ଧରିବାକୁ ଦିନରାତି ଏକ କରିଦେଇଥିଲେ । ଟିମ୍ର ଅନୁସନ୍ଧାନ ଏବଂ ସିସି କ୍ୟାମେରା ଫୁଟେଜ୍କୁ ଆଧାର କରି ପୁଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିପାରିଥିଲା ବୋଲି ଏସ୍ପି ମିଶ୍ର କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଏଏସ୍ପି ପ୍ରଭାତ କୁମାର ରାଉତରାୟ, ଏସ୍ଡିପିଓ ବିଷ୍ଣୁ ପ୍ରସାଦ ପତି ଓ ଟାଉନ୍ ଥାନା ଆଇଆଇସି ସୁରେଶ କୁମାର ତ୍ରିପାଠୀ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.