ଭୁବନେଶ୍ୱର,(ବି.ବି.ବ୍ୟୁରୋ): ହଷ୍ଟେଲ ଛାତ୍ରଙ୍କୁ ପିଟିବା ଘଟଣାରେ ଆଜି ୱାର୍ଡେନଙ୍କୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି । ତାଙ୍କ ନାଁ ବିଶ୍ୱରଞ୍ଜନ ରାଣା (୨୭) । ଘର କେନ୍ଦୁଝର ଜିଲ୍ଲାରେ । ପୁଲିସ୍ ତାଙ୍କ ବିରୋଧରେ ଆଇପିସି ୩୪୧, ୩୨୩, ୫୦୬ ଦଫା ଓ ୭୫ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ ଲଗାଇଛି । କୋର୍ଟରେ ଜାମିନ୍ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।
ପୁଲିସ ସୂଚନା ମୁତାବକ, ବିଶ୍ୱରଞ୍ଜନ ଡୁମୁଡୁମା ଅଞ୍ଚଳରେ ଥିବା ଗାନ୍ଧି ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲର ହଷ୍ଟେଲ ୱାର୍ଡେନ୍ ଥିଲେ । ଉକ୍ତ ହଷ୍ଟେଲରେ ରହୁଥିବା ୩ଜଣ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ସେ ନିସ୍ତୁକ ପିଟିଥିଲେ । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ପ୍ରଘଟ ହୋଇଥିଲା । ଘର ପରିବାର ଠାରୁ ଦୂରରେ ରହି ଆବାସିକ କଲେଜରେ ପଢ଼ୁଥିବା ଛାତ୍ରଙ୍କ ଉପରେ ଏଭଳି ଅମାନୁଷିକ ମାଡ଼କୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । କଲେଜ କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବିଶ୍ୱରଞ୍ଜନଙ୍କୁ ଶିକ୍ଷାନୁଷ୍ଠାନରୁ ବିଦା କରିଥିଲା । ପରେ କଲେଜ ପ୍ରିନ୍ସପାଲ ସୁଧାଶୁଂ ଶେଖର ମହାରଣା ନିଜେ ଖଣ୍ଡଗିରି ଥାନାରେ ୱାର୍ଡେନଙ୍କ ବିରୋଧରେ ଅଭିଯୋଗ କରିଥିଲେ । ପୁଲିସ ଏଭଳି ସମ୍ବେଦନଶୀଳ ଘଟଣାକୁ ଗୁରୁତର ସହ ନେଇ ୱାର୍ଡେନଙ୍କୁ ଗିରଫ କରିଛି ।
ସେପଟେ ବିଶ୍ୱରଞ୍ଜନ ଗିରଫ ହେବା ଭୟରେ ଖସିବାକୁ ଯୋଜନା କରୁଥିଲେ ବୋଲି ପୁଲିସ କହିଛି । ତାଙ୍କଠାରୁ କୋଲକାତା ଅଭିମୁଖେ ଯିବାକୁ ଏକ ଟ୍ରେନ୍ ଟିକେଟ୍ ପୁଲିସ ପାଇଛି । ତେବେ ପୁଲିସ ଆଜି ଭୋର ବେଳେ ଡୁମୁଡୁମାସ୍ଥିତ ଘରେ ଚଢ଼ଉ କରି ବିଶ୍ୱରଞ୍ଜନଙ୍କୁ ଉଠାଇ ଆଣିଛି ।
Comments are closed, but trackbacks and pingbacks are open.