ରାୟଗଡ଼ା,(ବି.ବି.ନ୍ୟୁଜ୍): ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ୧୧ ବର୍ଷର ଛାତ୍ରୀ ଜୟନ୍ତୀ ତାଡ଼ିଙ୍ଗି ମୃତ୍ୟୁ ଘଟଣାର ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି । ମୃତ୍ୟୁ ଘଟଣାକୁ ବାହାରେ ପ୍ରଘଟ ନକରିବା ଲାଗି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଛାତ୍ରୀଙ୍କ ପରିବାରକୁ ୫୦୦ ଟଙ୍କା ପ୍ରଦାନ କରିଥିବା ଘଟଣାକୁ ଗମ୍ଭୀରତାର ସହ ବିଚାରକୁ ନେଇଛି ପ୍ରଶାସନ । ତଦନ୍ତ ବେଳେ ବିଦ୍ୟାଳୟର ଅନ୍ୟ ୨୯ ଜଣ ଛାତ୍ରୀ ମ୍ୟାଲେରିଆରେ ପୀଡ଼ିତ ଥିବା ଜଣାପଡିଛି ।
‘ଜୀବନର ମୂଲ୍ୟ ୫ଶହ ଟଙ୍କା!’ ଶୀର୍ଷକ ଖବର ଆଜି ପ୍ରମେୟରେ ପ୍ରକାଶ ପାଇଥିଲା । ଏହାକୁ ନେଇ ପ୍ରଶାସନିକସ୍ତରରେ ସୃଷ୍ଟି ହୋଇଥିଲା ହଇଚଇ । ଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ବିଦ୍ୟାଳୟ ଏବଂ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ଛାତ୍ରୀନିବାସରେ ଘଟଣାର ତଦନ୍ତ ପାଇଁ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ନିର୍ଦ୍ଦେଶ ପାଇବା ପରେ ଗୋଷ୍ଠୀ ଶିକ୍ଷାଧିକାରୀ ରଜନୀକାନ୍ତ ସାମନ୍ତରାୟଙ୍କ ନେତୃତ୍ୱରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଗୁଣଗ୍ରାହୀ ଶବର, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପଞ୍ଚାନନ ଖଣ୍ଡୁଆଳ, ବିଆର୍ସିସି ବଳରାମ ହୁଇକା ଏବଂ ସିଆର୍ସିସି ନୃସିଂହ ଚରଣ ବେହେରା ଘଟଣାର ତଦନ୍ତ ପାଇଁ ବଡ଼ଇରୁକୁବାଡ଼ି ଉଚ୍ଚବିଦ୍ୟାଳୟକୁ ଯାଇଥିଲେ । ପ୍ରଥମେ ସେମାନେ ଛାତ୍ରୀନିବାସରେ ପହଞ୍ଚି ତଦନ୍ତ କରିଥିଲେ । ତଦନ୍ତ ବେଳେ ୨୯ ଜଣ ଛାତ୍ରୀ ମ୍ୟାଲେରିଆରେ ପୀଡ଼ିତ ଥିବା ଜଣାପଡିଥିଲା । ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସୌମ୍ୟକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଛାତ୍ରୀନିବାସକୁ ଯାଇ ୮୯ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରିଥିଲା । ପରୀକ୍ଷା ପରେ ୨୯ ଜଣଙ୍କଠାରେ ମ୍ୟାଲେରିଆ ପଜିଟିଭ ରହିଥିବା ଜଣାପଡ଼ିିଥିଲା । ଏହାପରେ ତୁରନ୍ତ ସେହି ଛାତ୍ରୀମାନଙ୍କୁ ଔଷଧ ପ୍ରଦାନ କରାଯିବା ସହ ମଶାରି ବ୍ୟବହାର କରିବା ଲାଗି ଡାକ୍ତରୀ ଦଳ ପରାମର୍ଶ ଦେଇଛି । ତେବେ ଛାତ୍ରୀନିବାସରେ ରହୁଥିବା ଅନ୍ତେବାସୀଙ୍କ ପାଇଁ ମଶାରିର ଘୋର ଅଭାବ ରହିଛି । ୮୯ ଜଣ ଛାତ୍ରୀଙ୍କ ମଧ୍ୟରୁ ମାତ୍ର ୬୦ ଜଣ ମଶାରି ପାଇଛନ୍ତି । ଯେଉଁମାନେ ମଶାରି ପାଇଛନ୍ତି ତାହା ମଧ୍ୟ ଚିରାଫଟା ରହିଛି । ଏଣେ ଘଟଣାର ସରଜମିନ ତଦନ୍ତ କରାଯାଇଛି ।
ଗୋଷ୍ଠୀ ଶିକ୍ଷାଧିକାରୀ ଏବଂ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କଠାରୁ ଆରମ୍ଭ କରି ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରୀନିବାସ ଦାୟିତ୍ୱରେ ରହିଥିବା ମାଟ୍ରନଙ୍କୁ ପଚରାଉଚରା କରିଛନ୍ତି । ସେମାନଙ୍କ ବୟାନ ରେକର୍ଡ଼ କରାଯାଇଛି । ବୟାନ ରେକର୍ଡ଼ ବେଳେ ଘଟଣାକୁ ଏଡାଇବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଚେଷ୍ଟା କରିଥିଲେ । ମୃତ ଛାତ୍ରୀ ଜୟନ୍ତୀଙ୍କ ସ୍ୱାସ୍ଥ୍ୟ ଖରାପ ହୋଇନଥିବା ପ୍ରକାଶ କରିଥିଲେ । ତେବେ ଡାକ୍ତରୀ ଦଳର ପରୀକ୍ଷା ବେଳେ ଯେଉଁ ୨୯ ଜଣ ଛାତ୍ରୀଙ୍କ ମ୍ୟାଲେରିଆ ପଜିଟିଭ ବାହାରିଲା, ତାହା ଗୋଟିଏ ଦିନରେ ସମ୍ଭବ କି ବୋଲି ପ୍ରଶ୍ନ କରିଥିଲେ ତଦନ୍ତକାରୀ ଅଧିକାରୀମାନେ । ଦୀର୍ଘଦିନ ଧରି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇନଥିବା ଏହା ପ୍ରମାଣିତ କରୁଥିବା କହି ଅସନ୍ତୋଷ ବ୍ୟକ୍ତ କରିଥିଲେ ।
ଗ୍ରୀଷ୍ମ ଅବକାଶ ପରେ ବିଦ୍ୟାଳୟ ଖୋଲିବା ଦିନରୁ ସ୍ୱାସ୍ଥ୍ୟ ଶିବିର କରାଯାଇନଥିଲା । ଏମିତିକି ସ୍ୱାସ୍ଥ୍ୟ ଶିବିର କରିବା ଲାଗି ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷଙ୍କୁ ବିଦ୍ୟାଳୟ ତରଫରୁ ଅବଗତ କରାଯାଇନଥିବା ଖୋଦ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ମଧୁସୂଦନ ସ୍ୱୀକାର କରିଥିଲେ । ଏହାପରେ ତଦନ୍ତକାରୀ ଅଧିକାରୀମାନେ ମୃତ ଛାତ୍ରୀ ଜୟନ୍ତୀଙ୍କ ଗାଁ ସାନଇରୁକୁବାଡ଼ିକୁ ଯାଇଥିଲେ । ସେଠାରେ ଜୟନ୍ତୀଙ୍କ ବାପା ତ୍ରିନାଥ ତାଡ଼ିଙ୍ଗି ଓ ମା’ ମକରି ତାଡ଼ିଙ୍ଗିଙ୍କ ସହ ଆଲୋଚନା କରିଥିଲେ । ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ସାମନ୍ତରାୟ ଗଣମାଧ୍ୟମକୁ କହିଛନ୍ତି ଯେ, ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଜାରି ରହିଛି । ତଦନ୍ତ ଶେଷହେବା ପରେ ଯିଏ ଦୋଷୀ ଜଣାପଡ଼ିବେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।
Comments are closed, but trackbacks and pingbacks are open.