ଛୁଆ ହାତୀ ଉଦ୍ଧାର ପରେ ପଲରେ ପୂରେଇଲେନି

Get real time updates directly on you device, subscribe now.

ରଙ୍ଗେଇଲୁଣ୍ଡା,(ବି.ବି.ନୁ୍ୟଜ):ମାଆ ହାତୀ ଚାହୁଁଥାଏ ଛୁଆ ତା ପାଖକୁ ଆସୁ । ଛୁଆ ବି ଯାଉଥାଏ ମାଆ ପାଖକୁ । ହେଲେ ଦଳ ଭିତରକୁ ପଶି ପାରୁନଥାଏ । ବାରମ୍ବାର ଦନ୍ତା ଛୁଆ ହାତୀକୁ ଠେଲି ବିଦା କରିଦେଉଥାଏ । ଗଞ୍ଜାମ ଚିକିଟି ବ୍ଲକ୍ ସୋରଳ କଇଠା ସାନ ଚିଲିକା (ବାହୁୁଦା ନଦୀ ହ୍ରଦ) କୂଳରେ ଆଜି ଦିନତମାମ ଚାଲିଥିଲା ଏହି ଦୃଶ୍ୟ । ଗତକାଲି ସାନଚିଲିକାରେ ହାତୀପଲ ପଶିଥିଲେ । ଘଉଡ଼ାଇବାରେ ହାତୀମାନେ ଚାଲିଯାଇଥିଲେ ବି ଚିଙ୍ଗୁଡି ଘେରି ପଙ୍କରେ ଫସିଗଲା ଛୁଆ ହାତୀ । ଅଞ୍ଚଳବାସୀ ଛୁଆ ହାତୀକୁ ଉଦ୍ଧାର କରି ବନ ବିଭାଗ କର୍ମଚାରୀଙ୍କ ସହାୟତାରେ ମାଆ ପାଖକୁ ଛାଡିବାକୁ ଉଦ୍ୟମ କରିଥିଲେ । ହେଲେ କୌଣସି ପ୍ରକାରେ ହାତୀ ପଲ ଛୁଆ ହାତୀକୁ ଗ୍ରହଣ କଲେ ନାହିଁ । ଶେଷରେ ବନ ବିଭାଗ ଛୁଆ ହାତୀକୁ ହେପାଜତକୁ ନେଇଛି । ସେପଟେ ଦିନତମାମ ହାତୀଙ୍କ ଗର୍ଜନରେ ଆତଙ୍କରେ ଅଛନ୍ତି ଲୋକେ । ସ୍ଥାନୀୟ ଅଞ୍ଚଳରେ ଆଲର୍ଟ ଜାରି କରାଯିବା ସହ ହାତୀପଲକୁ ଜଙ୍ଗଲକୁ ଘଉଡାଇବା ପାଇଁ ଯୋଜନା କରୁଛି ବନ ବିଭାଗ । ଏଥିପାଇଁ ଚାରୋଟି ଫରେଷ୍ଟ ରେଞ୍ଜ୍ର ୯ଟି ରାସ୍ତାକୁ ମଙ୍ଗଳବାର ରାତି ୧୨ଟାରୁ ବୁଧବାର ରାତି ୧୨ଟା ପର୍ଯ୍ୟନ୍ତ ବ୍ଲକ୍ କରିବାକୁ ବ୍ରହ୍ମପୁର ଡିଏଫ୍ଓ ଅମ୍ଲାନ୍ ନାୟକ ଘୋଷଣା କରିଛନ୍ତି । ୬୦ରୁ ଊଦ୍ଧ୍ୱର୍ ବନ କର୍ମଚାରୀ ହାତୀ ପଲକୁ ଟ୍ରାକିଂ କରିବା ସହ ସେମାନଙ୍କ ସଠିକ୍ ରାସ୍ତା ଦେଖାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତ୍ତିଭାସନ୍, ଡିଏଫ୍ଓ ଅମ୍ଲାନ୍ ନାୟକ ଘଟଣା ସ୍ଥଳରେ ପରିସ୍ଥିତି ଅନୁଧ୍ୟାନ କରୁଥିବାବେଳେ ଗୋଳନ୍ଥରା ଥାନା ପୁଲିସ ପହଞ୍ଚିଛି । ହାତୀପଲ ପାଖକୁ ନଯାଇ ସତର୍କ ହୋଇ ରହିବାକୁ ଉପଜିଲ୍ଲାପାଳ କହିଛନ୍ତି ।
୧୫ଦିନ ହେଲା ଚିକିଟି ଓ ରଙ୍ଗେଇଲୁଣ୍ଡା ବ୍ଲକ୍ରେ ହାତୀ ଉପଦ୍ରବ ଲାଗିରହିଛି । ଦକ୍ଷିଣ ଘୁମୁସର (ଶେରଗଡ଼) ଅଞ୍ଚଳରୁ ଏହି ହାତୀ ପଲ ଆସିଥିବା କୁହାଯାଉଛି । ସେମାନେ ଗତ ରାତିରେ ବାହୁଦା ନଦୀ କୂଳରେ ଆସି ସୁରଳ ନିକଟସ୍ଥ ବାହୁଦା ହ୍ରଦ (ସାନ ଚିଲିକା)ରେ ଭୋର ତିନିଟା ବେଳେ ପହଞ୍ଚି ଥିବା ରାତିରେ ମାଛବନ୍ଧ ଜଗି ରହୁଥିବା ଅଞ୍ଚଳବାସୀ କହିଛନ୍ତି । ଚିଙ୍ଗୁଡ଼ିଘେରିରେ ପଶି ମାଛଚାଷୀଙ୍କ ମାଛ ଧରା ସାମଗ୍ରୀ, ଡଙ୍ଗା, ଜାଲ, ବାଉଁଶ ଖନ୍ଦା, ଚିଙ୍ଗୁଡ଼ି ଘେରି, କଙ୍କଡ଼ା ଚାଷ ଇତ୍ୟାଦି ଆନୁମାନିକ ୫୦ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ମୂଲ୍ୟର ସାମଗ୍ରୀ ନଷ୍ଟ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମାଛ ଚାଷୀମାନେ ଡଙ୍ଗାରେ ହାତୀପଲକୁ ଘଉଡାଇବା ପାଇଁ ଉଦ୍ୟମ କରିଥିଲେ । ହାତୀକୁ ଘଉଡାଇବା ବେଳେ ଗୋଟିଏ ହାତୀ ଛୁଆ ପଙ୍କରେ ଲାଗିଯାଇଥିଲା । ଘଉଡାଉଥିବା ଲୋକେ ହାତୀ ଛୁଆକୁ ଉଦ୍ଧାର କରି ପଲ ମଧ୍ୟକୁ ଛାଡ଼ିବା ବେଳେ ହାତୀପଲ ଲୋକଙ୍କୁ ଗୋଡ଼ାଇଥିଲେ । ଲୋକେ କୌଣସିମତେ ହାତୀଙ୍କ କବଳରୁ ବର୍ତ୍ତି ଯାଇଥିବାବେଳେ ହାତୀଛୁଆକୁ କିନ୍ତ୍ୁ ପଲ ତାଙ୍କ ଗୋÂୀ ଭିତରେ ପୂରେଇ ଦେଇ ନଥିଲେ । ନିରାଶ ହୋଇଇ ହାତୀଛୁଆଟି ଜନବସତି ଆଡକୁ ମୁହାଁଇ ଥିଲା । ସ୍ଥାନୀୟ ଲୋକ ଓ ବନ ବିଭାଗ ବାରମ୍ବାର ହାତୀଛୁଆକୁ ପଲକୁ ଛାଡ଼ିବାକୁ ଉଦ୍ୟମ କରିଥିଲେ । ହାତୀ ଛୁଆ ବାରମ୍ବାର ଗୋÂୀ ଭିତରକୁ ଯିବାକୁ ଚେଷ୍ଟା କରୁଥିବା ବେଳେ ମାଆ ହାତୀ ତାକୁ ଚାହିଁ ରହିଥିଲା । କିନ୍ତୁ ହାତୀପଲ ଦୁଇ ଭାଗ ହୋଇ ଦନ୍ତା ହାତୀଟି ଛୁଆ ହାତୀକୁ ବାରମ୍ବାର ଘଉଡାଇବା ଦେଖିିବାକୁ ମିଳିଥିଲା ।
ଡିଏଫଓ, ଉପଜିଲ୍ଲାପାଳ, ରେଞ୍ଜର ଦିଲୀପ କୁମାର ମାର୍ଥାଙ୍କ ସମେତ ବିଭିନ୍ନ ରେଞ୍ଜର ୬୦ରୁ ଊଦ୍ଧ୍ୱର୍ କର୍ମଚାରୀ ରାତିସାରା ଜଗିରହି ହାତୀପଲର ଗତିବିଧି ଉପରେ ନଜର ରଖିଛନ୍ତି । ଦକ୍ଷିଣ ଘୁମୁସର ବନାଞ୍ଚଳରେ ରହୁଥିବା ଏହି ହାତୀପଲୀ ୩ବର୍ଷ ହେଲା ଖାଦ୍ୟଶସ୍ୟ ଖାଇବାକୁ ଆସୁଛନ୍ତି । ନଭେମ୍ବର ମାସରେ ଆସି ଜାନୁଆରୀ ମାସରେ ଚାଲିଯାଉଥିଲେ । କିନ୍ତୁ ପ୍ରଥମ ଥର ଏମାନେ ରାସ୍ତା ଭୁଲି ବାହୁଦା ହ୍ରଦକୁ ଆସିଯାଇଛନ୍ତି ବୋଲି ଡିଏଫ୍ଓ ନାୟକ ସୂଚନା ଦେଇଛନ୍ତି । ଏମାନେ ଯେଉଁ ରାସ୍ତାରେ ଆସିଥିଲେ ସେହି ରାସ୍ତାରେ ଚାଲିଯିବେ ବୋଲି ସେ କହିଛନ୍ତି । ଏମାନଙ୍କୁ ଘଉଡାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି । ଯଦି ହ୍ରଦ ଭିତରେ ପୁଣି ପଶିଯାଆନ୍ତି ଘଉଡାଇବା କଷ୍ଟ ସାଧ୍ୟ ହେବ । ମାଛ ଚାଷୀ ମାନଙ୍କର ଯାହା କ୍ଷତି ହୋଇଛି ବିଭାଗକୁ ଜଣାଇଦିଆଯିବ ଏବଂ କ୍ଷତିପୂରଣ ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି ।
ଗତ ସପ୍ତାହରେ ହାତୀ ଚିକିଟି ବ୍ଲକ ଗୋବିନ୍ଦ ନଗର ଗ୍ରାମର ସୁରେନ୍ଦ୍ର ସାହୁଙ୍କ ଧାନଗଦା, ଛତୁବାଡ଼, ପନିପରିବା ଚାଷ ଜଗନ୍ନାଥ ପୁର ଗ୍ରାମର ପଦ୍ମନାଭ ପ୍ରଧାନ, ଗୁରୁବାରୀ ପ୍ରଧାନ, ସରସ୍ୱତୀ ଆମ୍ମାଙ୍କ ଫାର୍ମ ହାଉସରେ ୭୦ଟି ନଡ଼ିଆ ଗଛ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ପଲ ଗତକାଲି କୃଷ୍ଣ ନଗର, ନିମକୁଡ଼ିଆ, ବୈରିବାଡ, ହିଂଜିଳି ଗାଁ ଅଞ୍ଚଳ ଦେଇ ଚିକିଟି ସାତଭଉଣୀ ପାହାଡ଼ରେ ରହିଥିଲେ । ସେଠାରୁ ଆନ୍ଧ୍ରଅଞ୍ଚଳ ଦେଇ ସାନଚିଲିକାକୁ ଆସିଥିବା କୁହାଯାଉଛି । ସାନଚିଲିକା ନିକଟରେ ହାତୀ ପଲ ରହିଥିବା ବେଳେ ପାଖକୁ ଲାଗି ସୋନପୁର ବେଳାଭୂମି ରହିଛି । ଏଠାକୁ ହାତୀପଲ ଆସିଗଲେ ଘଉଡାଇବା ବନ ବିଭାଗ ପାଇଁ କଷ୍ଟକର ହେବ । ଏଠାରେ ବିରାଟ ଝାଉଁବଣ ରହିଥିବା ବେଳେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ତେବେ ସୁନପୁରକୁ ଯେମିତି ହାତୀପଲ ନପଶିବେ ବନ ବିଭାଗ ନଜର ରଖିଛି ବୋଲି ଡିଏଫ୍ଓ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons