କୋରାପୁଟ,(ବି.ବି.ନୁ୍ୟଜ): ଜମି ଗଣ୍ଡଗୋଳକୁ କେନ୍ଦ୍ରକରି ଜାତୀୟ ରାଜପଥ ଉପରେ ଯୁବକଙ୍କୁ ଛୁରି ଭୁସି ନିର୍ମମ ହତ୍ୟା । ଏଭଳି ଅମାନବୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ଶଶାହାଣ୍ଡି ହରିଜନସାହିରେ । ହତ୍ୟାର ଶିକାର ହୋଇଥିବା ଯୁବକ ଜଣଙ୍କ ହେଲେ ସାହିର ଦଶରଥ ହରିଜନ । ଏହି ଗଣ୍ଡଗୋଳରେ ଆକ୍ରମଣକାରୀଙ୍କ ମଧ୍ୟରୁ ଚୈତନ୍ୟ ହରିଜନ ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଜଣକୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଉଛି ଆହତ ଚୈତନ୍ୟର ଭାଇ ଲକ୍ଷ୍ମଣ ।
କୋଟପାଡ଼ ଆଇଆଇସି ଉଲ୍ଲାସ ମାଝୀ କହିଛନ୍ତି, ଶଶାହାଣ୍ଡି ଗାଁର ଚୈତନ୍ୟ ଓ ଦଶରଥଙ୍କ ପରିବାର ମଧ୍ୟରେ ବହୁଦିନରୁ ଜମିଜମା ବିବାଦ ଲାଗି ରହିଥିଲା । ଚୈତନ୍ୟର ଘରକୁ ଯିବାପାଇଁ ଦଶରଥ କୁଆଡେ଼ ରାସ୍ତା ଛାଡ଼ୁନଥିବାରୁ ଉଭୟ ପରିବାର ମଧ୍ୟରେ ଝଗଡ଼ା ହେଉଥିଲା । ଆଜି ସକାଳେ ଦଶରଥ ଓ ଚୈତନ୍ୟ ଜାତୀୟ ରାଜପଥ ଉପରେ ଖରାରେ ଛିଡ଼ା ହୋଇଥିବା ବେଳେ ହଠାତ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହା ଉଗ୍ରରୂପ ନେଇଥିଲା । ପ୍ରଥମେ ଦଶରଥ ଚୈତନ୍ୟକୁ ଛୁରିରେ ଆକ୍ରମଣ କରିଥିଲେ । ଭାଇ ଉପରେ ଆକ୍ରମଣ ହେଉଥିବା ଦେଖି ଲକ୍ଷ୍ମଣ ଏକ ଛୁରିରେ ଦଶରଥଙ୍କୁ ଆକ୍ରମଣ କରିଥିଲେ । ଦୁଇ ଭାଇ ମିଶି ଦଶରଥଙ୍କ ଉପରେ ମିଳିତ ଆକ୍ରମଣ କରିଥିଲେ । ଲକ୍ଷ୍ମଣର ଛୁରା ମାଡ଼ରେ ଜାତୀୟ ରାଜପଥ ଉପରେ ଲହୁଳୁହାଣ ହୋଇ ଟଳି ପଡ଼ିଥିଲେ ଦଶରଥ । ଘଟଣାସ୍ଥଳରେ ହିଁ ତାଙ୍କ ମୃତୁ୍ୟ ହୋଇଥିଲା ।
ରାଜପଥରେ ଶବ ପଡ଼ିଥିବା ଦେଖି ଉତ୍ତ୍ୟକ୍ତ ଗ୍ରାମବାସୀ ଆନେ୍ଦାଳନ ପାଇଁ ପ୍ରସ୍ତୁତ ହେଉଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏସ୍ଡିପିଓ ହରେକୃଷ୍ଣ ମାଝୀ, ଆଇଆଇସି ଉଲ୍ଲାସ ମାଝୀ, ସବଇନ୍ସପେକ୍ଟର ସୁନୀଲ କୁମାର ସ୍ୱାଇଁ, ସବଇନ୍ସପେକ୍ଟର ଏନ.କେ. ବାଘ ପ୍ରମୁଖ ପରିସ୍ଥିତି ନିୟନ୍ତ୍ରଣ କରିଥିଲେ । ଶବ ଜବତ କରି ପୁଲିସ୍ ବ୍ୟବଚ୍ଛେଦ କରାଇବା ପରେ ପରିବାରକୁ ହସ୍ତାନ୍ତର କରିଛି । ଏ ସଂପର୍କରେ କୋଟପାଡ଼ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ତଦନ୍ତ ଜାରି ରହିଥିବା ପୁଲିସ କହିଛି । ଆହତ ଚୈତନ୍ୟକୁ ବୋରିଗୁମ୍ମାରେ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି ।
Comments are closed, but trackbacks and pingbacks are open.