ଜଗତସିଂହପୁର ଓଡ଼ିଶା ବିକାଶର ମୁଖ୍ୟଦ୍ୱାର:ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଜଗତସିଂହପୁର,(ରାକେଶ ଦାସଙ୍କଠାରୁ): ‘ଜଗତସିଂହପୁର ଓଡ଼ିଶା ବିକାଶର ମୁଖ୍ୟଦ୍ୱାର । ଏହା ଓଡ଼ିଶାର ଆଗୁଆ ଜିଲ୍ଲା । ଶିଳ୍ପ, କୃଷି ସବୁଥିରେ ଜଗତସିଂହପୁର ଜିଲ୍ଲାର ସୁନାମ ରହିଛି । ଜଗତସିଂହପୁର ଜିଲ୍ଲାରୁ ହିଁ ବିଜୁ ବାବୁ ଓଡ଼ିଶାର ବିକାଶ ଯାତ୍ରାର ଆରମ୍ଭ କରିଥିଲେ । ପାରାଦୀପ ବନ୍ଦର ଆଜି ଦେଶର ମୁଖ୍ୟ ବନ୍ଦରମାନଙ୍କ ମଧ୍ୟରେ ସ୍ଥାନ ପାଇଛି । ଶିଳ୍ପନଗରୀ ଭାବେ ପାରାଦୀପର ଗୁରୁତ୍ୱ ବଢ଼ିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଶୁକ୍ରବାର ଭର୍ଚୁଆଲ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୧୫ କୋଟି ବ୍ୟୟ ଅଟକଳରେ ଜିଲ୍ଲାର ୨୯ଟି ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବା ଅବସରରେ ଏହା କହିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଳା ପାଇଁ ଆଜି ଖୁସିର ଦିନ ବୋଲି କହି ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱ ଦିଆଯାଉଥିବା ଜଣାଇଥିଲେ । କରୋନା ଯୋଗୁଁ ୧ ବର୍ଷରୁ ଅଧିକ ସମୟ ଧରି ଆମେ ସମସ୍ତେ ପ୍ରଭାବିତ ହୋଇଛୁ । ତଥାପି ଓଡ଼ିଶାବାସୀ କରୋନାର ମୁକାବିଲା କରିଛନ୍ତି । ରାଜ୍ୟ ସରକାର ଚାଷୀ, ଶ୍ରମିକ ସମସ୍ତଙ୍କ ପାଇଁ ୨ ହଜାର କୋଟି ଟଙ୍କାର ସହାୟତା ଯୋଗାଇ ଦେଇଛନ୍ତି । କୋଭିଡ୍ ପରିସ୍ଥିତି ସତ୍ତ୍ୱେ ଓଡ଼ିଶା ଦେଶର ୧୭ଟି ରାଜ୍ୟକୁ ମେଡିକାଲ ଅକ୍ସିଜେନ୍ ଯୋଗାଣ କରିଥିବା ନେଇ ମୁଖ୍ୟମନ୍ତ୍ରୀ ବକ୍ତବ୍ୟ ରଖିଥିଲେ ।
ଆଜି ଅପରାହ୍ନରେ ଆୟୋଜିତ ଏହି ମେଗା ଉଦ୍‌ଘାଟନ ଓ ଶିଳାନ୍ୟାସ ଉତ୍ସବ ଜିଲ୍ଲାପାଳଙ୍କ ପଡ଼ିଆ ସମେତ ତିର୍ତ୍ତୋଲ ଓ ଏରସମା ବ୍ଲକ୍ କାର୍ଯ୍ୟାଳୟରେ ଆୟୋଜିତ ହେବା ସହ ଏହାର ସିଧାପ୍ରସାରଣ ହୋଇଥିଲା । ତିର୍ତ୍ତୋଲରେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ସମେତ ବରିଷ୍ଠ ନେତା ଅଶ୍ୱିନୀ ଦାସ, ବସନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଏରସମାରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ସ୍ୱଚ୍ଛ ତଥା ଲୋକାଭିମୁଖୀ ଶାସନ ବ୍ୟବସ୍ଥା ପାଇଁ ଜିଲ୍ଲାବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରିଥିଲେ । ସେହିପରି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ଉତ୍ସବରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଜନହିତକର ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିବା ସହ ହକି କ୍ଷେତ୍ରରେ ଓ ଅକ୍ସିଜେନ୍ ଯୋଗାଣ ମାଧ୍ୟମରେ ଓଡ଼ିଶା ଆଜି ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ସାଂସଦ ଡା. ରାଜଶ୍ରୀ ମଲ୍ଲିକ ଉପସ୍ଥିତ ଥିଲେ । ଉଦ୍‌ଘାଟନ ଓ ଶିଳାନ୍ୟାସ ଉତ୍ସବରେ ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିୟାନ୍ ଯୋଗଦାନ କରିଥିଲେ । ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲା ପ୍ରଶାସନ ଓ ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ ଓ ୫-ଟି ସଚିବଙ୍କୁ ଧନ୍ୟବାଦ ଜଣାଇ ଏସବୁ ପ୍ରକଳ୍ପ ଦ୍ୱାରା ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ଯୋଗାଯୋଗ କ୍ଷେତ୍ରରେ ବିକାଶ ସାଧିତ ହୋଇପାରିବ ବୋଲି କହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons