ଜଗାକୁ ଛାଡ଼ି ଚାଲିଗଲା କାଳିଆ

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ଜନ୍ମ ହେବାର ଦୁଇ ବର୍ଷ ପର୍ଯ୍ୟନ୍ତ ଉଭୟଙ୍କ ମୁଣ୍ଡ ଯୋଡି ହୋଇ ରହିଥିଲା । ୨୦୧୭ରେ ସେମାନଙ୍କୁ ଅପରେସନ କରାଯାଇ ଅଲଗା କରାଗଲା । ଏଭଳି ବିରଳ ଅପରେସନ ସମଗ୍ର ଦେଶରେ ପ୍ରଥମ ଥିଲା । ଏହି ଅପରେସନ ପରେ ଭାରତୀୟ ଚିକିତ୍ସା ବିଜ୍ଞାନକୁ ମିଳିଥିଲା ଅପୂର୍ବ ସଫଳତା । ତେବେ ଅଲଗା ହେବାର ପ୍ରାୟ ୩ ବର୍ଷ ପରେ ଯୋଡାମୁଣ୍ଡ ଶିଶୁଙ୍କ ମଧ୍ୟରୁ କାଳିଆ ଆଜି ସନ୍ଧ୍ୟା ସାଢେ ୬ଟାରେ ସବୁଦିନ ପାଇଁ ଜଗାକୁ ଅଲଗା କରି ଚାଲିଯାଇଛି । ଏକା ହୋଇଯାଇଛି ଜଗା ।
ଏସ୍ସିବି ମେଡିକାଲରେ ଆଜି ସନ୍ଧ୍ୟାରେ ଦେଶର ବହୁଚର୍ଚ୍ଚିତ ତଥା କନ୍ଧମାଳ ଜିଲ୍ଲା ମାଳିପଡା ଗ୍ରାମର ଯୋଡାମୁଣ୍ଡ ଶିଶୁଙ୍କ ମଧ୍ୟରୁ କାଳିଆର ମୃତୁ୍ୟ ଘଟିଛି । କାଳିଆର ବାପା ଭୁୟାଁ କହଁର ଗଣମାଧ୍ୟମକୁ ପୁଅର ମୃତୁ୍ୟ ସମ୍ପର୍କରେ ସନ୍ଧ୍ୟାରେ ସୂଚନା ଦେଇଥିବା ବେଳେ ଏସ୍ସିବିର ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହରଣା ବିଳମ୍ବରେ ଏନେଇ ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି । ଡା. ମହାରଣା କହିଛନ୍ତି କି’ ସେପ୍ଟିସିମିଆ ସଂକ୍ରମଣ ଯୋଗୁଁ କାଳିଆର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା । ଭେଣ୍ଟିଲେଟର ମଧ୍ୟରେ ରଖାଯାଇ ତାର ଚିକିତ୍ସା କରାଯାଉଥିଲେ ହେଁ ଶେଷରେ ତାର ମୃତୁ୍ୟ ଘଟିଛି ।
୨୦୧୫ ଏପ୍ରିଲ ୯ ତାରିଖରେ କନ୍ଧମାଳ ଜିଲ୍ଲା ମାଳିପଡା ଗ୍ରାମରେ ଏହି ଯୋଡାମୁଣ୍ଡ ଶିଶୁ ଜନ୍ମ ଗ୍ରହଣ କରିଥିଲେ । ଜନ୍ମରୁ ଶିଶୁଦ୍ୱୟଙ୍କ ଏଭଳି ବିରଳ ବ୍ୟତିକ୍ରମ ଶରୀର ଗଢଣ ଦେଖି ବାପା ଭୁୟାଁ ଓ ମା ପୁଷ୍ପାଞ୍ଜଳି ପ୍ରଥମେ କନ୍ଧମାଳ ଡାକ୍ତରଖାନା ଓ ପରେ ଏସ୍ସିବିକୁ ଆଣିଥିଲେ । ଏସ୍ସିବି ନୁ୍ୟରୋସର୍ଜରୀ ବିଭାଗରେ ଶିଶୁଦ୍ୱୟ ଦୀର୍ଘ ଦିନ ରହିଥିଲେ । ଏହାପରେ ସେମାନଙ୍କୁ ଅଲଗା କରିବା ପାଇଁ ସରକାରୀ ଉଦ୍ୟମରେ ଏମ୍ସ୍ ପଠାଯାଇଥିଲା । ଏମସ୍ରେ ୨୦୧୭ ଅଗଷ୍ଟ ୨୮ ଓ ଅକ୍ଟୋବର ୨୫ରେ ଦୁଇଟି ପର୍ଯ୍ୟାୟରେ ଅସ୍ତେ୍ରାପଚାର କରାଯାଇ ଉଭୟଙ୍କୁ ଅଲଗା କରାଯାଇଥିଲା । ଅଲଗା ହେବାର ଦୁଇବର୍ଷ ପର୍ଯ୍ୟନ୍ତ ମଧ୍ୟ ସେମାନଙ୍କୁ ଏମସ୍ରେ ଡାକ୍ତରୀ ନିରୀକ୍ଷଣ ମଧ୍ୟରେ ରଖାଯାଇଥିଲା । ଏହାପରେ ୨୦୧୯ ସେପ୍ଟେମ୍ବର ମାସରେ ସେମାନଙ୍କୁ ଏମସ୍ରୁ ଡିସଚାର୍ଜ କରାଯାଇଥିଲା । ମାତ୍ର ଘରେ ନ ରହି ସେମାନଙ୍କୁ ଏସସିବି ମେଡିକାଲରେ ଡାକ୍ତରୀ ନିରୀକ୍ଷଣ ମଧ୍ୟରେ ରଖିବା ପାଇଁ ଏମସ୍ର ଡାକ୍ତରମାନେ ପରାମର୍ଶ ଦେଇଥିଲେ । ଉଭୟ ଶିଶୁ ତଦନୁସାରେ ୨୦୧୯ ସେପ୍ଟେମ୍ବର ୭ ତାରିଖରୁ ଏସସିବିରେ ଚିକିତ୍ସାଧୀନ ଥିଲେ । ମାତ୍ର କାଳିଆର ସ୍ୱାସ୍ଥ୍ୟାବସ୍ଥା ବାରମ୍ବାର ଖରାପ ରହୁଥିଲା । ଏପରିକି ଗତକିଛି ଦିନ ହେବ କାଳିଆର ଶ୍ୱାସକ୍ରିୟା ଜନିତ ସମସ୍ୟା ବଢ଼ିଯାଇଥିଲା । ଯେଉଁଥିପାଇଁ ତାକୁ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଥିଲା । ୮ ଦିନ ତଳେ ସେ ଆଖି ଖୋାଲି ପାରୁନଥିବା ବେଳେ ନାକ ପଟେ ପାଇପ୍ ଯୋଗେ ଦିଆଯାଉଥିବା ଖାଦ୍ୟକୁ ମଧ୍ୟ ସେ ଭଲ ଭାବେ ଗ୍ରହଣ କରିପାରୁନଥିଲା । ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ଆଡକୁ ଯିବାରୁ କାଳିଆକୁ ଆଇସିୟୁକୁ ନିଆଯାଇ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା ।
ଦୁଇ ଶିଶୁଙ୍କ ମା’ ପୁଷ୍ପାଞ୍ଜଳି ଓ ବାପା ଭୁୟାଁ କହଁର ୮ ଦିନ ତଳେ କହିଥିଲେ ଯେ, ଶିଶୁ ଦ୍ୱୟଙ୍କ ପ୍ରତି ଡାକ୍ତରଖାନା ପକ୍ଷରୁ ଅବହେଳା କରାଯାଉଛି । ଏମସ୍ରେ ଥିବା ସମୟରେ ଜଗା କାଳିଆ ଯେଉଁ ପ୍ରକାର ଭିଟାମିନ୍ୟୁକ୍ତ ଖାଦ୍ୟ ଖାଉଥିଲେ ଏବେ ତାହା ମିଳୁନାହିଁ ବୋଲି କହଁର ଦମ୍ପତି ଅଭିଯୋଗ କରିଥିଲେ । ଏମିତିକି ଏମସ୍ ଡାକ୍ତର ଯେଉଁ ପ୍ରକାରର ଖାଦ୍ୟ ଦେବା ପାଇଁ କହୁଥିଲେ ଏସ୍ସିବିରେ ସେଥିରେ ବହୁ ବ୍ୟତିକ୍ରମ କରାଯାଉଥିବା ସେମାନେ କହିଥିଲେ । ଏସ୍ସିବିରେ ରହଣି ମଧ୍ୟରେ ଜଗା, କାଳିଆଙ୍କ ସହ ମୁଁ ଏବଂ ମୋ ସ୍ୱାମୀଙ୍କ ଚଳିବା ପାଇଁ ଯାହା ଆବଶ୍ୟକ ଜିନିଷପତ୍ର ଦରକାର ସେସବୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା । ମାତ୍ର ଏବେ ସେଥିରେ ଅବହେଳା କରାଯାଉଛି ବୋଲି ପୁଷ୍ପାଞ୍ଜଳି ଅଭିଯୋଗ କରିଥିଲେ । ପିଲା ଦୁଇଟାଙ୍କୁ ଜଗି ଗତ ସେପ୍ଟେମ୍ବର ମାସରୁ ସ୍ୱାମୀ ସ୍ତ୍ରୀ ଦୁଇଜଣ ଆମେ ଏସ୍ସିବିରେ ପଡି ରହିଛୁ । ପାଖରେ ଫଟା ପାହୁଲାଟିଏ ନାହିଁ । ନିଜ ପାଖରେ ଦି ପଇସା ନଥିବାରୁ ଭାରି ଅସୁବିଧାରେ ରହୁଛୁ । ଜଗା ଯାହା ଖାଇବାକୁ ଖୋଜୁଛି ଆମେ ତାକୁ ଯୋଗାଇ ଦେଇପାରୁନାହୁଁ ବୋଲି ପୁଷ୍ପାଞ୍ଜଳି କହିଥିଲେ । ମାତ୍ର ଏସ୍ସିବି ଅଧିକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ କହଁର ଦମ୍ପତିଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ । ଆଜି କାଳିଆର ମୃତୁ୍ୟ ପରେ ଅବହେଳା ଅଭିଯୋଗ ଅଧିକ ଶାଣିତ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons