ଜଙ୍ଗଲରୁ ମିଳିଲା ବାଘୁଣୀର ମୃତ ଦେହ

Get real time updates directly on you device, subscribe now.

ତିଗିରିଆ, (ବି.ବି.ନୁ୍ୟଜ୍): ତିଗିରିଆ ନିଜିଗଡ ସଂରକ୍ଷିତ ଜଙ୍ଗଲରୁ ଏକ କଲରାପତରିଆ ବାଘୁଣୀର ମୃତ ଦେହ ଉଦ୍ଧାର କରାଯାଇଛି । ବାଘୁଣୀର ବୟସ ପ୍ରାୟ ୧୦ ବର୍ଷ ହେବ । ଲମ୍ୱ ପ୍ରାୟ ୪ ଫୁଟ ଏବଂ ଓଜନ ୫୦ କେଜି ହେବ ବୋଲି କୁହାଯାଉଛି । ଶ୍ୱାସକ୍ରିୟାରେ ତ୍ରୁଟି କିମ୍ବା ଖାଦ୍ୟ ଅଭାବରୁ ବାଘୁଣୀର ମୃତୁ୍ୟ ହୋଇଥିବା ବନବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଉଥିବା ବେଳେ ପ୍ରକୃତରେ କେହି ଶିକାରୀ ବିଦୁ୍ୟତ ଆଘାତ ଦେଇ କିମ୍ୱା ବାର୍ହା ଜାଲ ବସାଇ ବାଘୁଣୀକୁ ଶିକାର କରିଥିବା ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ବାଘୁଣୀର ମୃତ ଦେହକୁ ବନ ବିଭାଗ କାର୍ଯ୍ୟାଳୟରେ ଚୁପ୍ଚାପ୍ ପୋଡି ଦିଆଯାଇଥିବା ଘଟଣାକୁ ନେଇ ବିବାଦ ମୁଣ୍ଡ ଟେକିଛି ।
ପ୍ରାପ୍ତ ସୂଚନା ମୁତାବକ, ଗତ ୧୫ ତାରିଖ ଶୁକ୍ରବାର ଭୋର୍ରୁ ତିଗିରିଆ ନିଜିଗଡ଼ ସଂରକ୍ଷିତ ଜଙ୍ଗଲର ହରିଡାପଶି ନିକଟସ୍ଥ ବନଖଣ୍ଡରେ ଏକ କଲରାପତରିଆ ବାଘୁଣୀର ମୃତ ଦେହ ପଡିଥିଲା । ଖବର ପାଇ ତିଗିରିଆ ବନପାଳ ସୁଚରିତା ସାମନ୍ତରାୟ ଓ କର୍ମଚାରୀମାନେ ବାଘୁଣୀର ମୃତ ଦେହ ଉଦ୍ଧାର କରିଥିଲେ । ମୃତ ଦେହକୁ ବନବିଭାଗ କାର୍ଯ୍ୟାଳୟରେ ରଖି ଏ ସଂକ୍ରାନ୍ତରେ ଆଜି ଆଠଗଡ ବନବିଭାଗ ଏବଂ ଅନୁଗୁଳ ୱାଇଲ୍ଡ ଲାଇଫ୍ ସଂସ୍ଥାକୁ ସୂଚନା ଦେଇଥିଲେ । ସୂଚନା ପାଇ ଆଜି ମଧ୍ୟାହ୍ନରେ ଆଠଗଡ଼ ବନଖଣ୍ଡ ଅଧିକାରୀ ସଶ୍ମିତା ଲେଙ୍କାଙ୍କ ସମେତ ସାତକୋଶିଆ ବନ୍ୟଜନ୍ତୁ ବିଶେଷଜ୍ଞ ଡ. କିଶୋର ଚନ୍ଦ୍ର ସାହୁ, ପ୍ରାକୃତିକ ପରିବେଶ ଓ ବନ୍ୟପ୍ରାଣୀ ସମାଜର କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ ଡ. ପ୍ରସନ୍ନ କୁମାର ବେହେରା, ସହକାରୀ ବନ ସଂରକ୍ଷକ ରାଜେନ୍ଦ୍ର କୁମାର ଦାସ, କଟକ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଆଇନଜୀବୀ ଅଶୋକ କୁମାର ପଟ୍ଟନାୟକ ପ୍ରମୁଖ ତିଗିରିଆ ବନବିଭାଗ କାର୍ଯ୍ୟାଳୟରେ ପହଂଚିଥିଲେ । ତିଗିରିଆ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଧର୍ମାନନ୍ଦ ମହାନ୍ତିଙ୍କ ଦ୍ୱାରା ମୃତ ବାଘୁଣୀର ବ୍ୟବଚ୍ଛେଦ କରାଯାଇଥିଲା । ସଙ୍ଗେସଙ୍ଗେ ବାଘୁଣୀକୁ ଗାଡି ଟାୟାର ଓ କାଠ ଦ୍ୱାରା ପୋଡି ଦିଆଯାଇଥିଲା । ତେବେ ଏ ସବୁ ଘଟଣା ଭିତରେ ବନବିଭାଗ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଦୁଇ ଦିନ ବାଘୁଣୀର ମୃତଦେହକୁ ଲୁଚାଇ ରଖିବା ପରେ ଆଜି କାହିଁକି ତରବରିଆ ଢଙ୍ଗରେ ପୋଡି ଦିଆଗଲା ବୋଲି ଲୋକେ ଆପତ୍ତି ଉଠାଇଥିଲେ । ଏହାକୁ ନେଇ ସାମାନ୍ୟ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା । ଅନ୍ୟପକ୍ଷରେ ଆଠଗଡ ଡିଏଫ୍ଓଙ୍କ ତରଫରୁ ସନ୍ଧ୍ୟାରେ ବାଘୁଣୀର ପୋଷ୍ଟମର୍ଟମ୍ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ଦର୍ଶାଯାଇଛି ଯେ, ବାଘୁଣୀର ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ । ଏପରିକି ତା’ର ଶରୀରର ଭିତର ଅଙ୍ଗରେ ମଧ୍ୟ କିଛି କ୍ଷତି ହୋଇନାହିଁ । ସାଧାରଣତଃ ଏହି ଅଞ୍ଚଳରେ ବାଘ ଦେଖିବାକୁ ମିଳନ୍ତି ନାହିଁ । ବାଘୁଣୀର ପେଟରେ ଖାଦ୍ୟ ନଥିଲା । ତେଣୁ ଖାଦ୍ୟ ଅନ୍ୱେଷଣରେ ବାଘୁଣୀଟି ଦୂରରୁ ଏଠାକୁ ଆସିଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons