ଅନୁଗୁଳ,(ବି.ବି.ନୁ୍ୟଜ): ସାତକୋଶିଆ ଇଲାକାରେ ବାର୍ହା ଶିକାର ପାଇଁ ବିଛାଯାଇଥିବା ବିଦୁ୍ୟତ୍ ଫାଶ ସଂସ୍ପର୍ଶରେ ଆସି ମଙ୍ଗଳବାର ଜଣେ ଯୁବକଙ୍କର ମୃତୁ୍ୟ ହୋଇଥିବା ଜଣାପଡ଼ିଛି । ମୃତ ଯୁବକ ଅନୁଗୁଳ ବ୍ଲକ ତଥା ବନ୍ତଳା ଥାନା ଇଲାକା କନ୍ତମେଘ ଗ୍ରାମର ମୋହନ ରାଜପୁତ (୩୨) ବୋଲି ଜଣାପଡ଼ିଛି । ଆଜି ଭୋର୍ ୪ଟା ବେଳେ ଏହି ଅଘଟଣ ଘଟିଥିବା କୁହାଯାଇଛି । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଅନୁସନ୍ଧାନ ଚଳାଇଛି ।
ମୋହନଙ୍କ ନିଜ ଘର ମଧ୍ୟପ୍ରଦେଶର ଝାନ୍ସୀ ଅଞ୍ଚଳରେ ହୋଇଥିବା ବେଳେ ସେ ଗତ ୧୫ ବର୍ଷ ହେଲା ଶ୍ୱଶୁର ଘର କନ୍ତମେଘ ଗ୍ରାମରେ ରହୁଥିଲେ । ଆଜିଭୋର୍ ବେଳେ ସେ ବିଲକୁ ଯାଉଥିବା ବେଳେ ଶିକାରୀଙ୍କ ଦ୍ୱାରା ବିଛାଯାଇଥିବା ଜୀବନ୍ତ ବିଦୁ୍ୟତ୍ ତାର ସଂସ୍ପର୍ଶରେ ଆସି ମୃତୁ୍ୟ ମୁଖରେ ପଡ଼ିଥିବା କୁହାଯାଇଛି । ଖବର ପାଇବା ପରେ ବନ୍ତଳା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲା । ଶବ ପଞ୍ଚନାମା ପରେ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଥିଲା । ତେବେ ବନବିଭାଗର କୌଣସି କର୍ମଚାରୀ କି ଅଧିକାରୀ ଘଟଣାସ୍ଥଳରେ ନପହଞ୍ଚିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା ।


Comments are closed, but trackbacks and pingbacks are open.