କୋରାପୁଟ: ଡଉଲଡାଉଲ ଚେହେରା । କିନ୍ତୁ ଜନ୍ମରୁ ମାଡିÿବସିଛି ଯନ୍ତ୍ରଣା । ୫ ବର୍ଷ ହେଲା ମା’ କୋଳ ଛାଡିନି ସସ୍ମିତା । ନା ଚାଲିପାରୁଛି, ନା ଠିକ୍ରେ ବସି ପାରୁଛି । କଅଁଳ ବୟସରେ ଝିଅର ଏଭଳି କଷ୍ଟ ଦେଖି ଦୁଃଖରେ ଭାଙ୍ଗିପଡିଛନ୍ତି ଗରିବ ବାପାମାଆ । ଚିକିତ୍ସା ପାଇଁ ହାତରେ ଅର୍ଥ ନାହିଁ । ପାଖାପାଖି ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ଏବେ ଅସହାୟ ହୋଇପଡିଛନ୍ତି । ସବୁଆଡୁ ନିରାଶ ହେବା ପରେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି କୋଟପାଡ ବ୍ଲକ୍ ଗିର୍ଲା ଗାଁର ଧନସାଇ ଭତ୍ରା ଓ ତାଙ୍କ ସ୍ତ୍ରୀ ମୁଙ୍ଗେଇ ଭତ୍ରା ।
ମୁଙ୍ଗେଇଙ୍କ ସୂଚନା ଅନୁଯାୟୀ, ସସ୍ମିତା ମାତ୍ର ୬ ମାସର ହୋଇଥିବା ବେଳେ ହଠାତ୍ ଜ୍ୱର ହୋଇଥିଲା । ଗାଁରେ ଦେଶୀ ଚିକିତ୍ସା କରାଇଥିଲେ । ଛୁଆଟି ବଡ ହେବା ପରେ ବି ନା ବସିପାରିଥିଲା ନା ଚାଲି ପାରିଥିଲା । ଏହା ଦେଖିବା ପରେ ସେମାନେ ବିଭିନ୍ନ ଡାକ୍ତରଖାନା ନେଇଥିଲେ । ପ୍ରଥମେ କୋରାପୁଟ ଏବଂ ପରେ ନବରଙ୍ଗପୁର ଓ ଛତିଶଗଡର ଜଗଦଲପୁରକୁ ନେଇଥିଲେ । କୁଲି ମଜୁରି ଖଟି ପାଖାପାଖି ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । କିନ୍ତୁ କୌଣସି ସୁଫଳ ମିଳିନଥିଲା । ଡାକ୍ତରମାନେ ବିଭିନ୍ନ ଔଷଧ ଦେଇଥିଲେ । ଘରେ ରହି ବ୍ୟାୟାମ କରାଗଲେ ଧୀରେ ଧୀରେ ସସ୍ମିତା ସୁସ୍ଥ ହୋଇଯିବ ବୋଲି ପରାମର୍ଶ ଦେଇ ଫେରାଇ ଦେଇଥିଲେ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେମାନେ ସବୁପ୍ରକାର ଉଦ୍ୟମ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ କିଛି ଲାଭ ହୋଇନାହିଁ । ଯେଉଁ ବୟସରେ ଖେଳି ବୁଲିବା କଥା, ସେହି ବୟସରେ ମାଆର କୋଳରେ ପଡିରହିଛି ସସ୍ମିତା ।
ବାହାରକୁ ନେଇ ଚିକିତ୍ସା କରାଇବା ଗରିବ ପରିବାର ପାଖରେ ସମ୍ଭବ ହେଉନି । ଜମିବାଡି କିଛି ନାହିଁ । ସସ୍ମିତାର ଚିକିତ୍ସା ପାଇଁ ବଡଭାଇଭଉଣୀ ଅଧାରୁ ପାଠ ଛାଡି କୁଲି ଖଟୁଛନ୍ତି । ଏବେ କରୋନା ପାଇଁ କାମଧନ୍ଦା ବି ମିଳୁନି । ଏଥିଯୋଗୁ ସସ୍ମିତାର ଚିକିତ୍ସା ହୋଇପାରୁନି । ଦିନକୁ ଦିନ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି । ଆଜି ମୁଙ୍ଗେଇ ଜିଲ୍ଲା ପ୍ରଶାସନକୁ ଗୁହାରି କରିଛନ୍ତି ସସ୍ମିତାର ମାଗଣା ଚିକିତ୍ସା କରାଇବା ପାଇଁ । ପ୍ରଶାସନ ପକ୍ଷରୁ ବାଲ୍ ସୁରକ୍ଷା କାର୍ଯ୍ୟକ୍ରମ ଜରିଆରେ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । କିନ୍ତୁ କୋରାପୁଟରେ ରହିବା ପାଇଁ ହାତରେ ଅର୍ଥ ନଥିବାରୁ ସସ୍ମିତାକୁ ଧରି ଗାଁକୁ ଫେରିଯିବାକୁ ବାଧ୍ୟ ହୋଇଛନ୍ତି ମୁଙ୍ଗେଇ । ତେବେ ଶୈଶବରେ ଯନ୍ତ୍ରଣା ଭୋଗୁଥିବା ସସ୍ମିତାର ଉପଯୁକ୍ତ ଚିକିତ୍ସା ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ନିବେଦନ କରାଯାଇଛି ।
ରିପୋର୍ଟ: ସତ୍ୟ ନାରାୟଣ ସାହୁ
Comments are closed, but trackbacks and pingbacks are open.