ନୀଳଗିରି,(ବି.ବି.ନ୍ୟୁଜ୍): ସରକାର ଜନ ସଂଖ୍ୟା ବୃଦ୍ଧିରେ ରୋକ୍ ଲଗାଇବା ପାଇଁ ଜନ୍ମ ନିୟନ୍ତ୍ରଣ ଯୋଜନାରେ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଅସ୍ତ୍ରୋପଚାର କରାଉଛନ୍ତି । ହେଲେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଜନୈକ ମହିଳାଙ୍କ ମୃତ୍ୟୁ ହୋଇଛି । ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକେ ଡାକ୍ତରଖାନା ସମ୍ମୁଖରେ ମୃତଦେହ ରଖି କ୍ଷତିପୂରଣ ଦାବିରେ ଧାରଣା ଦେଇଛନ୍ତି । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦାରେ ।
ଔପଦା ବ୍ଲକ ରାଏରାମଚନ୍ଦ୍ରପୁର ପଞ୍ଚାୟତ ଶୋରିଷପାଳ ଗ୍ରାମର ଗଜେନ୍ଦ୍ର ପାଢୀଙ୍କ ସ୍ତ୍ରୀ ଅନ୍ନପୂର୍ଣ୍ଣା (୨୮) ଗତ ୧୫ ତାରିଖରେ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ଈଶ୍ୱରପୁରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ । ସେଠାରେ ଶ୍ରୀମତୀ ପାଢୀଙ୍କୁ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ଫାତିମା ତିର୍କି ଅସ୍ତ୍ରୋପଚାର କରିବା ପରେ ତାଙ୍କୁ ଘରକୁ ପଠାଇ ଦେଇଥିଲେ । ମାତ୍ର ଅସ୍ତ୍ରୋପଚାର ପରଠୁ ସେ ଖାଦ୍ୟ ଗ୍ରହଣ କରିପାରୁନଥିବାରୁ ଅସୁସ୍ଥ ହୋଇପଡ଼ିଥିଲେ । ଏଣୁ ୧୮ ତାରିଖରେ ଚିକିତ୍ସା ପାଇଁ ଔପଦା ଡାକ୍ତରଖାନାକୁ ଅନ୍ନପୂର୍ଣ୍ଣାଙ୍କୁ ଅଣାଯାଇଥିଲା । ତାଙ୍କର ଜଳୀୟ ଅଂଶ କମିଯାଇଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ବାଲେଶ୍ୱର ଡାକ୍ତରଖାନାକୁ ନେଇ ଯିବାକୁ ପରାମର୍ଶ ଦେଇଥିଲେ । ପରିବାର ଲୋକେ ତାଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ପରୀକ୍ଷା ପରେ ତାଙ୍କର ଖାଦ୍ୟ ନଳୀରେ ସମସ୍ୟା ଥିବା ଜଣାପଡ଼ିଥିଲା । ଅବସ୍ଥା ସଂକଟାପନ୍ନ ଦେଖି କଟକ ଡାକ୍ତରଖାନାକୁ ନେଇଯିବା ପାଇଁ ଡାକ୍ତରମାନେ କହିଥିଲେ । ତୁରନ୍ତ ପରିବାର ଲୋକେ ମହିଳାଙ୍କୁ କଟକ ନେଇଯାଇଥିଲେ । ସେଠାରେ ଡାକ୍ତର ମହିଳାଙ୍କର ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ବଦଳରେ ଖାଦ୍ୟ ନଳୀ କଟିଯାଇଥିବାରୁ ଏପରି ହୋଇଛି ବୋଲି ଜାଣିପାରିଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା । ଶନିବାର ପରିବାର ଲୋକେ କଟକରୁ ମୃତଦେହ ଆଣିଥିଲେ । ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକେ ଔପଦା ଡାକ୍ତରଖାନା ସମ୍ମୁଖରେ ମୃତଦେହ ରଖି କ୍ଷତିପୂରଣ ସହ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ପାଇଁ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରି ଧାରଣାରେ ବସିଥିଲେ । ଏହାକୁ ନେଇ ଔପଦା ଅଞ୍ଚଳର ୫ଶହରୁ ଊଦ୍ଧ୍ୱର୍ ପୁରୁଷ, ମହିଳା ଏକତ୍ରିତ ହେବା ପରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ତହସିଲଦାର ପୀତାମ୍ବର ଭୋଇ, ଈଶ୍ୱରପୁରୁ ମେଡିକାଲ ଇନଚାର୍ଜ କୈଳାଶ ଚନ୍ଦ୍ର ବେହେରା, ଜିଲ୍ଲା ଯକ୍ଷ୍ମା ଅଧିକାରୀ ଗିରୀଶ ଚନ୍ଦ୍ର ପତି, ପରିବାର ନିୟୋଜନ ଅଧିକାରୀ ପରେଶ ଚନ୍ଦ୍ର ନନ୍ଦୀ, ଟୀକାକରଣ ଅଧିକାରୀ ସରୋଜକାନ୍ତ ନାୟକ, ଥାନା ଅଧିକାରୀ ପ୍ରଶାନ୍ତ କୁମାର ଜେନା, ସ୍ଥାନୀୟ ସରପଞ୍ଚ ଉଦୟ କୁମାର ସ, ଅତିରିକ୍ତ ତହସିଲଦାର ହେମନ୍ତ କୁମାର ନାୟକ, ଔପଦା ଡାକ୍ତର ଜିତେନ୍ଦ୍ର ନାଥ ବେହେରା ପ୍ରମୁଖ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିଲେ । ସରକାରଙ୍କ ବିଧି ବ୍ୟବସ୍ଥାରେ ୪ଲକ୍ଷ ଟଙ୍କା କ୍ଷତିପୂରଣ ସହ ରେଡ୍କ୍ରସ୍ ସଂସ୍ଥାରୁ ୧୦ହଜାର ଟଙ୍କା ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ପରିସ୍ଥିତି ଶାନ୍ତ ପଡ଼ିନଥିଲା । ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦ ୨୦ ଲକ୍ଷ ଟଙ୍କା, ମୃତକଙ୍କ ୮ ବର୍ଷ ଓ ୩ ବର୍ଷର ୨ କନ୍ୟା ସନ୍ତାନଙ୍କ ରକ୍ଷଣାବେକ୍ଷଣ ଦାୟିତ୍ୱ ସରକାର ବହନ କରନ୍ତୁ ଏବଂ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ଦାବି କରି ବସିଥିଲେ । ଶେଷରେ ପ୍ରଶାସନର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି ।
Comments are closed, but trackbacks and pingbacks are open.