ବନ୍ଧୁଗାଁ,(ବି.ବି.ନ୍ୟୁଜ): ଜମିଜମା ବିବାଦକୁ କେନ୍ଦ୍ର କରି ବନ୍ଧୁଗାଁ ଥାନା କାନାଗାଁ ପଞ୍ଚାୟତର ରାମଜୀପୁଟ ଗାଁରେ ଜଣେ ବ୍ୟକ୍ତିଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ମୃତ ବ୍ୟକ୍ତିଙ୍କ ନାଁ ଘାସି ମେଲେକା(୩୫) । ଏହି ଘଟଣା ପରେ ଅଭିଯୁକ୍ତ ସୀତାନା ମେଲେକା ବନ୍ଧୁଗାଁ ଥାନାରେ ଆତ୍ମସମର୍ପଣ କରିଛି । ପୁଲିସ୍ ଏକ ହତ୍ୟା ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚାଲୁ ରଖିଛି ।
ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୧୧ଟା ବେଳେ ଏହି ହତ୍ୟାକାଣ୍ଡ ଘଟିଛି । ରାମଜୀପୁଟ ଗାଁର ଘାସି ଓ ସୀତାନାଙ୍କ ମଧ୍ୟରେ ଜମିଜମା ବିବାଦ ରହିଥିଲା । ଏହାକୁ କେନ୍ଦ୍ର କରି ମଙ୍ଗଳବାର ରାତିରେ ଉଭୟଙ୍କ ମଧ୍ୟରେ ପ୍ରଥମେ ବଚସା ଓ ପରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ସୀତାନା ପ୍ରଥମେ ଘାସିଙ୍କ ଅଣ୍ଡକୋଷକୁ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ସେ ତଳେ ପଡ଼ିଯିବା ପରେ ସୀତାନା ତାଙ୍କ ଛାତି ଉପରେ ଏକ ବିରାଟ ପଥର ଛେଚି ଦେଇଥିଲା । ଘଟଣାସ୍ଥଳରେ ହିଁ ଘାସିଙ୍କ ମୃତ୍ୟୁ ହୋଇଥିଲା । ଆଜି ସକାଳେ ଅଭିଯୁକ୍ତ ସୀତାନା ଏ ସମ୍ପର୍କରେ ଗାଁ ମୁଖିଆ ଓ ଅନ୍ୟମାନଙ୍କୁ ଜଣାଇଥିଲା । ଘାସିଙ୍କୁ ହତ୍ୟା କରିଥିବା ସ୍ୱୀକାର କରିବା ସହ ଥାନାରେ ଆତ୍ମସମର୍ପଣ କରିବାରେ ସହାୟତା କରିବାକୁ ଗାଁ ଲୋକଙ୍କୁ କହିଥିଲା । ଏହାପରେ ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିଲା । ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାରକୁ ହସ୍ତାନ୍ତର କରିଛି । ସୂଚନା ଥାଉକି, ପୂର୍ବରୁ ମନୋମାଳିନ୍ୟ ଯୋଗୁ ଘାସିଙ୍କ ସ୍ତ୍ରୀ କତାଇ ମେଲେକା ଓ ତାଙ୍କ ଦୁଇ ଛୁଆ ଘର ଛାଡ଼ିଛନ୍ତି । କତାଇ ଏବେ ଭାଇଘରେ ଆଶ୍ରୟ ନେଇଥିବା ଜଣାପଡିଛି ।
Comments are closed, but trackbacks and pingbacks are open.