ଅନୁଗୁଳ,(ବି.ବି.ନୁ୍ୟଜ୍): ଦାଉ ସାଧିଛି ପ୍ରାକୃତିକ ଦୁର୍ବିପାକ । ପ୍ରଥମେ କରୋନା, ନିଅଣ୍ଟିଆ ବର୍ଷା ପରେ ଏବେ ଚାଷୀର ସବୁ ଆଶା ଚୂର୍ମାର୍ କରିଛି ବନ୍ୟା । ଧାନଗଛ ବଢ଼ିବା ବେଳକୁ ବୁଡ଼ାଇଛି ବନ୍ୟାପାଣି । ସଦ୍ୟ ରୁଆ ହୋଇଥିବା ଧାନ ତଳି ଧୋଇଯାଇଛି । ଅନେକ ଜମି ଜଳମଗ୍ନ ଥିବାରୁ ଧାନ ଗଛ ପଚି ନଷ୍ଟ ହୋଇଛି । କୃଷି ବିଭାଗ ସୂଚନା ମୁତାବକ, ଜିଲ୍ଲାରେ ମୋଟ୍ ୧୯୭୦ ହେକ୍ଟର ଫସଲ ବନ୍ୟାରେ ଡୁବିଛି । ସେପଟେ ଜଳବନ୍ଦୀ ହୋଇ ରହିଥିବା କୃଷକ ଏବେ ସରକାରୀ ସହାୟତାକୁ ଚାହିଁ ରହିଛନ୍ତି । ପାଣି ଛାଡ଼ିବା ପରେ ତୁରନ୍ତ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି କୃଷ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଅନୁଗୁଳ ଜିଲ୍ଲାରେ ଚଳିତ ବର୍ଷ ଖରିଫ୍ ଋତୁରେ ମୋଟ୍ ୮୭ ହଜାର ୫୦ ହେକ୍ଟର ଜମିରେ ଚାଷ ହୋଇଛି । ଏଥିରୁ ୮୩ ହଜାର ୮୪୮ ହେକ୍ଟରରେ ଧାନ ଓ ଅବଶିଷ୍ଟ ଜମିରେ ଅଣଧାନ ଚାଷ କରାଯାଇଛି । ମାତ୍ର ବାରମ୍ବାର ପ୍ରକୃତିର ଦାଉରେ ଚାଷୀକୂଳ ସାଙ୍ଘାତିକ ଭାବେ ପ୍ରଭାବିତ ହୋଇଛି । ନିଅଣ୍ଟିଆ ବର୍ଷା ଯୋଗୁଁ ଚଳିତ ବର୍ଷ ରୁଆ ବେଉଷଣ ପୂରା ପଛେଇ ଯାଇଥିଲା । ଧାରା ଶ୍ରାବଣ ଶୁଖିଲା ପଡ଼ିଲା । ଅଗଷ୍ଟ ଅଧା ପର୍ଯ୍ୟନ୍ତ ବେଉଷଣ ସାରିନଥିଲା ଚାଷୀ । ସେପଟେ ଧାନଗଛ ବଢ଼ିବା ଆରମ୍ଭ ହେବା ବେଳକୁ ବନ୍ୟା ଦାଉ ସାଧିଲା । ଜିଲ୍ଲା କୃଷି ବିଭାଗ ସୂଚନା ମୁତାବକ, ଅନୁଗୁଳ, ଆଠମଲ୍ଲିକ, ବଅଁରପାଳ ଓ ତାଳଚେର ବ୍ଲକର ଫସଲ ଉଜୁଡିଛି । ଆଠମଲ୍ଲିକ ବ୍ଲକ୍ର ସର୍ବାଧିକ ୧୫୪୪ ହେକ୍ଟର ଜମି ଜଳମଗ୍ନ ହୋଇଛି । ଏପର୍ଯ୍ୟନ୍ତ ଜମିରୁ ପାଣି ଛାଡ଼ିନି । ପାଣି ଛାଡ଼ିବାକୁ ଆହୁରି ସମୟ ଲାଗିବ । ତେବେ ସପ୍ତାହେରୁ ଅଧିକ ସମୟ ପାଣି ଜମି ରହିବାରୁ ବ୍ୟାପକ ଫସଲ ନଷ୍ଟ ହୋଇଛି । ଯେଉଁ ଅଞ୍ଚଳରେ ବର୍ଷା ଜଳ ଛାଡ଼ୁଛି, ସେଠାରେ ଉଜୁଡ଼ା ଫସଲର ଚିତ୍ର ସାମ୍ନାକୁ ଆସୁଛି । ନିକଟରେ ରୁଆ ଯାଇଥିବା ଧାନଗଛ ସବୁ ଭାସିଯାଇଛି । ଯେଉଁ ଧାନଗଛଗୁଡିକର ଚେର ମାଟିକୁ ଧରି ସାରିଛି, ସେଗୁଡିକ ଅଧିକ ଦିନ ଜଳମଗ୍ନ ଥିବାରୁ ପଚିଯାଇଥିବା ଦେଖାଯାଇଛି । ସେହିପରି ଅନୁଗୁଳ ବ୍ଲକର ୧୫୯ ହେକ୍ଟର ଫସଲ, ତାଳଚେର ବ୍ଲକର ୧୧୭ ହେକ୍ଟର ଓ ବଅଁରପାଳର ୧୫୦ ହେକ୍ଟର ଜମି ଜଳମଗ୍ନ ହୋଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଠମଲ୍ଲିକ ବ୍ଲକର କିଆକଟା, ବାସୁଦେବପୁର, କନ୍ଧପଡ଼ା, କମ୍ପଲା, ଲୁଣହାଣ୍ଡି, କୁଦଗାଁ, ପୁରୁଣାମାଣିତ୍ରୀ, ନଅଗାଁ, ଅଏଡ଼ା, ଲୁହାସିଂହା ଓ ଜାମୁଡୋଲି ପଞ୍ଚାୟତର ଶହ ଶହ ହେକ୍ଟର ଜମିର ଫସଲ ଉଜୁଡିଯାଇଛି । ଧାନଚାଷ ସହ ବିଭିନ୍ନ ପ୍ରକାର ପନିପରିବା ଚାଷ ମଧ୍ୟ ବନ୍ୟାପାଣିରେ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଅନୁଗୁଳ ବ୍ଲକ ସାତକୋଶିଆ ଅଞ୍ଚଳର ଗଇଁଦି, ବେହେରାସାହି, ମଝିପଡ଼ା, ଟାଇଁସି ଆଦି ଅଞ୍ଚଳର ଧାନ ଫସଲ ଉଜୁଡି ଯାଇଥିବା ବେଳେ ଅବିଳମ୍ବେ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହୋଇଛି ।
ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭୋଳାଶଙ୍କର ବେହେରା କହିଛନ୍ତି, ବନ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଛି ଆଠମଲ୍ଲିକ ବ୍ଲକ । ଅନୁଗୁଳ, ବଅଁରପାଳ, ତାଳଚେର ବ୍ଲକର ଧାନ ଓ ଅନ୍ୟାନ୍ୟ ଫସଲ ମଧ୍ୟ ଜଳମଗ୍ନ ହୋଇଛି । ୭ ଦିନରୁ ଅଧିକ ସମୟ ବୁଡ଼ି ରହିଥିବା ଧାନଗଛ ନଷ୍ଟ ହୋଇସାରିବଣି । ନୂଆ କରି ରୁଆ ଯାଇଥିବା ଧାନଗଛ ଭାସିଯାଇଛି । ଧିରେ ଧିରେ ବନ୍ୟା ଜଳ ଛାଡ଼ୁଛି । ହୀରାକୁଦର ସମସ୍ତ ଗେଟ୍ ବନ୍ଦ ହେବା ପରେ ପାଣି ଛାଡ଼ିବାକୁ ୮ରୁ ୯ ଘଣ୍ଟା ଲାଗିବ । ପାଣି ଛାଡ଼ିବା ପରେ ତହସିଲ୍ଦାର ଓ ଆର୍ଆଇ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବା ପରେ ସରକାରଙ୍କ ନିଦେ୍ର୍ଧଶ ମୁତାବକ କ୍ଷତିପୂରଣ ଯୋଗାଇ ଦିଆଯିବ ।
ସେପଟେ ଜିଲ୍ଲା ପାଇଁ ୫ ହଜାର ଟନ୍ ୟୁରିଆ ଆବଶ୍ୟକ । ଏପର୍ଯ୍ୟନ୍ତ ୪୩୦୦ ଟନ୍ ଯୋଗାଇ ଦିଆଯାଇଛି । ଆଠମଲ୍ଲିକ ଓ କିଶୋରନଗର ବ୍ଲକ ପାଇଁ ସମ୍ବଲପୁର ର୍ୟାକ୍ରୁ ଦିନେ କି ଦୁଇଦିନ ମଧ୍ୟରେ ଆଉ ୪ ଶହରୁ ୫ ଶହ ଟନ୍ ୟୁରିଆ ଆସିବ । ଅନ୍ୟ ୬ଟି ବ୍ଲକରେ ଖୋଲା ବଜାରରେ ଯଥେଷ୍ଟ ୟୁରିଆ ମହଜୁଦ୍ ଅଛି । କଳାବଜାରୀ ରୋକିବାକୁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି । ଯେଉଁଠି ବ୍ୟବସାୟୀ ଅଧିକ ଦର କଷିବେ, ଚାଷୀ ଅଭିଯୋଗ କଲେ ତୁରନ୍ତ ଚଢ଼ଉ କରି ସମ୍ପୃକ୍ତ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁÂାନ ହେବ । କଳାବଜାରୀ ରୋକିବା ଦିଗରେ ଚାଷୀଙ୍କ ସହଯୋଗ ଦରକାର ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।
Comments are closed, but trackbacks and pingbacks are open.