
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ୍ ୨୦୧୯ ଓ ରାଜ୍ୟରେ ରାଷ୍ଟ୍ରପତି ଶାସନ ୬ମାସ ବୃଦ୍ଧି ପ୍ରସ୍ତାବ ବିଲ୍ ସଂସଦରେ ଗୃହୀତ ହୋଇଛି । ଗତ ୨୮ ତାରିଖରେ ଏହା ଲୋକସଭାରେ ଗୃହୀତ ହୋଇଥିଲା ବେଳେ ଆଜି ରାଜ୍ୟସଭାରେ ଗୃହୀତ ହୋଇଛି । ଉଭୟ ବିଲ୍କୁ ରାଜ୍ୟସଭାରେ ବିଜେଡି, ଟିଏମ୍ସି, ଶିବସେନା, ୱାଇଏସ୍ଆର କଂଗ୍ରେସ ପାର୍ଟି, ଜେଡିୟୁ, ଆରଜେଡି, ସପା ସମେତ ଅନ୍ୟ କେତେକ ଦଳ ସମର୍ଥନ କରିଥିଲେ । ଫଳରେ ବିଲ୍ ଗୃହୀତ ହେବାରେ ସମସ୍ୟା ଉପୁଜି ନଥିଲା ।
ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ ବିଲ୍ ଆଗତ କରିବା ସହିତ ତା ଉପରେ ବିତର୍କ ଆରମ୍ଭ କରିଥିଲେ । କହିଥିଲେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଆତଙ୍କବାଦ ପ୍ରତି କଠୋର ଆଭିମୁଖ୍ୟ ପୋଷଣ କରୁଛନ୍ତି । ସମସ୍ତେ ଜାଣିଛନ୍ତି କାଶ୍ମୀର ଆମର । ଏହାକୁ ଆମଠାରୁ କେହି ଛଡାଇ ନେଇପାରିବେ ନାହିଁ । ଅଟଳ ବିହାରୀ ବାଜପେୟୀ କହିଥିଲେ କାଶ୍ମୀର ସମସ୍ୟାର ସମାଧାନ ଜମ୍ମୁରିୟତ, କାଶ୍ମୀରିୟତ ଓ ଇନ୍ସାନିୟତ ଭିତରେ ରହିଛି । ମୋଦି ସରକାର ମଧ୍ୟ ଅଟଳଜୀଙ୍କ ସେହି ମାର୍ଗ ଅନୁସରଣ କରୁଛନ୍ତି । ରାଷ୍ଟ୍ରପତି ଶାସନ ଦ୍ୱାରା ଜମ୍ମୁ-କାଶ୍ମୀରକୁ ଶାସନ କରିବାର କୌଣସି ଉଦ୍ଦେଶ୍ୟ ବିଜେପିର ନାହିଁ । ଈଶ୍ୱରଙ୍କ କୃପାରୁ ଓ ମୋଦିଜୀଙ୍କ ଲୋକପ୍ରିୟତା କାରଣରୁ ବିଜେପି ଏବେ ୧୬ଟି ରାଜ୍ୟରେ କ୍ଷମତାସୀନ ଅଛି । ସୁରକ୍ଷା କାରଣରୁ ଲୋକସଭା ନିର୍ବାଚନ ସହ ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ କରାଗଲା ନାହିଁ ବୋଲି ଶାହ କହିଛନ୍ତି । ବିଜେପି-ପିଡିପି ମେଣ୍ଟ ସରକାର ବେଳେ ବିଚ୍ଛିନ୍ନତାବାଦୀ ଉତ୍ସାହିତ ହେବା ଜାଣିବା ପରେ ଆମେ ମେଣ୍ଟ ଭାଙ୍ଗିଲୁ ବୋଲି ଶାହ କହିଛନ୍ତି ।
ନେହରୁଙ୍କ ନାମରେ ଦେଶବାସୀଙ୍କୁ ବିଜେପି ଭୁଲ ତଥ୍ୟ ଦେଉଛି ବୋଲି କଂଗ୍ରେସ ନେତା ଗୁଲାମନବୀ ଆଜାଦ ଓ ଆରଜେଡି ନେତା ମନୋଜ ଝା ଯେଉଁ ଅଭିଯୋଗ ଆଣିଛନ୍ତି ତାକୁ ଶାହ ଖଣ୍ଡନ କରିଛନ୍ତି । କହିଛନ୍ତି ଆମର ଏଭଳି କୌଣସି ଉଦ୍ଦେଶ୍ୟ ନଥିଲା କିମ୍ବା ଏବେ ବି ନାର୍ହିଁ । କିନ୍ତୁ ଯେଉଁଦେଶ ଅତୀତ ଇତିହାସର ଭୁଲରୁ କିଛି ଶିକ୍ଷାଲାଭ କରିପାରିଲା ନାର୍ହିଁ, ସେହିଦେଶର ଭବିଷ୍ୟତ କେବେ ବି ଉଜ୍ୱଳ ହେବନାହିଁ । କାଶ୍ମୀରର ୩ ଭାଗ ପାକିସ୍ତାନ ଅଧୀନରେ ରହିଥିଲା ବେଳେ ନେହରୁ ଯୁଦ୍ଧବିରତି ଘୋଷଣା କରି ସବୁ ସମସ୍ୟା ସୃଷ୍ଟି କରିଛନ୍ତି । ନିର୍ବାଚନ କମିଶନ ଚଳିତବର୍ଷ ଶେଷ ବେଳକୁ ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ କରାଇବା ଲାଗି ଚାହିଁଛନ୍ତି । ସେଥିପାଇଁ ରାଷ୍ଟ୍ରପତି ଶାସନର ମିଆଦ ଆଉ ୬ମାସ ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି । ପୂର୍ବରୁ ଜାରି ରହିଥିବା ରାଷ୍ଟ୍ରପତି ମିଆଦର ଅବଧି ଜୁଲାଇ ୩ରେ ଶେଷ ହେବ । ସେହିଭଳି ସଂରକ୍ଷଣ ବିଲ୍ ଗୃହୀତ ଯୋଗୁ ଅନ୍ତର୍ଜାତୀୟ ସୀମା ନିକଟରେ ବସବାସ କରୁଥିବା ଲୋକମାନେ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ୩ ପ୍ରତିଶତ ସଂରକ୍ଷଣ ସୁବିଧା ପାଇପାରିବେ । ବିଜେଡି ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ ଆଲୋଚନାରେ ଭାଗ ନେଇ କହିଥିଲେ ଯେ ୩ ତାରିଖରେ ରାଷ୍ଟ୍ରପତି ଶାସନ ମିଆଦ ଶେଷ ହେଉଥିବାରୁ ଏହାକୁ ବଢ଼ାଇବାର ଆବଶ୍ୟକତା ରହିଛି । କଂଗ୍ରେସ ନେତା ଗୁଲାମନବୀ ଆଜାଦ ଆଲୋଚନାରେ ଭାଗ ନେଇ ବିଲ୍କୁ ସମର୍ଥନ କରିବା ସହ ସଂରକ୍ଷଣ ସୁବିଧା ୫-୬ ପ୍ରତିଶତ କରିବାକୁ ଦାବି କରିଥିଲେ ।
Comments are closed, but trackbacks and pingbacks are open.