କଟକ,(ବି.ବି.ନୁ୍ୟଜ): ଜର୍ଦ୍ଧା ଓ ଗୁଣ୍ଡିରେ ମିଶାଯାଉଥିଲା ବିଭିନ୍ନ ଗଛର ଶୁଖିଲା ପତ୍ର, କରତ ଗୁଣ୍ଡ, ଇଟା ଗୁଣ୍ଡ ସହ କେମିକାଲ୍ । ପ୍ରସ୍ତୁତ ହେଉଥିଲା ନକଲି ଜର୍ଦ୍ଧା, ଗୁଣ୍ଡି, ପାନମସଲା । ଦୀର୍ଘ ୧୪ ବର୍ଷ ହେବ ନିଧଡ଼କ, ବେପରବାୟ ଭାବେ ଚାଲିଥିଲା ଏହି କଳା ବେପାର । -କଟକ ସହର ଉପକଣ୍ଠରେ ତଥା ସଦର ଥାନା ଅଞ୍ଚଳରେ ଥିବା ଏଭଳି ଏକ ନକଲି ଅପମିଶ୍ରିତ ଜର୍ଦ୍ଧା କାରଖାନାକୁ ପୁଲିସ ଆଜି ଠାବ କରିଛି । ଫୁଲନଖରା ନିକଟ ସାଶୋଳ ଗା୍ରମରେ ଥିବା ଏହି କାରଖାନା ଉପରେ ପୁଲିସ ଓ ପ୍ରଶାସନ ମିଳିତ ଭାବେ ଚଢ଼ଉ କରିଛି । ଚଢ଼ଉ ବେଳେ କାରଖାନରୁ ପ୍ରାୟ ୨୫ ଲକ୍ଷ ଟଙ୍କାର ନକଲି ବା ଅପମିଶ୍ରିତ ପାନମସଲା ଜବତ ହୋଇଛି । ଘଟଣାରେ କାରଖାନା ମାଲିକଙ୍କୁ ପୁଲିସ ଅଟକ ରଖିଥିବା ବେଳେ ଏହିଭଳି ଆଉ କିଛି ନକଲି ପାନମସଲା କାରଖାନା ଉପରେ ଚଢ଼ଉ କରିବାକୁ ପ୍ରସ୍ତୁତ ହେଉଛି ।
କଟକରେ ନକଲି ସାମଗ୍ରୀ ପ୍ରସ୍ତୁତ କରିବାରେ ଯେପରି ବ୍ୟବସାୟୀଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଲାଗିଛି । ସହରରୁ ଗାଁ ପର୍ଯ୍ୟନ୍ତ ଏହି ନକଲି ସାମଗ୍ରୀ ତିଆରି ଓ କାରବାରର ଚେର ଲମ୍ବିଛି । ଅଳ୍ପ ଖର୍ଚ୍ଚରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାର ଲୋଭରେ ଅସାଧୁ ବ୍ୟବସାୟୀମାନେ ସାଧାରଣ ଲୋକଙ୍କ ଜୀବନକୁ ବିପଦରେ ପକାଉଛନ୍ତି । ପ୍ରଥମେ ଦେଶୀ ଘିଅ, ଖାଇବା ତେଲ, ପାଉରୁଟି, ପନିର, ଚା ପତି, ସୋୟାବଡ଼ି, ମସଲା ଆଦି ନକଲି ହେଉଥିବା ବିଷୟ ଜଣାପଡ଼ିବା ପରେ ଏବେ ଜର୍ଦ୍ଧା ଓ ଗୁଣ୍ଡି ଭଳି ପାନମସଲା ବି ନକଲି ଭାବେ ପ୍ରସ୍ତୁତ ହେଉଥିବା ଘଟଣା ପଦାକୁ ଆସିଛି । ଗତ ୩ ମାସ ଭିତରେ କଟକ ସହର ଓ ଏହାର ଉପକଣ୍ଠରେ ପୁଲିସ ଏବଂ ପ୍ରଶାସନର ମିଳିତ ଚଢ଼ଉ ଜାରି ରହିଥିଲେ ବି ଅସାଧୁ ବ୍ୟବସାୟୀଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ୁନାହିଁ । କେବଳ କଟକ ସଦର ଥାନା ଅଂଚଳରେ ଏହା ମଧ୍ୟରେ ୫ଟି ନକଲି କାରଖାନା ଠାବ ହୋଇସାରିଲାଣି । ସଦର ଅଞ୍ଚଳରେ ପ୍ରଥମେ ନକଲି ସିମେଣ୍ଟ କାରଖାନା ପରେ ଭେଜାଲ ତେଲ, ଦେଶୀ ଘିଅ, ଚା’ପତି ଓ ଏବେ ନକଲି ପାନମସଲା କାରଖାନାର ପର୍ଦ୍ଧାଫାସ ହୋଇଛି । ଦିନକୁ ଦିନ ଏହି ଅଞ୍ଚଳରେ ନକଲି ସାମଗ୍ରୀ ତାର କାୟା ବିସ୍ତାର କରିଚାଲିଛି ।
ନକଲି ବିରୋଧରେ କଟକ କମିସନରେଟ ପୁଲିସ ଆରମ୍ଭ କରିଥିବା ସିରିଜ୍ ଚଢ଼ଉ ଏହା ମଧ୍ୟରେ ୨୪ରେ ପହଞ୍ଚିଛି । ଏହି କ୍ରମରେ ଆଜି ସଦର ଥାନା ସାଶୋଳ ଗ୍ରାମରୁ ନକଲି ଗୁଣ୍ଡି ଓ ଜର୍ଦ୍ଧା କାରଖାନା ଠାବ ହୋଇଛି । ସାଶୋଳ ଗ୍ରାମରେ ଦୀର୍ଘ ୧୪ ବର୍ଷ ଧରି ଏହି ନକଲି ଜର୍ଦ୍ଧା ଓ ଗୁଣ୍ଡି କାରଖାନା ଚାଲିଥିଲା । ଚଢ଼ଉ ସମୟରେ କାରଖାନା ସହ ୪ଟି ଘରେ ରଖାଯାଇଥିବା ଭେଜାଲ ଜର୍ଦ୍ଧା ଓ ଗୁଟଖା ସମେତ ଏଥିରେ ବ୍ୟବହୃତ ୨୦ କ୍ୱିଣ୍ଟାଲରୁ ଅଧିକ ଓଜନର କଞ୍ଚାମାଲ ଓ ୨ ଶହ ବୋତଲ ରାସାୟନିକ ପଦାର୍ଥ ବା କେମିକାଲ୍ ଜବତ ହୋଇଛି । ଏସବୁର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ । ପାନମସଲା ପ୍ରସ୍ତୁତ ପାଇଁ କୋଲକାତାରୁ ଏସବୁ ନକଲି ସାମଗ୍ରୀ ଆସୁଥିଲା । ବିଭିନ୍ନ ପ୍ରକାର ଶୁଖିଲା ପତ୍ର, କରତ ଗୁଣ୍ଡ, ଇଟା ଗୁଣ୍ଡ, ବିଭିନ୍ନ ଗଛର ଶୁଖିଲା ଚୋପା, ବକଳ, ରାସାୟନିକ ପଦାର୍ଥ, ମିଥାଇଲ୍ ଆଲକୋହଲ୍, ରଙ୍ଗ ଓ ସୁଗନ୍ଧିତ ତୈଳ, ଏସେନସ ଆଦି ବ୍ୟବହାର କରାଯାଇ ନକଲି ଜର୍ଦ୍ଧା ଓ ଗୁଣ୍ଡି ପ୍ରସ୍ତୁତ ହେଉଥିଲା । ତେବେ ଅପମିଶ୍ରଣ ସାମଗ୍ରୀ ତିଆରିରେ ବ୍ୟବହାର ହେଉଥିବା ରାସାୟନିକ ପଦାର୍ଥ ଦ୍ୱାରା ଶରୀରର ଲିଭର୍ ଓ କିଡ଼ନୀ ନଷ୍ଟ ହେବା ସହ କର୍କଟ ପରି ଜଟିଳ ରୋଗ ହେବାର ଆଶଙ୍କା ରହିଥିବା ଡାକ୍ତରମାନେ ମତ ଦେଉଛନ୍ତି । ଏହି ଘଟଣାରେ ପୁଲିସ ଆଜି କାରଖାନା ମାଲିକଙ୍କୁ ଧରି ନେଇ ଥାନାରେ ଅଟକ ରଖିଛି । ସମ୍ଭତଃ ତାଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ । ତେବେ ସଦର ଅଞ୍ଚଳରେ ଏଭଳି ଆଉ କିଛି ନକଲି ଜର୍ଦ୍ଧା କାରଖାନା ଚାଲୁଥିବା ନେଇ ପୁଲିସ ସୂଚନା ପାଇଛି । ଏନେଇ କଡ଼ା ଯାଞ୍ଚ୍ କରାଯାଉଛି । ଅଧିକ ସୂଚନା ହସ୍ତଗତ ହେବା ପରେ ସେସବୁ କାରଖାନାରେ ଚଢ଼ଉ କରାଯିବ ବୋଲି ଥାନା ଅଧିକାରୀ ସୁଧାଂଶୁ ଭୂଷଣ ଜେନା ସୂଚନା ଦେଇଛନ୍ତି । ଆଜିର ଏହି ଚଢ଼ଉରେ ଅତିରିକ୍ତ ଥାନା ଅଧିକାରୀ ଅନୀତା ସାହୁ ଓ କଟକ ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀ ରାକେଶ କୁମାର ସାହୁଙ୍କ ସମେତ ବହୁ ପୁଲିସ କର୍ମଚାରୀ ସାମିଲ ହୋଇଥିଲେ ।
Comments are closed, but trackbacks and pingbacks are open.