ଜଳୁଛି ମାଲ୍ୟବନ୍ତ, ଭୀମାରାଙ୍ଗିଣୀ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ):ଗତ ଦୁଇଦିନ ହେଲା ମାଲକାନଗିରି ଜିଲ୍ଲାର ମାଲ୍ୟବନ୍ତ ପର୍ବତରେ ନିଆଁ ଲାଗିଛି । ଗୋଇପାହାଡ, ଭୀମାରାଙ୍ଗିଣୀ, କୁକୁଡାଗୁଡା, ଚାଲାଣଗୁଡା, ମାନ୍ୟମକୋଣ୍ଡା ଓ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଅନେକ ପାହାଡରେ ନିଆଁ ଜଳୁଛି । ଶତାଧିକ ହେକ୍ଟର ଜଙ୍ଗଲ ପାଉଁଶ ହେବାରେ ଲାଗିଛି । ନିଆଁ ଲିଭାଇବାକୁ ବନ ସୁରକ୍ଷା ସମିତି ଉଦ୍ୟମ କରିଥିଲେ ହେଁ ଏହା କେବଳ ଲୋକ ଦେଖାଣିଆ ଜଣାପଡିଛି ।
ସୂଚନା ଅନୁସାରେ, ଗତ ଦୁଇଦିନ ହେଲା ଉକ୍ତ ପାହାଡଗୁଡିକରେ ନିଅାଁ ଆୟତ୍ତ ହେବାର ନାଁ ଧରୁନି । ଜଙ୍ଗଲ ମଧ୍ୟରେ ଉଚ୍ଚ ଶିଖାରେ ନିଆଁ ଜଳୁଥିବା ବହୁ ଦୂରକୁ ଦେଖାଯାଉଛି । ଛୋଟରୁ ବଡ ପର୍ଯ୍ୟନ୍ତ ଓ ମୂଲ୍ୟବାନ ଗଛସବୁ ପୋଡିଯିବାରେ ଲାଗିଛି । ନିଆଁ ଲିଭାଇ ଏହାକୁ ଆୟତ୍ତ କରିବାକୁ ବନ ସୁରକ୍ଷା କମଟି ଗଠନ ହୋଇଛି । କମିଟି ସଦସ୍ୟମାନେ ଜଙ୍ଗଲ ମଧ୍ୟକୁ ଯାଇ ପାଣି ବାଲଟି, ମାଠିଆ ଧରି ନିଆଁ ଲିଭାଇବା ସହ ଡାଳପତ୍ର ଧରି ନିଆଁକୁ ଆୟତ୍ତ କରୁଛନ୍ତି । ନିଆଁ ଲିଭିବା ନାଁ ଧରୁ ନଥିବାବେଳେ କମିଟିର କାମ ଲୋକ ଦେଖାଣିଆ ହେଉଥିବା ଦେଖିବାକୁ ମିଳୁଛି । ପାହଡରୁ ଜଙ୍ଗଲକୁ ନିଅାଁ ବ୍ୟାପିବାରେ ଲାଗିଛି । ଆଖପାଖ ପ୍ରାୟ ଜଙ୍ଗଲ ଓ ପାହାଡରେ ନିଆଁ ଲାଗିଥିବାରୁ ମାଲକାନଗିରି, କୋରୁକୋଣ୍ଡା, ବାଲିମେଳା ଓ କାଲିମେଳା ସହର ପରିବେଶ ତତଲା ହୋଇପଡିଛି । ଜଙ୍ଗଲରେ ନିଅାଁ ଆୟତ୍ତ କରିବାକୁ ଜିଲ୍ଲାର ପ୍ରତି ରେଞ୍ଜରେ ୧୦ ଜଣ ବନ କର୍ମଚାରୀଙ୍କୁ ନେଇ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରାଯାଇଛି । କେତେକସ୍ଥାନରେ ଏହି ଟାସ୍କଫୋର୍ସ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି । ବନାଞ୍ଚଳ ଅଧୀନ ଗାଁଗୁଡିକରେ ନୂତନ ବନ ସୁରକ୍ଷା ସମିତି ଗଠନ କରାଯାଇଛି । ଅଗ୍ନି ନିରୋଧ ରେଖା(ଫାୟାର ଲାଇନ) କାଟିବା, ଶୁଖିଲା ପତ୍ରଡାଳ ନିୟମିତ ସଫା କରିବା, ନିକଟରେ ବାଲି, ମାଟି ଅବା ପାଣି ଥିଲେ ସେଥିରେ ନିଅାଁକୁ ଲିଭାଇବା, ଜଙ୍ଗଲ ନିଅାଁ ଲିଭାଇବାରେ ସଫଳ ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରିବା ଆଦି କାର୍ଯ୍ୟକ୍ରମ ଜୋର୍ କରାଯାଇଛି । ସେହିପରି, ବନ୍ୟ ସଂପଦ ଓ ଜଙ୍ଗଲ ପରିବେଶ ସୁରକ୍ଷା ନେଇ ବିଭାଗ ପକ୍ଷରୁ କିଛି ଦିନହେଲା ବିଭିନ୍ନ ଗାଁରେ ସଚେତନତା ଶିବିର କରାଯାଉଛି । ବନ ସୁରକ୍ଷା ସମିତି ସଦସ୍ୟଙ୍କୁ ତାଲିମ ଦିଆଯାଉଛି । ଜିଲ୍ଲା ବନଖଣ୍ଡୀୟ ଅଧିକାରୀ ପ୍ରଦୀପ ଦେବୀଦାସ ମିରସେ୍ଙ୍କ ନେତୃତ୍ୱରେ ଏହିସବୁ କାମ କରାଯାଉଛି । ସୂଚନାଯୋଗ୍ୟ, ଜିଲ୍ଲାରେ ପୋଡୁଚାଷ ସହ କେନ୍ଦୁ, ମହୁଲ, ଶାଳମଞ୍ଜି, ଝୁଣା, ମହୁ ଆଦି ବନ୍ୟଜାତ ସାମଗ୍ରୀ ସଂଗ୍ରହ ଓ ପଶୁ ଶିକାର ପାଇଁ ଲୋକେ ଗାଁ ପାଖ ଜଙ୍ଗଲରେ ନିଆଁ ଲଗାଇ ଦେଇଥାନ୍ତି । ଏଥିଯୋଗୁ ବହୁ ମୂଲ୍ୟବାନ ଗଛ ସହ ବନ୍ୟ ସଂପଦ ଓ ପଶୁପକ୍ଷୀ ଧ୍ୱଂସ ହୋଇଥାନ୍ତି । ପ୍ରତିବର୍ଷ ଖରାଦିନ ଆସିଲେ ଜିଲ୍ଲାର ବିଭିନ୍ନ ପାହଡ ଜଙ୍ଗଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଥିବା ବେଳେ ନିଅାଁ ଆୟତ୍ତ କରିବାକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଏ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons