ଜାଗର ସୁଦ୍ଧା ସାର ଆଖିଦୃଶିଆ କାମ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶ୍ରୀକ୍ଷେତ୍ର ପରେ ଏକାମ୍ର କ୍ଷେତ୍ର । ଝଲସିବ ଏକାମ୍ରକ୍ଷେତ୍ର । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଚତୁଃପାଶ୍ୱର୍ର କରାଯିବ ଭବ୍ୟ ନବୀକରଣ । ଏକାମ୍ର କ୍ଷେତ୍ର ଯୋଜନା ପ୍ରସ୍ତୁତ ହୋଇଥିଲା ବେଳେ ପ୍ରକଳ୍ପର ଆଖିଦୃଶିଆ କାମ ଆସନ୍ତା ମହାଶିବରାତ୍ରୀ ପୂର୍ବରୁ ଶେଷ ହେବ । ଏଥିପାଇଁ ପ୍ରକଳ୍ପ କାମ ତ୍ୱରିତ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ (୫ଟି) ସଚିବ ଭି କେ ପାଣ୍ଡିଆନ୍ ।
ଏକାମ୍ର କ୍ଷେତ୍ର ପ୍ରକଳ୍ପ କାମର ସ୍ଥିତି ଅନୁଧ୍ୟାନ କରିବାକୁ ଆଜି ସକାଳୁ ସକାଳୁ ଲିଙ୍ଗରାଜ ମନ୍ଦିର ନିକଟରେ ପହଞ୍ଚିଥିଲେ ପାଣ୍ଡିଆନ୍ । ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିବା ସହ ନିର୍ମାଣ କାମର ସ୍ଥିତାବସ୍ଥା ସଂପର୍କରେ ସମୀକ୍ଷା କରିଥିଲେ । ନଭେମ୍ବର ମାସ ସୁଦ୍ଧା ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାମ ସାରିବାକୁ ସେ ନିଦେ୍ର୍ଧଶ ଦେବା ସହ ଏ ଦିଗରେ ଥିବା ପ୍ରତିବନ୍ଧକ ହଟାଇବା ଉପରେ ଜୋର୍ ଦେଇଛନ୍ତି । ଆବଶ୍ୟକ ଜମି ମଧ୍ୟରୁ ୮୦ ପ୍ରତିଶତ ଅଧିଗ୍ରହଣ ହୋଇ ସାରିଥିବାରୁ ସେ ଖୁସି ଜାହିର କରିଥିଲେ । କୋଭିଡ୍ କଟକଣା ଭିତରେ ଅଫିସରମାନେ ତ୍ୱରିତ କାମ କରିଥିବାରୁ ପ୍ରଶଂସା ମଧ୍ୟ କରିଥିଲେ ।
ଜାଗର ପୂର୍ବରୁ ମନ୍ଦିରକୁ ସଂଯୋଗ କରିବାକୁ ଥିବା ରାସ୍ତାର ପ୍ରଶସ୍ତିକରଣ କାମ ଶେଷ କରିବା ଏବଂ ଭକ୍ତଙ୍କ ଯାତାୟାତ ସୁବିଧା ପାଇଁ ବିକଳ୍ପ ରାସ୍ତା ନିର୍ମାଣ ପାଇଁ ଶ୍ରୀ ପାଣ୍ଡିଆନ୍ ନିଦେ୍ର୍ଧଶ ଦେଇଛନ୍ତି । ବିନ୍ଦୁସାଗର ଚତୁଃପାଶ୍ୱର୍ରେ ଶ୍ରଦ୍ଧାଳୁମାନେ ପରିକ୍ରମା କରିବାରେ ଏ ବିକଳ୍ପ ରାସ୍ତା ବେଶ ସହାୟକ ହେବ ବୋଲି ସେ କହିଥିଲେ । ମନ୍ଦିର ଯାଏ ଇ-ଯାନ ଚଳାଚଳ କରିବ । ତେଣୁ ମନ୍ଦିର ନିକଟରେ ପ୍ରଦୂଷଣ ମାତ୍ରା ଯଥେଷ୍ଟ କମିବ । ଗାଡ଼ି ମଟରର ଧୂଆଁରେ ଯାତ୍ରୀମାନେ ଅଣନିଃଶ୍ୱାସୀ ହେବେ ନାହିଁ । ଏ ବ୍ୟବସ୍ଥା ଭକ୍ତମାନଙ୍କ ସହ ଏ ପ୍ରାଚୀନ କୀର୍ତ୍ତିରାଜିକୁ ପ୍ରଦୂଷଣମୁକ୍ତ ରଖିବ । ଧୂଆଁ ବାଜି ଐତିହ୍ୟ କ୍ଷତିଗ୍ରସ୍ତ ହେବ ନାହିଁ ।
ଏକାମ୍ର କ୍ଷେତ୍ର ଯୋଜନାରେ ଲିଙ୍ଗରାଜ ମାର୍କେଟରୁ ତାଳେଶ୍ୱର ଛକ, ନୂଆ ଲିଙ୍ଗରାଜ ମାର୍କେଟରୁ ବିନ୍ଦୁସାଗର ଛକ ଯାଏ ରାସ୍ତା କାମ ଆଗେଇ ନେବାକୁ ୫ଟି ସଚିବ ଜୋର୍ ଦେଇଛନ୍ତି । ଏହାଛଡ଼ା ମନ୍ଦିର ସମ୍ମୁଖରେ ଥିବା ଇଷ୍ଟର୍ନ ପ୍ଲାଜାର ନବୀକରଣ ସହ ଉତ୍ତରଦିଗରେ ଥିବା ନର୍ଦନ ପ୍ଲାଜାର ବିକାଶ କରାଯିବ । ବ୍ରଜବନ୍ଧୁ କଲ୍ୟାଣ ମଣ୍ଡପ ନିକଟରେ ବସ୍ ପାଇଁ ପାର୍କିଂସ୍ଥଳ ସହ ବଢେ଼ଇବାଙ୍କର ବିକାଶ କାମ ମଧ୍ୟ ହାତକୁ ନିଆଯିବ । ସମୀକ୍ଷା ସମୟରେ ଶ୍ରୀ ପାଣ୍ଡିଆନ୍ କହିଲେ, ଲିଙ୍ଗରାଜ ମନ୍ଦିର ଚତୁଃପାଶ୍ୱର୍ରେ ଡ୍ରେନ କାମ ଉପରେ ସର୍ବାଧିକ ଫୋକସ୍ କରାଯାଉ । ଏ କାମରେ ଢିଲାପଣ ବରଦାସ୍ତ କରାଯିବନି ।
ସମୀକ୍ଷା ବେଳେ ଜଣାପଡ଼ିଛି, ଏକାମ୍ର କ୍ଷେତ୍ର ପ୍ରକଳ୍ପ କାମ ପାଇଁ ଗୋପାଳତୀର୍ଥ ମଠ ଓ ଶଙ୍କରାନନ୍ଦ ମଠ ଜମି ଅଧିଗ୍ରହଣ ଶେଷ ହୋଇଛି । ଆଉ କିଛି ଜମି ଓ କୋଠା ଅଧିଗ୍ରହଣ ସରିବା ପରେ ଭକ୍ତମାନେ ମହାପ୍ରଭୁଙ୍କ ଉତ୍ତର ଦ୍ୱାର ନିକଟରୁ ବିନ୍ଦୁସାଗରର ଦୃଶ୍ୟ ଭଲ ଭାବରେ ଦେଖିପାରିବେ । ଭକ୍ତମାନଙ୍କୁ ଏହା ଭିନ୍ନ ଆଧ୍ୟାତ୍ମିକ ଅନୁଭୂତି ଦେବ ।
ମନ୍ଦିର ଚତୁଃପାଶ୍ୱର୍କୁ ପରିଷ୍କାର ରଖିବାକୁ ପରିବେଶ ଅନୁକୂଳ ବର୍ଜ୍ୟ ପରିଚାଳନା ବ୍ୟବସ୍ଥା ରହିବ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରରୁ ଆସୁଥିବା ଶ୍ରଦ୍ଧାଳୁମାନେ କିପରି ସୁବିଧାରେ ରହିବେ ଏବଂ ଦର୍ଶନ କରିବେ ସେ ନେଇ ବ୍ୟବସ୍ଥା କରିବାକୁ ମଧ୍ୟ ସମୀକ୍ଷା ବେଳେ ଆଲୋଚନା ହୋଇଛି । ଭକ୍ତମାନଙ୍କ ସୁବିଧା ପାଇଁ ପ୍ରକଳ୍ପରେ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ପାଣ୍ଡିଆନ୍ ବିଭାଗୀୟ ଅଧିକାରୀମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଏ ସମୀକ୍ଷା ବେଳେ ପୂର୍ତ୍ତ ସଚିବ ଡା. କ୍ରିଷନ କୁମାର ଏବଂ ବିଏସି କମିଶନର ପ୍ରେମଚାନ୍ଦ ଚୌଧୁରୀ ଉପସ୍ଥିତ ଥିଲେ ।
ଉଲ୍ଲେଖଯୋଗ୍ୟ, ପ୍ରଭୁ ଲିଙ୍ଗରାଜଙ୍କର ଶିବରାତ୍ରୀ ହେଉଛି ବଡ଼ପର୍ବ । ଏ ପର୍ବରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏକାଠି ହୋଇଥାନ୍ତି । ଭକ୍ତମାନଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ଏକାମ୍ର କ୍ଷେତ୍ର ପ୍ରକଳ୍ପକୁ ଅଗ୍ରାଧିକାର ଦେଉଛନ୍ତି । ମନ୍ଦିର ସମ୍ମୁଖରେ ୧୫ ହଜାର ଲୋକ ଏକାଠି ହେବାରେ ଅସୁବିଧା ହେଉଛି । ମାତ୍ର ଭବ୍ୟ ନବୀକରଣ ପରେ ଏକାଠି ୨ ଲକ୍ଷ ଭକ୍ତ ଶିବରାତ୍ରୀ ଉତ୍ସବରେ ସାମିଲ୍ ହୋଇ ମହାଦୀପ ଦର୍ଶନର ଆଧ୍ୟାତ୍ମିକ ଅନୁଭବ ଲାଭ କରିପାରିବେ । ଶିବରାତ୍ରୀ ସହ ଅଶୋକାଷ୍ଟମୀ ରଥଯାତ୍ରା ଏବଂ ମହାପ୍ରଭୁଙ୍କ ଯାନିଯାତ୍ରା ସମୟରେ ତୀର୍ଥଯାତ୍ରୀ ପରିଚାଳନାରେ ଏହା ବିଶେଷ ସହାୟକ ହେବ । ୬୬ ଏକର ଜମିରେ ହେବାକୁ ଥିବା ‘ଏକାମ୍ରକ୍ଷେତ୍ର ଯୋଜନା’ ବର୍ଷକ ମଧ୍ୟରେ ଶେଷ ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons