ଜାଡ଼ରେ ଜରି ତଳେ ୧୧ ଜୀବନ

Get real time updates directly on you device, subscribe now.

ବିଷମକଟକ,(ବି.ବି.ନୁ୍ୟଜ୍): କେଇଖଣ୍ଡ କାଠର ଖୁଣ୍ଟ, ଖଜୁରୀ ଡାଳ ଆଉ ଉପରେ ପଡ଼ିଛି ପଲିଥିନ୍ଟିଏ । ଏହାକୁ କୁଆଡେ କୁହନ୍ତି ଘର । ଆଉ ଏହି ଘରେ ରହୁଛନ୍ତି ଗୋଟିଏ ଡଙ୍ଗରିଆ ପରିବାରର ୧୧ ସଦସ୍ୟ । ସେମାନଙ୍କ ଭିତରେ ରହୁଛନ୍ତି ୫ ଜଣ ଶିଶୁ । ଚାରିପଟେ ପାହାଡ଼, ଜଙ୍ଗଲ । ସଞ୍ଜ ନଇଁଲେ କୋହଲା ପବନ ସାଙ୍ଗକୁ ଥଣ୍ଡାରେ ଥରିଯାଉଛି ଦେହ । ତଥାପି ଏହି ବଖୁରିଏ ଝାଟି ଘରେ ତଳେ ନଡ଼ା(ପାଳ) ବିଛେଇ ଦେଇ ରାତି ବିତାଉଛନ୍ତି ପରିବାର ଲୋକେ । ବର୍ଷକର ଶିଶୁ ବି ଥଣ୍ଡାରେ ପଡ଼ି ରହୁଛି । ତଥାପି ପ୍ରଶାସନ ପକ୍ଷରୁ ଏହି ଗରିବ ପରିବାରକୁ ଘର ଖଣ୍ଡିଏ ଯୋଗାଇ ଦିଆଯାଇ ପାରିନାହିଁ । ଆଜି ନୁହେଁ, ଦୀର୍ଘ ୨ ମାସ ହେଲା ଏଭଳି ଦୟନୀୟ ଅବସ୍ଥାରେ ଜୀବନ ଜିଉଁଛନ୍ତି ଗାଁର ଶୁକ୍ରୁ ପୀଡ଼ିକାକାଙ୍କ ପରିବାର ଲୋକେ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ପାଇକ ଡକୁଲଗୁଡ଼ା ପଞ୍ଚାୟତର ସିକବନ୍ଧ ଗାଁରେ ।
ଶୁକ୍ରୁଙ୍କ ପରିବାର ଲୋକଙ୍କୁ ଭେଟିଥିଲୁ ଆମେ । ସେତେବେଳକୁ ଖୋଲା ଆକାଶତଳେ ରୋଷେଇ କରୁଥାନ୍ତି ତାଙ୍କ ସ୍ତ୍ରୀ ରଇବାରୀ । ଆମକୁ ଦେଖି ପିଲାମାନେ ବି ଗୋଟିଏ ଜାଗାରେ ରୁଣ୍ଡ ହୋଇଗଲେ । ପଚାରିବାରୁ ଶୁକ୍ରୁ ବଖାଣିଥିଲେ ତାଙ୍କ ଦୁଃଖ କାହାଣୀ । ଗତ ସେପ୍ଟେମ୍ବର ମାସରେ ହୋଇଥିଲା ଅବିଶ୍ରାନ୍ତ ବର୍ଷା । ଦୀର୍ଘ ୩ ଦିନ ଧରି ଲଗାଣ ବର୍ଷା ଯୋଗୁ ସେହିମାସ ୨୪ ତାରିଖରେ ହଠାତ୍ ମାଟି କାନ୍ଥରେ ତିଆରି ତାଙ୍କ ଘର ଖଣ୍ଡିକ ଭୁଶୁଡ଼ି ପଡ଼ିଥିଲା । ସେତେବେଳେ କେବଳ ଘରେ ରହିଥିଲେ ରଇବାରୀ ଓ ତାଙ୍କ ବର୍ଷକର ନାତି । ସୌଭାଗ୍ୟବଶତଃ ମୃତୁ୍ୟ ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ସେମାନେ । ଏକଥା କହିବା ବେଳେ ଲୁହରେ ଛଳ ଛଳ ହୋଇଯାଇଥିଲା ଶୁକ୍ରୁଙ୍କ ଆଖି ।
ଘର ଭାଙ୍ଗିଯିବା ପରେ ଖବର ପାଇଥିଲା ରାଜସ୍ୱ ବିଭାଗ । ରାଜସ୍ୱ ନିରୀକ୍ଷକ ଅନିତା ଶବର ପହଞ୍ଚି କ୍ଷୟକ୍ଷତିର ଆକଳନ କରିଥିଲେ । ରିପୋର୍ଟ ପ୍ରସ୍ତୁତ କରି ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ଏଥିସହ ପ୍ରଶାସନ ପକ୍ଷରୁ ବିପନ୍ନ ପରିବାରକୁ କିଛି ଚୁଡ଼ା, ରାସନ ଏବଂ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯାଇଥିଲା । ପରିତାପର ବିଷୟ, ଏ ଭିତରେ ଦୀର୍ଘ ୨ ମାସ ବିତିଯାଇଥିଲେ ହେଁ ସରକାରଙ୍କ ପକ୍ଷରୁ ଶୁକ୍ରୁଙ୍କ ପରିବାରକୁ ଘର ଖଣ୍ଡିଏ ଯୋଗାଇ ଦିଆଯାଇ ପାରିନାହିଁ । ବାଧ୍ୟହୋଇ ପରିବାର ଲୋକେ ଖଜୁରୀ ଡାଳ ଘେରାଇ ତା ଉପରେ ପଲିଥିନ୍ଟିଏ ପକାଇ ଦେଇଛନ୍ତି । ଚାରିପଟୁ ପବନ ପଶୁଛି । ସରୀସୃପଙ୍କ ଭୟ ରହିଛି । ତଥାପି ତଳେ କିଛି ପାଳ ଓ ପ୍ଲାଷ୍ଟିକ୍ ପଟ୍ଟି ଖଣ୍ଡିଏ ବିଛେଇ ଦେଇ ଜାଡ଼ରେ ରାତି ବିତାଉଛନ୍ତି ପରିବାରର ୧୧ ସଦସ୍ୟ । ଖୋଲା ଆକାଶ ତଳେ ରୋଷେଇ, ପଲିଥିନ୍ ତଳେ ଜୀବନ । ବିଡମ୍ବନା, ଏହି ଡଙ୍ଗରିଆ ପରିବାର ଉପରେ ଆଜି ପର୍ଯ୍ୟନ୍ତ ପ୍ରଶାସନର ଶୁଭ ଦୃଷ୍ଟି ପଡ଼ିନି । ଶୁକ୍ରୁଙ୍କ ଠିକଣା ଭୁଲି ଯାଇଛି ପ୍ରଶାସନ । ସ୍ଥାନୀୟ ସରପଞ୍ଚ ଏବଂ ପିଇଓଙ୍କୁ ବାରମ୍ବାର ଅନୁରୋଧ ପରେ ବି କେହି ତାଙ୍କ ଦୁଃଖ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ପଡୋଶୀ ମାଧକ କଦମ୍ବକା, ମେଦରି ହିଆଲ, ସୋମନାଥ କଦମ୍ବକା, ଧନମାଲି ସିକକ୍କା, ରାଇଫୁଲ କଦମ୍ବକା ପ୍ରମୁଖ । ଶୁକ୍ରୁଙ୍କ ଏଭଳି ଅବସ୍ଥା ସଂପର୍କରେ ତାଙ୍କ ପାଖରେ କୌଣସି ଖବର ନଥିବା କହିଛନ୍ତି ପିଇଓ ପି.କେ ପ୍ରଧାନ ।
ଗ୍ରାମ ରୋଜଗର ସେବକ ଶରୀରାମ ନାୟକ କହିଛନ୍ତି, ଏ ବିଷୟରେ ସେ ଅବଗତ ଅଛନ୍ତି । ପିଇଓଙ୍କୁ ଜଣାଇଛନ୍ତି । ଶୁକ୍ରୁଙ୍କ ପରିବାରକୁ ତୁରନ୍ତ ବାସଗୃହ ଯୋଗାଇବା ଦିଗରେ ଉଦ୍ୟମ କରାଯାଉଛି । ଏହାପରେ ଆମେ ବିଡିଓ ଆଲବର୍ଟ ଲାକ୍ରାଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ସେ କହିଛନ୍ତି, ପିଇଓଙ୍କଠାରୁ ଏ ସଂପର୍କରେ ସବିଶେଷ ତଥ୍ୟ ମଗାଯିବ । ଶୁକ୍ରୁଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହାୟତା ପ୍ରଦାନ କରାଯିବ । ଗାଁ ଲୋକେ କହିଛନ୍ତି, ଶୁକ୍ରୁଙ୍କ ଘର ଖଣ୍ଡିଏ ଯୋଗାଇ ଦିଆନଯିବା ପର୍ଯ୍ୟନ୍ତ ତାଙ୍କ ପରିବାରକୁ ସ୍ଥାନୀୟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରହିବାର ସୁଯୋଗ ଦିଆଯାଉ । ଦେଖାଯାଉ, ପ୍ରଶାସନ ପକ୍ଷରୁ ଶୁକ୍ରୁଙ୍କ ପରିବାରକୁ ଆବାସ ଯୋଜନାରେ ଘର ଖଣ୍ଡିଏ କେବେ ଯୋଗାଇ ଦିଆଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons