ଜାତି ପ୍ରମାଣପତ୍ରରେ ତ୍ରୁଟି:ହୋଇପାରିଲାନି ନାମଲେଖା, ବିଷ ପିଇଦେଲେ ଛାତ୍ରୀ

Get real time updates directly on you device, subscribe now.

ପୁରୀ,(ବି.ବି.ବ୍ୟୁରୋ): ଇଚ୍ଛା ଥିଲା ଶିକ୍ଷକତା କରିବେ । ସେଥିପାଇଁ ପାଠ ପଢିବାକୁ ସ୍ଥିର କରିଥିଲେ । ବିବାହ ହୋଇ ସାରିଥିଲେ ମଧ୍ୟ ପାଠ ପଢିବାରେ ଅଟକି ନ ଥିଲେ । ସେଥିପାଇଁ ସ୍ୱାମୀଙ୍କୁ ନେଇ ନାମ ଲେଖାଇବାକୁ ଯାଇଥିଲେ । କିନ୍ତୁ ସବୁ ହୋଇଗଲା ଓଲଟପାଲଟ । ଜାତିଗତ ପ୍ରମାଣପତ୍ରରେ ରହିଯାଇଥିଲା ତ୍ରୁଟି । ତଥାପି ବିକଳ୍ପ ବ୍ୟବସ୍ଥା କରିଥିଲେ ଛାତ୍ରୀ । ସାର୍ଟିଫିକେଟ୍ରେ ଏହି ତ୍ରୁଟିକୁ ନେଇ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ସତ୍ୟପାଠ କରିଥିଲେ । ତଥାପି ଶୁଣିଲେ ନାହିଁ ଆଡ୍ମିସନ୍ ଇନ୍ଚାର୍ଜ । ଫଳରେ ନାମଲେଖା ହୋଇପାରିଲା ନାହିଁ । ଏଥିରେ ମାନସିକ ଭାରସାମ୍ୟ ହରାଇଲେ ଛାତ୍ରୀ । ଶେଷରେ ଏହି ଛାତ୍ରୀ ବିଷପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ଏହି ଛାତ୍ରୀ ଜଣକ ସଦର ଥାନା ଅଧୀନ କୁରୁଣ୍ଟି ଗ୍ରାମର ବାଦଲ ସେଠୀଙ୍କ ପତ୍ନୀ ମିଲି ସେଠୀ (୧୯) ବୋଲି ଜଣାପଡିଛି ।
ସୂଚନାରୁ ପ୍ରକାଶ ଯେ, ସାତଶଙ୍ଖ ସ୍ଥିତ କୁମାରେଶ୍ୱର ଗ୍ରାମର ଶଙ୍କର ସେଠୀଙ୍କ ଝିଅ ମିଲି । ସେ ଗତବର୍ଷ ପୁରୀ ଏସ୍ସିଏସ୍ କଲେଜରେ ଯୁକ୍ତ୨ ଶିକ୍ଷା ଶେଷ କରିଥିଲେ । ପାସ୍ ହେବା ପରେ ଯୁକ୍ତ ୩ ପଢ଼ିବା ପାଇଁ ସ୍ଥିର କରିଥିଲେ । ହେଲେ ଗତ ୬ ମାସ ତଳେ ମିଲି କୁରୁଣ୍ଟି ଗ୍ରାମର ବାବୁଲି ସେଠୀଙ୍କ ପୁଅ ବାଦଲଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ପରେ ଶାଶୁ ଘର ଲୋକେ ତାଙ୍କୁ ପାଠ ପଢାଇବାକୁ ମନସ୍ଥ କରିଥିଲେ । ତେଣୁ ନାମଲେଖା ପାଇଁ ଫର୍ମ ପକାଇଥିଲେ । ସରକାରୀ ବାଳିକା ମହାବିଦ୍ୟାଳୟରେ ନାମ ଲେଖାଇବାକୁ ମନୋନୀତ ହୋଇଥିଲେ । ଗତ ୨୩ ତାରିଖରେ ଅନ୍ଲାଇନ୍ରେ ନାମଲେଖା ଫି ଡିପୋଜିଟ୍ କରିବା ପରେ ହାର୍ଡକପି ଧରି ସରକାରୀ ବାଳିକା ମହାବିଦ୍ୟାଳୟକୁ ଯାଇଥିଲେ ।
ସେଠାରେ ନାମ ଲେଖାଇବାବେଳେ ଜାତିଗତ ପ୍ରମାଣପତ୍ରରେ ତ୍ରୁଟି ଥିବା ଜଣାପଡିଥିଲା । ମିଲିଙ୍କ ସମସ୍ତ ପ୍ରମାଣପତ୍ର ବାପା ଶଙ୍କର ସେଠୀଙ୍କ ନାମରେ ରହିଛି । କିନ୍ତୁ ଜାତିଗତ ପ୍ରମାଣପତ୍ରରେ ଭୁଲ୍ରେ ମଙ୍ଗୁଳି ସେଠୀ ଥିବା ଜଣାପଡ଼ିଥିଲା । ତେଣୁ ଆଡମିସନ୍ ଇନ୍ଚାର୍ଜ ନାମଲେଖା ହୋଇପାରିବ ନାହିଁ ବୋଲି କହି ତାଙ୍କୁ ଫେରାଇ ଦେଇଥିଲେ । ଏହି ତ୍ରୁଟି ବହୁତ ଦିନ ପୂର୍ବରୁ ହୋଇଥିବାବେଳେ ଏଥିନେଇ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ସତ୍ୟପାଠ କରାଇ ୍ମ୨ରେ ନାମ ଲେଖାଇଥିଲେ ମିଲି । ତେଣୁ ଏଥର ମଧ୍ୟ ସତ୍ୟପାଠ କରାଇଲେ ନାମଲେଖା ହୋଇପାରିବ ବୋଲି କଲେଜର ଜଣେ କର୍ମଚାରୀ କହିଥିଲେ । ତେଣୁ ସେହିଦିନ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ପୁନଃ ସତ୍ୟପାଠ କରାଇଥିଲେ ମିଲି । ତଥାପି ଶୁଣିଲେ ନାହିଁ ଆଡମିସନ୍ ଇନ୍ଚାର୍ଜ । ତେଣୁ ନିରାଶ ହୋଇ ଫେରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons