କଟକ,(ବି.ବି.ବୁ୍ୟରୋ): ବାଲିଯାତ୍ରା ଏବେ ଗଣପର୍ବରେ ପରିଣତ ହୋଇଛି । ଏହି ମେଳାର ଲକ୍ଷ୍ୟ ନୁହେଁ କେବଳ ବାଣିଜ୍ୟ , ଓଡ଼ିଆ ଜାତିର ସଂସ୍କୃତି ଓ ପରମ୍ପରାକୁ ମଜଭୁତ୍ କରି ରଖିବା ଏହି ମହାମେଳାର ମୁଖ୍ୟ ଉଦେ୍ଧଶ୍ୟ । ଚଳିତବର୍ଷ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ମହୋତ୍ସବର ମାନ୍ୟତା ମିଳିଛି । ଆସନ୍ତା ଦିନରେ ଏହାକୁ କିଭଳି ଜାତୀୟ ମାନ୍ୟତା ମିଳିବ ସେଥିପାଇଁ ଅଭିିଯାନ ଆରମ୍ଭ ହେଉ । ଆଜି ଐତିହାସିକ କଟକ ବାଲିଯାତ୍ରାର ଉଦ୍ଘାଟନ କରି ଏହା କହିଛନ୍ତି ଓଡ଼ିଶା ବିଧାନସଭାର ବାଚସ୍ପତି ଡ.ସୂର୍ଯ୍ୟନାରାୟଣ ପାତ୍ର ।
କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ପୌରହିତ୍ୟରେ ଅନୁÂିତ ଏହି ଉଦ୍ଘାଟନୀ ଉତ୍ସବରେ ବରେଣ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ, ଜଗତସିଂହପୁର ଡା.ରାଜଶ୍ରୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଉଦ୍ଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲେ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ସିଦ୍ଧାର୍ଥୋ ରେଜା ସୂର୍ଯେ୍ୟାଦିପୁର, ରାଷ୍ଟ୍ରୀୟ ସଂସ୍କୃତି ବିଭାଗର ମୁଖ୍ୟ ପ୍ରଫେସର ମୁଦାନା ଏବଂ ଅନ୍ୟମାନେ । ଏମାନଙ୍କ ଉପସ୍ଥିତି ଉଦ୍ଘାଟନୀ ଉତ୍ସବର ଆକର୍ଷଣ ବୃଦ୍ଧି କରିଥିଲା । ଓଡ଼ିଶା-ଭାରତ ଓ ଇଣ୍ଡୋନେସିଆର ସମ୍ପର୍କକୁ ନିଜ ବକ୍ତବ୍ୟରେ ବୟାନ୍ କରିଥିଲେ ଏହି ବିଦେଶୀ ଅତିଥିଗଣ । ଅନ୍ୟ ସମ୍ମାନିତ ଅତିଥିଙ୍କ ଗହଣରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲ, କଟକ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଫେସର ଡା.ପ୍ରମୋଦ କୁମାର ମଲ୍ଲିକ, ବାରବାଟୀ-କଟକ ବିଧାୟକ ଇଂ.ମହମ୍ମଦ ମୋକିମ୍, କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ଜିଲ୍ଲା ପରିଷଦ ସଭାପତି ଜ୍ୟୋତିରେଖା ନାୟକ ପ୍ରମୁଖ ଉପସ୍ଥିତ ରହି ବାଲିଯାତ୍ରା ସଂକ୍ରାନ୍ତରେ ସେମାନଙ୍କ ଅଭିଜ୍ଞତା,ଅନୁଭୂତି ବାଢିଥିଲେ । ଏହି ଅବସରରେ ବାଲିଯାତ୍ରାର ସ୍ମରଣିକା ‘ବାଲିଯାତ୍ରା-୨୦୧୯’ ଲୋକାର୍ପିତ ହୋଇଥିଲା । ବାଚସ୍ପତି ଏବଂ ମନ୍ତ୍ରୀଙ୍କ ଦ୍ୱାରା ‘ମୋ ବାଲିଯାତ୍ରା’ ଆପ୍ର ମଧ୍ୟ ଶୁଭାରମ୍ଭ ହୋଇଥିଲା ।
ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ହେବାକୁ ଥିବା ବେଳେ ପ୍ରଥମଥର ଏହାର ପରିଚାଳନା ଦାୟିତ୍ୱରେ ରହିଛି ଜିଲ୍ଲା ସଂସ୍କୃତି ପରିଷଦ । ତେଣୁ ପ୍ରଶାସନର ନୂଆ ଟିମ୍ ଏଥର ବାଲିଯାତ୍ରାର କାୟା ବଦଳାଇ ଦେଇଛି । ଅତିରିକ୍ତ ପ୍ରାୟ ୧୦ ଏକର ଜମିକୁ ସମ୍ପ୍ରସାରଣ କରାଯାଇଛି ବାଲିଯାତ୍ରା । ପୂର୍ବରୁ ଉଭୟ ଉପର ଓ ତଳ ପଡିଆ ମିଶାଇ ପ୍ରାୟ ୪୦ ଏକର ଜମିରେ ମେଳା ଜମୁଥିବା ବେଳେ ଏଥର ପ୍ରାୟ ୫୦ ଏକର ପରିମିତ ଜମିକୁ ମେଳାର ଆକାର ବ୍ୟାପିଛି । ଉପର ପଡିଆର ସମ୍ପୂର୍ଣ୍ଣ ଭାଗ ଏବଂ ତଳ ପଡିଆରେ କାର୍ତ୍ତିକେଶ୍ୱର ଗଡାଠାରୁ ଆରମ୍ଭ କରି ସିସୋର୍ ଗଡ଼ା ପର୍ଯ୍ୟନ୍ତ ଲମ୍ବିଛି ଯାତ୍ରା । ଉଭୟ ଉପର ଓ ତଳ ପଡିଆ ମିଶି ୯୩୧ଟି ପ୍ଲଟ୍ ବିକ୍ରି ହୋଇଛି । ଏହାବାଦ୍ ୬୬ଟି ଭେଣ୍ଡିଂଜୋନ୍ କରାଯାଇଛି । ପ୍ରତିବର୍ଷ ତୁଳନାରେ ଓରମାସର କାୟା ମଧ୍ୟ ବୃଦ୍ଧି ପାଇଛି । ଏଥର ୪୧୦ଟି ଷ୍ଟଲ୍ ହୋଇଛି । ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଭିନ୍ନକ୍ଷମଙ୍କ ପାଇଁ ୪୦ଟି, କିନ୍ନରଙ୍କ ପାଇଁ ୧୦ଟି ଷ୍ଟଲ୍ ନିର୍ମାଣ କରାଯାଇଥିବା ସୂଚନା । ଅନ୍ୟପକ୍ଷରେ ୯ଟି କମ୍ପାନୀ ପକ୍ଷରୁ ୩୫ଟି ଦୋଳି, ଝୁଲା ଓ ଟୟଟ୍ରେନ୍ ଆଦି ବାଲିଯାତ୍ରାରେ ପଡିଛି । ତେଣୁ ମୋଟ୍ ଉପରେ ୧୩୪୧ରୁ ଅଧିକ ଷ୍ଟଲ୍ ଶୋଭା ପାଇବ ବାଲିଯାତ୍ରାରେ । ସବୁ ଷ୍ଟଲ୍ ଅବଶ୍ୟ ଆଜି ଖୋଲିନାହିଁ ।
ଏହାଛଡ଼ା, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ୪ଟି ମଞ୍ଚ କରାଯାଇଛି । ଗଣକବି ବୈଷ୍ଣବ ପାଣି ମଞ୍ଚ, ମହାନଦୀ ଭୁ୍ୟ, ମୋ’ କଟକ ପ୍ୟାଭିଲିୟନ୍ ସମେତ ମହାନଦୀରେ ଭାସମାନ ଡଙ୍ଗାକୁ ମିଶାଇ ଗୋଟିଏ ମଞ୍ଚ ହୋଇଛି । ପ୍ରତ୍ୟେକ ଦିନ ଅପରାହ୍ନ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ପ୍ରତ୍ୟେକ ଦିନ ସକାଳୁ ୩ ଘଣ୍ଟା ପଥୋତ୍ସବରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଦେଖିବାକୁ ମିଳିବ । ସେହିପରି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ବୋଟିଂ ସୁବିଧା ଉପଲବ୍ଧ କରାଯାଇଛି ।


Comments are closed, but trackbacks and pingbacks are open.