ମୁମ୍ବାଇ: ବ୍ୟାଙ୍କଗୁଡ଼ିକରେ ଜାଲିଆତି ମାତ୍ରା ବୃଦ୍ଧି ପାଇବା ପରିପ୍ରେକ୍ଷୀରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଦେଶର ବ୍ୟାଙ୍କଗୁଡ଼ିକୁ ତାଗିଦ୍ କରିଛି । ବ୍ୟାଙ୍କ ଖାତାରେ କୌଣସି ପ୍ରକାର ହସ୍ତକ୍ଷେପ ନ କରି ଏହାକୁ ଠିକ୍ ଢଙ୍ଗରେ ପରିଚାଳନା କରିବାକୁ ଏହା ନିଦେ୍ର୍ଧଶ ଦେଇଛି । ଅନାଦାୟ ଋଣ ଅଥବା ଅର୍ଥ ଠକେଇ ଭଳି ଘଟଣାକୁ ଲୁଚାଇବା ପାଇଁ କୌଣସି ପ୍ରକାର ବେଆଇନ ରାସ୍ତା ନ ଆପଣାଇବାକୁ ଆର୍ବିଆଇ କହିଛି ।
ଅନ୍ୟପକ୍ଷରେ ବ୍ୟାଙ୍କରେ ହେଉଥିବା ବେଆଇନ ଦେଣନେଣର ଆଭ୍ୟନ୍ତରୀଣ ସମୀକ୍ଷା କରି ଅକ୍ଟୋବର ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ, ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ବ୍ୟାଙ୍କ ଶାଖାଗୁଡ଼ିକର ଅଫିସ୍ ଆକାଉଣ୍ଟରେ ପାଣ୍ଠି ଦିନେ କିମ୍ବା ଦୁଇଦିନ ଧରି ପଡ଼ିରହିଥାଏ । ଜଣେ ଶାଖା ପ୍ରବନ୍ଦକ ଏଭଳି ଆକାଉଣ୍ଟକୁ ବ୍ୟବହାର କରି ଜଣେ ଋଣଦାତାଙ୍କୁ ଅପ୍ରାଧିକୃତ ଭାବେ ଓଭରଡ୍ରାଫ୍ଟ ଫାସିଲିଟି ପ୍ରଦାନ କରିଥାନ୍ତି । ଏହାଦ୍ୱାରା ସମ୍ପୃକ୍ତ ଋଣ ଗ୍ରହୀତା ଖିଲାପକୁ ଏଡ଼ାଇବା ପାଇଁ ସମର୍ଥ ହୋଇଥାନ୍ତି । ତାଙ୍କ ଋଣ ଏନ୍ପିଏ (ଅନାଦାୟ ଋଣ) ହେବାରୁ ତ୍ରାହି ପାଇଥାଏ ।
ଅନ୍ୟପକ୍ଷରେ ସମ୍ପୃକ୍ତ ଋଣ ଗ୍ରହୀତା ଯଦି ଦିନେ ଦୁଇଦିନ ମଧ୍ୟରେ ଋଣ ପରିଶୋଧ କରିବାକୁ ସମର୍ଥ ନ ହୁଅନ୍ତି, ଶାଖା ପ୍ରବନ୍ଧକ ଅନ୍ୟ ଏକ ଅଫିସ୍ ଆକାଉଣ୍ଟକୁ ବ୍ୟବହାର କରି ସାନି ଓଭରଡ୍ରାଫ୍ଟ ସୁବିଧା ଯୋଗାଇଥାନ୍ତି । ପୂର୍ବ ଓଭରଡ୍ରାଫ୍ଟକୁ ବନ୍ଦ କରିବା ପାଇଁ ଏହିଭଳି ଭାବେ ଗୋଟିଏ ପରେ ଗୋଟିଏ ଅଫିସ୍ ଆକାଉଣ୍ଟକୁ ବ୍ୟବହାର କରିବାକୁ ବାଧ୍ୟ ହୁଅନ୍ତି ଶାଖା ପ୍ରବନ୍ଧକ । ଏହାଦ୍ୱାରା ପରବର୍ତ୍ତୀ ସମୟରେ ସମସ୍ୟା ସୃଷ୍ଟି ହୋଇଥାଏ । ତେବେ ଏଭଳି କାର୍ଯ୍ୟରୁ ବିରତ ରହିବା ପାଇଁ ଆର୍ବିଆଇ ନିଦେ୍ର୍ଧଶ ଦେଇଛି ।
Comments are closed, but trackbacks and pingbacks are open.