ଜିଲ୍ଲାପରିଷଦ ଉପନିର୍ବାଚନ :ଶେଷ ଦିନରେ ୭ ପ୍ରାର୍ଥୀପତ୍ର ଦାଖଲ

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ୍): ଜିଲ୍ଲା ପରିଷଦ ଉପନିର୍ବାଚନ ପାଇଁ ଶନିବାର ଶେଷ ଦିବସରେ ୭ ଟି ପ୍ରାର୍ଥୀପତ୍ର ଦାଖଲ ହୋଇଛି । ଏଥିରେ ବିଜେଡି ଓ ବିଜେପିର ପ୍ରାର୍ଥୀ ଅଛନ୍ତି । ଦଶମନ୍ତପୁର ଜିଲ୍ଲାପରିଷଦ ଆସନ ପାଇଁ ବିଜେଡିର କହ୍ନେଇ ଜାନି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପଟ୍ଟାଙ୍ଗି ଜିଲ୍ଲାପରିଷଦ ଆସନ ପାଇଁ ଲଇଛନ ଖରା ବିଜେଡ଼ିରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଜେପି ପକ୍ଷରୁ ଦଶମନ୍ତପୁର ଆସନ ପାଇଁ ବଳରାମ ମୁଦୁଲି ନାମରେ ଦୁଇଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏମାନଙ୍କ ମଧ୍ୟରୁ ଚଣାବାଡ଼ ପଞ୍ଚାୟତର ବଳାରମ ମୁଦୁଲି ଦଳୀୟ ଟିକେଟ ପ୍ରଦାନ କରିଛନ୍ତି । ପଟ୍ଟାଙ୍ଗି ଜିଲ୍ଲାପରିଷଦ ଆସନ ପାଇଁ ବିଜେପି ପକ୍ଷରୁ ରାଜେଶ ହନ୍ତାଳ ଓ ବେଶୁ ଖିଲ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡିଛି । ତେବେ ରାଜେଶ ଦଳୀୟ ଟିକେଟ ପ୍ରଦାନ କରିଛନ୍ତି । ଦଶମନ୍ତପୁର ଆସନ ପାଇଁ ଜଣେ ସ୍ୱାଧୀନ ପ୍ରାର୍ଥୀ ହୀରାମଣି ଗାଦବା ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।
ସୂଚନା ଅନୁସାରେ, କୋରାପୁଟ ଜିଲ୍ଲାରେ ଖାଲିଥିବା ଦୁଇଟି ଜିଲ୍ଲା ପରିଷଦ ଆସନ ପାଇଁ ନଭେମ୍ବର ୨୭ ରେ ନିର୍ବାଚନ ହେବ । ପଟ୍ଟାଙ୍ଗି ଜିଲ୍ଲାପରିଷଦ ସଦସ୍ୟ ଡ଼ୁମୁରୀ ଖିଲଙ୍କ ମୃତୁ୍ୟ ଏବଂ ଦଶମନ୍ତପୁର ଜିଲ୍ଲାପରିଷଦ ସଦସ୍ୟ ପ୍ରଭୁ ଜାନି ଲକ୍ଷ୍ମୀପୁର ବିଧାୟକ ହେବା ପରେ ଏହି ଦୁଇଟି ଆସନ ଖାଲି ପଡ଼ିଥିଲା । ଗତ ଶୁକ୍ରବାର ଦଶମନ୍ତପୁର ଆସନ ପାଇଁ ନରି ହିକକା କଂଗ୍ରେସ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପଟ୍ଟାଙ୍ଗି ଜିଲ୍ଲାପରିଷଦ ଆସନ ପାଇଁ ତ୍ରୀପତି ସାରା ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଶେଷ ତାରିଖ ସୁଦ୍ଧା ୯ଟି ପ୍ରାର୍ଥୀପତ୍ର ଦାଖଲ ହୋଇଛି ।
ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଶମନ୍ତପୁର ଜିଲ୍ଲାପରିଷଦ ଜୋନ-୧ ରେ ବିଜେଡ଼ି ପ୍ରାର୍ଥୀ ପ୍ରଭୁ ଜାନି ୨ ହଜାରରୁ ଅଧିକ ଭୋଟ ପାଇ କଂଗ୍ରେସ ପ୍ରାର୍ଥୀ ନରିଙ୍କୁ ପରାଜିତ କରିଥିଲେ । ଉପନିର୍ବାଚନରେ ବିଜେଡ଼ି କହ୍ନେଇ ଜାନିଙ୍କୁ ପ୍ରାର୍ଥୀକରି ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହେବ ବୋଲି ଜିଲ୍ଲା ପର୍ଯ୍ୟବେକ୍ଷକ ବିଧାୟକ ଚନ୍ଦ୍ର ସାରଥୀ ବେହେରା ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି । ପଟ୍ଟାଙ୍ଗିରେ ବିଜେଡ଼ି ଲଇଛନକୁ ପ୍ରାର୍ଥୀ କରି ବିଜୟ ହେବା ଲକ୍ଷ୍ୟ ରଖିଛି । କଂଗ୍ରେସ ଓ ବିଜେପି ଆମ ସଂଖ୍ୟାଠାରୁ ଢେ଼ର ଦୂରରେ ରହିବେ ବୋଲି ବିଜେଡ଼ି ପର୍ଯ୍ୟବେକ୍ଷକ ଶ୍ରୀ ବେହେରା କହିଛନ୍ତି । ବିଜେପି ଜିଲ୍ଲା ସଭାପତି ବିଜୟ ମିଶ୍ର ଦୁଇଟି ଯାକ ଆସନରେ ଏଥର ଦଳର ବିଜୟ ହେବ ବୋଲି କହିଛନ୍ତି ।
ବିଜେଡ଼ି ପ୍ରାର୍ଥୀ ସ୍ଥାନୀୟ ଚନ୍ଦନ ପୋଖରୀ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଶୋଭାଯାତ୍ରାରେ ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ପର୍ଯ୍ୟବେକ୍ଷକ ଚନ୍ଦ୍ର ସାରଥୀ ବେହେରା, ବୟନ ଶିଳ୍ପ ମନ୍ତ୍ରୀ ତଥା କୋଟପାଡ଼ ବିଧାୟକ ପଦ୍ମିନୀ ଦିଆନ, କୋରାପୁଟ ବିଧାୟକ ରଘୁରାମ ପଡ଼ାଲ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି, ପଟ୍ଟାଙ୍ଗି ବିଧାୟକ ପିତମ ପାଢ଼ି, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗି , ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାସ, ଜିଲ୍ଲାପରିଷଦ ସଭାପତି ତୁଳସୀ କିର୍ଷାନୀ, ପଣ୍ଡିତ ବିଶୋୟୀ, ଉକ୍ରଳ ରଞ୍ଜନ ନାୟକ, ବାଲା ରାୟ, ଦୁର୍ଗା ମିଶ୍ର ପ୍ରମୁଖଙ୍କ ସହ ବହୁ ବିଜେଡ଼ି ନେତା ସାମିଲ ହୋଇଥିଲେ ।
ବିଜେପି ପକ୍ଷରୁ ସ୍ଥାନୀୟ ରାମ ମନ୍ଦିର ନିକଟରୁ ଶୋଭାଯାତ୍ରା ବାହାରି ପ୍ରାର୍ଥୀପତ୍ର ଦାଖଲ କରାଯାଇଥିଲା । ଜିଲ୍ଲା ସଭାପତି ବିଜୟ କୁମାର ମିଶ୍ର, ତ୍ରିପାରୀ ଗରଡ଼ା, ଜୟରାମ ଗରଡ଼ା, ଅଶ୍ୱିନୀ ପଟ୍ଟନାୟକ, ପୂର୍ଣ୍ଣିମା ଜାନି ପ୍ରମୁଖଙ୍କ ସହିତ ବହୁ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ ।
ସୂଚନା ଅନୁସାରେ, ନଭେମ୍ବର ୪ ରେ ପ୍ରାର୍ଥୀପତ୍ର ଯାଞ୍ଚ, ୭ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ୧୧ ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ନଭେମ୍ବର ୨୭ ରେ ନିର୍ବାଚନ ଏବଂ ୨୮ ରେ ଗଣତି ତଥା ଫଳାଫଳ ପ୍ରକାଶ ପାଇବ ।
ଦଶମନ୍ତପୁର ଜିଲ୍ଲାପରିଷଦ ଜୋନ-୧ ରେ ପ୍ରଭୁ ଜାନି ବିଜୟ ହୋଇ ଜିଲ୍ଲା ପରିଷଦ ସଭାପତି ହୋଇଥିଲେ । ଗତ ସାଧାରଣ ନିର୍ବାଚନରେ ପ୍ରଭୁ ଲକ୍ଷ୍ମୀପୁର ବିଧାୟକ ହେବା ପରେ ଏହି ଆସନ ଖାଲି ପଡ଼ିଥିଲା । ଗତ ଜିଲ୍ଲାପରିଷଦ ନିର୍ବାଚନରେ ଜିଲ୍ଲାର ୨୯ ଟି ଜିଲ୍ଲାପରିଷଦ ଜୋନ ମଧ୍ୟରୁ ବିଜେଡ଼ି ଏକାକି ୨୪ ଟି ଆସନରେ ବିଜୟୀ ହୋଇଥିଲା । ଦଳ ପ୍ରଭୁ ଜାନୀଙ୍କୁ ସଭାପତି ଭାବେ ଚୟନ କରିଥିଲା । ତେବେ ପ୍ରଭୁ ଜାନିଙ୍କ ସଭାପତିତ୍ୱକୁ ପଟ୍ଟାଙ୍ଗି ଜିଲ୍ଲାପରିଷଦ ସଦସ୍ୟ ଡ଼ୁମୁରୀ ଖିଲ ବିରୋଧ କରି ଦଳୀୟ ପତାକା ପୋଡ଼ିଥିଲେ । ଯାହାକୁ ନେଇ ବିଜେଡ଼ି ଦଳ ତକ୍ରାଳିନ ଜିଲ୍ଲାସଭାପତି ଜୟରାମ ପାଙ୍ଗି ଓ ତାଙ୍କ ଶଳା ଡ଼ୁମୁରୀଙ୍କୁ ଦଳରୁ ନିଲମ୍ବନ କରିଥିଲେ । ପରେ ଜୟରାମଙ୍କ ସହ ଡ଼ୁମୁରୀ ବିଜେପିରେ ସାମିଲ ହୋଇଥିଲେ । ତେବେ ନିକଟରେ ଡ଼ୁମୁରୀଙ୍କ ଦେହାନ୍ତ ହୋଇଥିଲା । ଫଳରେ ଦୁଇଟି ଆସନ ଖାଲି ପଡ଼ିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons