ଜିଲ୍ଲାପାଳଙ୍କୁ ଟ୍ୱିଟର୍ରେ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ

Get real time updates directly on you device, subscribe now.

କାଦୁଅ ବିଲରେ ଧାନ ରୋଇଥିଲେ ଗଞ୍ଜାମ ଜିଲ୍ଲାପାଳ
ବ୍ରହ୍ମପୁର, (ବି.ବି.ନ୍ୟୁଜ୍): ଚାଷୀଙ୍କ ପାଇଁ ପ୍ରେରଣାଦାୟୀ କାର୍ଯ୍ୟ କରିଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ସୋସିଆଲ୍ ମିଡିଆରେ ପ୍ରଶଂସାର ସୁଅ । ବିଶେଷ କରି ଟ୍ୱିଟର୍ରେ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ କୃଷି ବିଭାଗ ଗଞ୍ଜାମ ଜିଲ୍ଲାପାଳଙ୍କୁ ପ୍ରଶଂସା ଜଣାଇଛନ୍ତି । ଗତ ସୋମବାର ଖଲିକୋଟ ବ୍ଲକ୍ର ଏକ ଚାଷ ଜମିରେ କାଦୁଅ ପାଣିରେ ଖାଲି ପାଦରେ ପଶି ଜିଲ୍ଲାପାଳ କୃଷି ସ୍ଥିତି ଅନୁଧ୍ୟାନ କରିବା ସହ ଧାଡ଼ିରୁଆ କିଭଳି କରାଯାଏ ସେ ନେଇ ଚାଷୀଙ୍କୁ ବତାଇଥିଲେ । ଏ ସମ୍ପର୍କରେ ‘ପ୍ରମେୟ’ ୩୦ ତାରିଖରେ ପ୍ରକାଶିତ ‘କାଦୁଆ ବିଲରେ ଧାନ ରୋଇଲେ… ଧାଡ଼ିରୁଆ ଶିଖାଇଲେ ଜିଲ୍ଲାପାଳ’ ଶୀର୍ଷକ ଖବର ଉପରେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ- ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଖଲ୍କିକୋଟ ବ୍ଲକ୍ ଭରସା ଗାଁରେ ଚାଷୀଙ୍କ ସହ ମିଶି ଧାନ ରୋଇବା ଏବଂ ଧାଡି଼ରୁଆର ଉପାଦେୟତା ସମ୍ପର୍କରେ ଚାଷୀଙ୍କୁ ବୁଝାଇବା ଉତ୍ସର୍ଗୀକୃତ ସେବାର ପରିଚୟ । ଲୋକଙ୍କ ନିକଟତର ହୋଇ ସେମାନଙ୍କ ସୁବିଧା ପାଇଁ ସମର୍ପଣ ଭାବ ନେଇ କାମ କରୁଥିବାରୁ ଜିଲ୍ଲାପାଳଙ୍କୁ ମୋର ସାଧୁବାଦ ।
ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ- ଜିଲ୍ଲାପାଳ ଚାଷୀମାନଙ୍କ ସାଙ୍ଗରେ ଜମିକ୍ଷେତରେ ଲୋକଙ୍କ ସମସ୍ୟା ବୁଝିବା ଗଣମାଧ୍ୟମରୁ ଜାଣିବାକୁ ପାଇଲି । ପ୍ରଶାସନିକ ଅଧିକାରୀମାନେ ଲୋକଙ୍କ ସହ ମିଶି ସେମାନଙ୍କ ସମସ୍ୟା ସହ ଜଡ଼ିତ ହେଲେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ରାସ୍ତା ବାହାରିବ । ରାଜ୍ୟ କୃଷି ବିଭାଗ ଟ୍ୱିଟର୍ରେ ଲେଖିଛି ଯେ- ଗଞ୍ଜାମ ଜିଲ୍ଲାପାଳ ନିଜ ଗସ୍ତ ବେଳେ ଏନ୍ଏଫ୍ଏସ୍ଏମ୍ (ଜାତୀୟ ଖାଦ୍ୟ ସୁରକ୍ଷା ମିଶନ୍) ଅନ୍ତର୍ଗତ କୃଷି କାର୍ଯ୍ୟ ସମୀକ୍ଷା କରିଥିଲେ । ସେ ତଳି ରୋଇବା କାମରେ ଚାଷୀମାନଙ୍କ ସହ ସାମିଲ୍ ହୋଇଥିଲେ, ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସାମିଲ ହେବାକୁ ଉତ୍ସାହିତ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ଟ୍ୱିଟର୍ ବାଦେ ସୋସିଆଲ୍ ମିଡିଆରେ ସାଧାରଣ ଜନତା, ବୁଦ୍ଧିଜୀବୀ ସମେତ ବିଭିନ୍ନ ମହଲରୁ ଜିଲ୍ଲାପାଳଙ୍କୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।
ଗଞ୍ଜାମ ଜିଲ୍ଲାପାଳ ସୋମବାର ବେଗୁନିଆପଡା ବ୍ଲକ୍ରୁ ଅଭିଯୋଗ ଶୁଣାଣି ସାରି ଫେରୁଥିଲେ । ଖଲିକୋଟ ବ୍ଲକ୍ ମଥୁରା ଗ୍ରାମ ପଞ୍ଚାୟତର ଭରସା ଗ୍ରାମ ଉପକଣ୍ଠ ରାସ୍ତା ପାଖ ବିଲରେ କିଛି ଚାଷୀ କାର୍ଯ୍ୟରତ ଥିଲେ । ତାହା ଦେଖି ଜିଲ୍ଲାପାଳ ନିଜ କାର୍ ଅଟକାଇ ପାଦରୁ ଜୋତା ଖୋଲି ସାଥିରେ ଥିବା ବିଭାଗୀୟ ଅଧିକାରୀଙ୍କୁ ନେଇ ପାଣି କାଦୁଅ ଭର୍ତ୍ତି ବିଲରେ ପଶିଥିଲେ । ଧାଡ଼ିରୁଆ କେମିତି ହୁଏ ତାହା ସେ ନିଜେ ତଳି ରୋଇ ଦେଖାଇ ଦେଇଥିଲେ । ଏହି ଅଞ୍ଚଳରେ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ୍ ଅନ୍ତର୍ଗତ ୫୦ ହେକ୍ଟର ଜମିରେ ଧାଡ଼ିରୁଆ ଚାଷ ତଥା ବନ୍ୟା ସହିପାରୁଥିବା ଧାନ ଅମଳ ପାଇଁ କୃଷି ବିଭାଗ ସହାୟତା ପ୍ରଦାନ କରିଛି । ଏହାର କିଭଳି ସୁଫଳ ମିଳୁଛି ତାହା ଅନୁଧ୍ୟାନ କରିଥିଲେ ଜିଲ୍ଲାପାଳ କୁଲାଙ୍ଗେ । ଜିଲ୍ଲାପାଳଙ୍କୁ ତଳି ରୋଉଥିବା ଦେଖି ସେଠାରେ କାମ କରୁଥିବା ଚାଷୀ, କୃଷି ଶ୍ରମିକ, ତାଙ୍କ ସହ ଥିବା ଅଧିକାରୀଗଣ ଓ ସୁରକ୍ଷା କର୍ମୀ ସମସ୍ତ ବିସ୍ମୟରେ ପଡ଼ି ଯାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons