ବିଷମକଟକ,(ବି.ବି.ନୁ୍ୟଜ୍): ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ୍ର ଦୁଇଟି କୋଭିଡ୍ କେୟାର ସେଣ୍ଟରରେ ଅବ୍ୟବସ୍ଥା ଓ ଅବହେଳାର ଭିଡିଓ ଭାଇରାଲ୍ ପରେ ସେସବୁ କେନ୍ଦ୍ର ପରିଦର୍ଶନ କରିଥିଲେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା । ଅନ୍ତେବାସୀଙ୍କ ଅନେକ ଅଭିଯୋଗ ପରେ କେବଳ ଲଗାଯାଇଛି ଦୁଇଟି ଫ୍ୟାନ୍ । କିନ୍ତୁ ଜିଲ୍ଲାପାଳଙ୍କ ଗସ୍ତ ପରେ ଆସିଛି ଆଉ ଏକ ସଙ୍ଗୀନ ଅଭିଯୋଗ । ତା’ହେଲା ଯେଉଁମାନେ ଅବ୍ୟବସ୍ଥା ସମ୍ପର୍କରେ ମୁହଁ ଖୋଲିଥିଲେ, ସେମାନଙ୍କୁ ଜିଲ୍ଲାପାଳଙ୍କ ଗସ୍ତ ପୂର୍ବରୁ ସୁସ୍ଥ ଦର୍ଶାଯାଇ ଡିସ୍ଚାର୍ଜ କରି ଦିଆଯାଇଥିଲା । ମାତ୍ର ୩ ଦିନରେ ସେମାନେ କିଭଳି ସୁସ୍ଥ ହୋଇଗଲେ ବୋଲି ପ୍ରଶ୍ନ କରିଛନ୍ତି ।
ଅବ୍ୟବସ୍ଥା ବିରୋଧରେ ଅଭିଯୋଗ ଆଣିଥିବାରୁ ୬୫ ଜଣଙ୍କୁ ସୁସ୍ଥ ଦର୍ଶାଇ ଘରକୁ ପଠାଇ ଦିଆଯାଇଥିଲା । ସେମାନଙ୍କ ମଧ୍ୟରେ ଅଛନ୍ତି ସ୍କିଲ୍ ଡେଭଲପ୍ମେଣ୍ଟ ସେଣ୍ଟରଠାରେ ଥିବା ସବ୍କୋଭିଡ୍ ସେଣ୍ଟରର ୧୮ ଏବଂ ନାନିରିଗୁଡା କୋଭିଡ୍ ସେଣ୍ଟରର ୪୭ଜଣ । ଡିସ୍ଚାର୍ଜ ହୋଇଥିବା କେତେକ ଅନ୍ତେବାସୀ ଅଭିଯୋଗ କରିଛନ୍ତି ଯେ, ସେମାନେ ପଜିଟିଭ୍ ଥିବା କୁହାଯାଇ ଶନିବାର ସନ୍ଧ୍ୟାରେ ବିଷମକଟକ କୋଭିଡ୍ ସେଣ୍ଟରକୁ ଅଣାଯାଇଥିଲା । ସେମାନଙ୍କ ମଧ୍ୟରେ ଦୁଇଜଣ ଶିଶୁକନ୍ୟା ରହିଥିଲେ । ଜଣେ ୪ ବର୍ଷର ଓ ଅନ୍ୟଜଣେ ୪୦ ଦିନର । ଶନିବାର ଦିନ କେବଳ ଭିଟାମିନ୍ ଟାବ୍ଲେଟ୍ ଖାଇବାକୁ ଦିଆଯାଇଥିଲା । ୪ ବର୍ଷର ଶିଶୁକନ୍ୟାକୁ କୌଣସି ଔଷଧ ଦିଆଯାଇନଥିଲା । ଏହାର ୩ଦିନ ପରେ ଅବ୍ୟବସ୍ଥା ସମ୍ପର୍କରେ ଭିଡିଓ ଭାଇରାଲ୍ ହେବା ପରେ ସମସ୍ତେ ସୁସ୍ଥ ବୋଲି କୁହାଯାଇ ଡିସ୍ଚାର୍ଜ କରି ଦିଆଯାଇଥିଲା । ଯଦି ଜିଲ୍ଲାପାଳଙ୍କ ଗସ୍ତ ବିଷୟରେ ସେମାନେ ଆଗରୁ ଜାଣିଥାନ୍ତେ, ତା’ହେଲେ ତାଙ୍କୁ ନଭେଟିବା ପର୍ଯ୍ୟନ୍ତ କୋଭିଡ୍ ସେଣ୍ଟର ଛାଡି ନଥାନ୍ତେ ବୋଲି କହିଛନ୍ତି । ଅନୁରୂପ ଅଭିଯୋଗ ଆଣିଛନ୍ତି ନାନିରିଗୁଡା କୋଭିଡ୍ ସେଣ୍ଟରରୁ ଡିସ୍ଚାର୍ଜ ହୋଇଥିବା ୪୭ଜଣ ଅନ୍ତେବାସୀ । ସେମାନେ କହିଛନ୍ତି ଯେ, ଯେଉଁ ମହିଳାମାନେ ପ୍ରଶାସନ ବିରୋଧରେ ଅଭିଯୋଗ ଆଣିଥିଲେ ସେମାନଙ୍କୁ ଚିହ୍ନଟ କରାଯାଇ ଡିସ୍ଚାର୍ଜ କରାଯାଇଥିଲା । କୋଭିଡ୍ ପରିଚାଳନାରେ ହେଉଥିବା ଏଭଳି ଅବ୍ୟବସ୍ଥାର ତଦନ୍ତ ପାଇଁ ସେମାନେ ଦାବି କରିଛନ୍ତି । ଏଥିସହ ୩ଦିନ ଭିତରେ ସେମାନେ କିଭଳି ସୁସ୍ଥ ହେଲେ ଏବଂ ଡିସ୍ଚାର୍ଜ ସମୟରେ ପୁଣିଥରେ କାହିଁକି ସେମାନଙ୍କର ସ୍ୱାବ୍ ପରୀକ୍ଷା କରାଗଲା ନାହିଁ, ତାହାର ମଧ୍ୟ ତଦନ୍ତ ଦାବି କରିଛନ୍ତି ।
ଏ ସମ୍ପର୍କରେ ଆମେ ବିଡିଓ ଆଲବର୍ଟ ଲାକ୍ରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଯେଉଁ ୬୫ଜଣଙ୍କୁ ଡିସ୍ଚାର୍ଜ କରାଯାଇଛି, ସେମାନଙ୍କଠାରେ କରୋନାର କୌଣସି ଲକ୍ଷଣ ନଥିଲା । ତେଣୁ ୩ଦିନ ରଖାଯିବା ପରେ ଛଡା ଯାଇଥିଲା । ସେମାନେ ଆଉ ୭ ଦିନ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବେ ବୋଲି କୁହାଯାଇଥିଲା । ଅନ୍ୟପକ୍ଷରେ ସିଡିଏମ୍ଓ ଡାକ୍ତର ଆର୍ତ୍ତବନ୍ଧୁ ନାୟକ କହିଛନ୍ତି ଯେ, ସ୍ୱାବ୍ ନେବାଠାରୁ ୧୪ ଦିନ ପର୍ଯ୍ୟନ୍ତ ବ୍ୟକ୍ତି ବିଶେଷଙ୍କ ଉପରେ ନଜର ରଖାଯାଇଥାଏ । ରିପୋର୍ଟ ଆସିଲା ବେଳକୁ ୮ରୁ ୧୦ ଦିନ ହୋଇଯାଉଛି । ସେତେବେଳକୁ ସେମାନେ ଆକ୍ରାନ୍ତ ହୋଇ ଏକ ପ୍ରକାର ସୁସ୍ଥ ହୋଇଯାଉଛନ୍ତି । ତେଣୁ ପଜିଟିଭ୍ ରିପୋର୍ଟ ଆସିବା ପରେ ଆଉ ଦୁଇରୁ ୩ ଦିନ କୋଭିଡ୍ କେୟାର ସେଣ୍ଟରରେ ରଖାଯାଇ ଛାଡି ଦିଆଯାଉଛି ।
Comments are closed, but trackbacks and pingbacks are open.