ମାଲକାନଗିରି,(ବି.ବି.ନୁ୍ୟଜ୍): ମାଲକାନଗିରି ଜିଲ୍ଲାରେ ଆଜି ପୁଣି ଦୁଇଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତ କୋରୁକୁଣ୍ଡା ବ୍ଲକ ସୋମନାଥପୁର ସଙ୍ଗରୋଧର କେନ୍ଦ୍ରର ଓ ସେ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡିଛି । ସେହିପରି ଦ୍ୱିତୀୟ ଆକ୍ରାନ୍ତଜଣଙ୍କ ବାଲିମେଳା ଅଞ୍ଚଳର ଓ ସେ ଭୁବନେଶ୍ୱର ଏମସ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ଆଜିର ନୂତନ ପଜିଟିଭ୍ଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩କୁ ଛୁଇଁଛି ।
ବାଲିମେଳାରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ସୋମନାଥପୁର ସଂଗରୋଧ କେନ୍ଦ୍ର ଓ ଏହାର ଆଖପାଖ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ସୂଚନା ଯୋଗ୍ୟ ଯେ, ଗତ ଶନିବାର ମଧ୍ୟରେ ଜିଲ୍ଲାରୁ ମୋଟ ୪ହଜାର ୫୪୨ ଟି ନମୁନା ସଂଗ୍ରହହୋଇ ପରୀକ୍ଷା ପାଇଁ ପଠାଯାଇଥିଲା । ସେଥିମଧ୍ୟରୁ ୫୩ ଟି ନମୁନା ପଜିଟିଭ୍ ଥିବା ବେଳେ ୪ହଜାର ୨୯୪ ନମୁନା ନେଗେଟିଭ ବାହାରିଛି । ୧୯୫ ଟି ନମୁନା ହସ୍ତଗତ ହୋଇନାହିଁ । ଆକ୍ରାନ୍ତଙ୍କ ମଧ୍ୟରୁ ୨୬ଜଣ ସୁସ୍ଥ ହୋଇ ସେମାନଙ୍କ ଘରକୁ ଫେରିଥିବା ବେଳେ ୨୭ଜଣ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଜିର ଆକ୍ରାନ୍ତଙ୍କ ଟ୍ରାଭେଲ ରିପୋର୍ଟ ଜଣା ପଡିଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ଅନ୍ୟ କାହା ସଂସ୍ପର୍ଶରେ ଆସିଛନ୍ତି କି ନାହିଁ ଯାଞ୍ଚ ଚାଲିଥିବା ସ୍ୱାସ୍ଥ୍ୟବିଭାଗ କହିଛି । କରୋନା ସଂକ୍ରମଣଠାରୁ ସତର୍କ ରହିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏଥିରେ କେହି ଭୟଭୀତ ହୁଅନ୍ତୁ ନାହିଁ । ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ, ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟ ରଖନ୍ତୁ । ଲକଡାଉନ ନିୟମ ସହ ସରକାର ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନିୟମକୁ ମାନନ୍ତୁ ବୋଲି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ।
Comments are closed, but trackbacks and pingbacks are open.