ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କଠାରୁ): ନବରଙ୍ଗପୁର ଜିଲ୍ଲାରେ ରେଳ ଗଡ଼ିବା ପର୍ଯ୍ୟନ୍ତ ଉଦ୍ୟମ ଜାରି ରହିବ । ଏଥିସହ ଜିଲ୍ଲାର ସାମଗ୍ରୀକ ବିକାଶ କରାଯିବ । ଶନିବାର ଜିଲ୍ଲା ଗସ୍ତରେ ଆସିଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା କହିଛନ୍ତି । ସେ କହିଛନ୍ତି, ପୂର୍ବାଞ୍ଚଳ ବିକାଶ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ପ୍ରାଧାନ୍ୟ ଦେଉଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଫୋକସରେ ରଖାଯାଇଛି । ଏ ଅଞ୍ଚଳର ବିକାଶ ପାଇଁ ମା’ ତାଙ୍କୁ ଶକ୍ତି ଦିଅନ୍ତୁ ବୋଲି ସେ ମା’ ଭଣ୍ଡାରଘରଣୀଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।
ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ମନ୍ତ୍ରୀ ଜନ ଆଶୀର୍ବାଦ ଯାତ୍ରାରେ ସାମିଲ ହୋଇଥିଲେ । ଏହି ଅବସରରେ ନବରଙ୍ଗପୁର-ଜୟପୁର ରେଳପ୍ରକଳ୍ପ କାମ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ନେଇ ସେ ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ରାଜ୍ୟ ସରକାର ଯେତେଶୀଘ୍ର ଜମି ଅଧିଗ୍ରହଣ କରିବେ ସେତେଶୀଘ୍ର ପ୍ରକଳ୍ପ ଆଗେଇବ ବୋଲି କହିଛନ୍ତି । ପ୍ରକଳ୍ପ ବିଳମ୍ବକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହା କହିଛନ୍ତି ।
ଶ୍ରୀ ବୈଷ୍ଣବ କହିଛନ୍ତି, ଦୀର୍ଘ ୭୦ ବର୍ଷ ହେଲା ଅଞ୍ଚଳର ଆଖିଦୃଶିଆ ବିକାଶ ହୋଇପାରିନି । ଏବେ ରେଳ ପ୍ରକଳ୍ପ ମଞ୍ଜୁରି ଲାଭ କରିଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିକାଶ କାମକୁ ଆଗେଇ ନେଇପାରିବେ । ଜିଲ୍ଲାପାଇଁ ରେଳ ପ୍ରକଳ୍ପ ବିଳମ୍ବ ହୋଇଥିଲେ ହେଁ ଶେଷ ପର୍ଯ୍ୟନ୍ତ ପ୍ରୟାସ ଜାରି ରହିବ । ସ୍ଥାନୀୟ ଗାନ୍ଧି ଛକ ନିକଟରେ ଜନ ଆଶୀର୍ବାଦ ସଭାରେ ମନ୍ତ୍ରୀ ଉଦବୋଧନ ଦେଇ ବୈଷ୍ଣବ କହିଛନ୍ତି, ପୂର୍ବଞ୍ଚଳ ଭାରତ ବିକାଶ ସ୍ୱପ୍ନକୁ ସାକାର କରିବାକୁ ଓଡ଼ିଶାକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ ବିଭାଗ ମଧ୍ୟ ଓଡ଼ିଶା ନେତୃମଣ୍ଡଳୀରେ ରହିଛି । ଆଗାମୀ ଦିନରେ ପ୍ରତି ଘର ପାଇଁ ପାନୀୟ ଜଳ, ଇଣ୍ଟରନେଟ୍ ସୁବିଧା କରାଯିବ । ରେଳ ଓ ଅନ୍ୟାନ୍ୟ ଯୋଗଯୋଗର ବିକାଶ ମଧ୍ୟ କରାଯିବ । ଇନ୍ଦ୍ରାବତୀ ପୋଲ ନିକଟରେ ମନ୍ତ୍ରୀ ପୋଡ଼ା ମକା ଖାଇବା ପରେ ଚାଉରିଆଗୁଡ଼ାରୁ ଏକ ବାଇକ୍ ରାଲିରେ ମନ୍ତ୍ରୀ ସହରକୁ ପ୍ରବେଶ କରିଥିଲେ । ଅଲେଖ ମହିମା ଆଶ୍ରମ, ଜଗନ୍ନାଥ ମନ୍ଦିର, ମା’ ଭଣ୍ଡାରଘରଣୀ ମନ୍ଦିର ଦର୍ଶନ କରିବା ସହ ଆଶୀର୍ବାଦ ଗ୍ରହଣ କରିଥିଲେ । ସାଧାରଣ ସଭାରେ ଉଦ୍ବୋଧନ ପରେ ମନ୍ତ୍ରୀ ସର୍କିଟ୍ ହାଉସ୍ଠାରେ ଜିଲ୍ଲାପାଳ ଓ ଏସ୍ପିଙ୍କ ସହ ରେଳ ଜମି ଅଧିଗ୍ରହଣ ନେଇ ଆଲୋଚନା କରିବା ସହ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଉମରକୋଟ ବିଧାୟକ ନିତ୍ୟାଂନନ୍ଦ ଗଣ୍ଡ, ପୂର୍ବତନ ସାଂସଦ ପର୍ଶୁରାମ ମାଝି, ବଳଭଦ୍ର ମାଝି, ଗୌରୀଶଙ୍କର ମାଝି, ମୃତୁ୍ୟଞ୍ଜୟ ଦାସ, ଅନନ୍ତ ପଣ୍ଡା, କାହ୍ନୁ ଦାସଙ୍କ ସମେତ ବହୁ ବିଜେପି କର୍ମୀ ସାମିଲ ହୋଇଥିଲେ । ବିଭିନ୍ନ ଦଳର କର୍ମୀ ବିଜେପିରେ ସାମିଲ ହୋଇଥିଲେ ।
Comments are closed, but trackbacks and pingbacks are open.