ଜିଲ୍ଲାର ୮୦୦ ଗାଁକୁ ନାହିଁ ରାସ୍ତା

Get real time updates directly on you device, subscribe now.

ରାୟଗଡା,(ବି.ବି.ନୁ୍ୟଜ୍): ସ୍ୱାଧୀନତାର ୭ ଦଶନ୍ଧି ବିତିଗଲାଣି । ହେଲେ ରାୟଗଡା ଜିଲ୍ଲାର ୮୦୦ ଗାଁକୁ ରାସ୍ତାଟିଏ ନାହିଁ । ପାହାଡ ଢାଲୁ ଓ ଜଙ୍ଗଲ ଭିତରେ ପୁରୁଷ ପୁରୁଷ ଧରି ଛାଡିଯାଇଥିବା ପାଦଚଲା ରାସ୍ତା ଏବେ ବି ଲୋକଙ୍କ ଚିରସାଥୀ ହୋଇ ରହିଛି । ପାହାଡ ମୁଲକରେ ଥିବା ଗାଁଗୁଡିକୁ ସ୍ଥାୟୀରାସ୍ତା ନିର୍ମାଣ କରି ପଞ୍ଚାୟତ ସହ ସଂଯୋଗ କରିବାରେ ପ୍ରଶାସନ ଓ ସରକାର ବିଫଳ ହୋଇଛନ୍ତି । ଦେଶ ଦୁନିଆରେ ଜିଲ୍ଲାର ଏଭଳି ଅବସ୍ଥା ନେଇ ଅପମାନିତ ହେବାକୁ ପଡୁଥିବା ବରିÂ ନାଗରିକମାନେ କହିଛନ୍ତି । ଜିଲ୍ଲାର କାଶୀପୁର ବ୍ଲକରେ ସର୍ବାଧିକ ୧୬୪ଟି ଗାଁକୁ ରାସ୍ତା ନାହିଁ ।
ଜିଲ୍ଲା ଗଠନକୁ ୨୮ ବର୍ଷ ହୋଇଗଲାଣି । କିନ୍ତୁ ଜିଲ୍ଲାରେ ୮୦୦ଟି ଗ୍ରାମକୁ ରାସ୍ତା ନାହିଁ । ଫଳରେ ରାସ୍ତାନଥିବା ଗାଁର ଲୋକେ ବିଚ୍ଛିନାଞ୍ଚଳ ଜୀବନ ଜାପନ କରୁଛନ୍ତିି । ଯାହାକି ଜିଲ୍ଲାପାଇଁ ଅପମାନ ବୋଲି ସ୍ୱର ଉଠୁଛି । ରାସ୍ତା ନଥିବା ଯୋଗୁଁ ଅନ୍ୟାନ୍ୟ ସୁବିଧା ଲୋକଙ୍କ ନିକଟରେ ପହଂଚିବା ମୁସ୍କିଲ ହୋଇପଡୁଛି । ଏଭଳି ମୌଳିକ ସମସ୍ୟା ଭିତରେ ବୁଡି ରହିଥିବା ବ୍ଲକ ଭିତରେ ସର୍ବାଗ୍ରେ ରହିଛି କାଶୀପୁର । ପ୍ରଶାସନର ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ ଏହିବ୍ଲକରେ ୧୬୧ଟି ରାଜସ୍ୱ ଓ ପଡା ଗାଁକୁ ରାସ୍ତା ଖଣ୍ଡିଏ ନାହିଁ । ତା ପଛରେ ରହିଛି ମୁନିଗୁଡା ବ୍ଲକ । ୧୪୦ଟି ଗ୍ରାମକୁ ରାସ୍ତା ନଥିବା ଚିହ୍ନଟ କରାଯାଇଥିବା ବେଳେ ସମସ୍ୟା ବହୁଳ କଲ୍ୟାଣସିଂହପୁର ବ୍ଲକରେ ୧୦୧ ଗ୍ରାମ, ଗୁଣପୁର ବ୍ଲକରେ ୮୧, ଚନ୍ଦ୍ରପୁରର ୮୪, ଗୁଡାରୀର ୬୫, ବିଷମକଟକର ୫୧, ପଦ୍ମପୁରର ୩୪, ରାମନାଗୁଡାର ୨୭, କୋଲନରା ବ୍ଲକର ୨୪ଟି ଗାଁରେ ସ୍ଥାୟୀ ରାସ୍ତା ନାହିଁ । ସବୁଠାରୁ ବିସ୍ମୟର କଥା ଜିଲ୍ଲା ସଦର ମହକୁମା କୁହାଯାଉଥିବା ରାୟଗଡା ବ୍ଲକରେ ୭୨ ଟି ଗାଁକୁ ରାସ୍ତା ନିର୍ମାଣ ହୋଇନାହିଁ । ରାସ୍ତା ନଥାଇ ଗାଁଗୁଡିକରେ ଲୋକେ ଅଭିଶପ୍ତ ଜୀବନ ଯାପନ କରୁଥିବା କହିଛନ୍ତି । ପାହାଡ ଢ଼ାଲୁ ଜୀବନ ଜୀବିକା ଦେଇଆସୁଛି । ଆଉ କେତେଦିନ ଏଭଳି ଅଭିଶପ୍ତ ଜୀବନ ଯାପନ କରିବେ ବୋଲି କାଶୀପୁର ବ୍ଲକ ପୁତୁଲିମାଳୀ, କଦଳିଖୋଲ, ବରିଗୁଡା, ବାସଙ୍ଗମାଳି, କେଶକେରି, ଚିରୁକୁଲି, ହିଙ୍ଗେରଗୁଡା, ଡେରାକଣା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଆଉ ନିୟମଗିରି ପାହାଡରେ ଅବସ୍ଥା ଆହୁରି ସାଂଘାତିକ । ଏଠାରେ ୧୨୦ ଗାଁ ମଧ୍ୟରୁ ୨୦ଟି ଗାଁକୁ ନିର୍ମାଣ ହୋଇନାହିଁ ଚଲାପଥଟିଏ । ଫଳରେ ନିୟମରାଜାକୁ ମାନି ଭାଗ୍ୟକୁ ଆଦରି ରହିଛନ୍ତି ଆଦିମ ଜନଜାତି ଡଙ୍ଗରିଆକନ୍ଧ । ବଣ ଭିତରେ ରହି ବଣୁଆଙ୍କ ଭଳି ଦିନ କାଟୁଥିବା ଅନେକ ଡଙ୍ଗରିଆ କହିଛନ୍ତି । ସେହିଭଳି ଚନ୍ଦ୍ରପୁର ବ୍ଲକର ବିଜାପୁର ପଞ୍ଚାୟତର ସ୍ଥିତି ମଧ୍ୟ ସଙ୍ଗୀନ । ପଞ୍ଚାୟତର ୯୦ ପ୍ରତିଶତ ଗାଁକୁ ରାସ୍ତା ନିର୍ମାଣ ହୋଇ ପାରିନାହିଁ । ମୁନିଗୁଡା ବ୍ଲକର ରଘୁବାରି ଓ ଡିମିରିଗୁଡା ପଞ୍ଚାୟତର ଅବସ୍ଥା ମଧ୍ୟ ସମାନ । ଏହି ଦୁଇଟି ପଞ୍ଚାୟତର ୮୦ ପ୍ରତିଶତ ଗାଁକୁ ରାସ୍ତା ନାହିଁ । ନିକଟରେ ଅନୁÂିତ ଜିଲ୍ଲା ଯୋଜନା କମିଟି ବୈଠକରେ ଏଭଳି ତଥ୍ୟ ଉପସ୍ଥାପନ ପରେ ଆଲୋଚନା ସରଗରମ ହୋଇଥିଲା । ଲୋକ ପ୍ରତିନିଧିମାନେ ରାସ୍ତା ନିର୍ମାଣ କେବେ ହେବ ବୋଲି ପ୍ରଶ୍ନ କରିଥିଲେ । ୨୦୦୦ ମସିହାରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଆସନ୍ତା ମାର୍ଚ୍ଚରେ ଶେଷ ହୋଇଯିବ । ଏହି ଯୋଜନାର ଫେଜ-୧ ଓ ଫେଜ-୨ ରେ ୨୫୦୦ କିଲୋମିଟର ରାସ୍ତା ନିର୍ମାଣ ସରିଛି । ମାର୍ଚ୍ଚ ସୁଦ୍ଧା ବଳକା ୨୦୦ କିଲୋମିଟର ସରିବ ବୋଲି ଗ୍ରାମ୍ୟ ନିର୍ମାଣ ବିଭାଜନର ନିର୍ବାହୀଯନ୍ତ୍ରୀ ପ୍ରଦୀପ ମଣ୍ଡଳ କହିଥିଲେ । ଫେଜ-୩ ପାଇଁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି ହେଲେ ସେଥିରେ ପୁରୁଣା ରାସ୍ତା କେବଳ ମରାମତି ହେବ । ଫେଜ-୪ ଘୋଷଣା କଲେ ନୂତନ ରାସ୍ତା ଗାଁଗୁଡିକରେ ନିର୍ମାଣ କରାଯିବ ବୋଲି ଶ୍ରୀ ମଣ୍ଡଳ କହିଥିଲେ । ୨୦୧୮ ନଭେମ୍ବରରେ ୮୪୦ ଗାଁକୁ ରାସ୍ତା ନଥିବା ବେଳେ ଗତ ୧୪ ମାସ ମଧ୍ୟରେ ମାତ୍ର ୪୦ଟି ଗାଁକୁ ହିଁ ଯୋଗାଯୋଗ ପାଇଁ ରାସ୍ତା ନିର୍ମାଣ ସମ୍ଭବ ହୋଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons