ଭଦ୍ରକ,(ବି.ବି.ନୁ୍ୟଜ୍): ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଆଜି ଅଚାନକ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ମନ୍ତ୍ରୀ ଶ୍ରୀ ଦାସ ମଧ୍ୟାହ୍ନ ଗୋଟାଏ ବେଳେ ଜିଲ୍ଲା ଚିକିତ୍ସାଳୟ ଆଉଟଡୋର ସମ୍ମୁଖରେ ପହଞ୍ଚିଥିଲେ । ଅପେକ୍ଷାରତ କିଛି ରୋଗୀଙ୍କ ସହ କଥା ହୋଇଥିଲେ । ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ପରେ ଡାଏଲିସିସ ସେଣ୍ଟର, ଟ୍ରମା ସେଣ୍ଟର ଓ ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ପହଞ୍ଚି ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ସହ କିଛି ସମୟ ବିତାଇଥିଲେ । ବିଭିନ୍ନ ୱାଡର଼୍ ବୁଲି ଥିଲେ । ସବୁ କିଛି ଠିକ ଠାକ ଥିବା ମନ୍ତ୍ରୀ ଜାଣିବାକୁ ପାଇଥିଲେ । ପରେ ସମୀକ୍ଷା ବୈଠକ ବସିଥିଲା । ବୈଠକରେ ଜିଲ୍ଲାପାଳଙ୍କ ସମେତ ସାସଂଦ, ବିଧାୟକ, ମେଡିକାଲ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ । ଜିଲ୍ଲାର ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଖୁନ୍ଦି ହୋଇଥିବା ସ୍ୱାସ୍ଥ୍ୟ ସମସ୍ୟା ବାବଦରେ ଜାଣି ମନ୍ତ୍ରୀ ତାଜୁବ ହୋଇଥିଲେ । ସାମ୍ବାଦିକଙ୍କ ନିକଟରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଉତ୍ତର ରଖିବାକୁ ମନ୍ତ୍ରୀ ନିଦେ୍ର୍ଧଶ ଦେଇଥିଲେ ।
ସମୀକ୍ଷା ବୈଠକ ଆରମ୍ଭରୁ ଗଣମାଧ୍ୟମ ପ୍ରତିନିଧି ମନ୍ତ୍ରୀଙ୍କୁ ଘେରିଥିଲେ, ୪ ବର୍ଷ ଧରି ଅଲଟ୍ରା ସାଉଣ୍ଡ ମେସିନ ଅଚଳ ରହିଛି । କେବେ ଏହା କାର୍ଯ୍ୟ କରିବ ? । ସେହିଭଳି ଡାକ୍ତରମାନେ ଠିକ ସମୟରେ ମେଡିକାଲ ଆସୁ ନାହାନ୍ତି । ଡାକ୍ତରଙ୍କ ଅଭାବ ରହିଛି । ସ୍ତ୍ରୀ ଓ ପ୍ରସୂତି ବିଭାଗରେ ବ୍ୟାପକ ଲାଞ୍ଚ କାରବାର ଚାଲିଛି । ଡାକ୍ତରଙ୍କ ଅବହେଳାରୁ ମହିଳା ମେଡିକାଲ ବାରଣ୍ଡାରେ ପ୍ରସବ କରୁଛନ୍ତି । ଅପରାହ୍ନ ୨ଟା ପରେ ନିଦାନ ବିଭାଗରୁ ରୋଗୀ ଉପକୃତ ହୋଇ ପାରୁ ନାହାନ୍ତି । ଜମି ଓ ଅର୍ଥ ଥାଇ ମଧ୍ୟ ଜିଲ୍ଲା ଚିକିତ୍ସାଳୟ ନୂତନ ବିଲଡ଼ିଂ ଗୃହ ନିର୍ମାଣ ହୋଇ ପାରୁନି । ଶଯ୍ୟା ଅଭାବରୁ ରୋଗୀ ବାରଣ୍ଡାରେ ଶୋଇ ଚିକିତ୍ସିତ ହେଉଛନ୍ତି । ଏହିପରି ବିଭିନ୍ନ ସମସ୍ୟାଭିତ୍ତିକ ପ୍ରଶ୍ନରେ ମନ୍ତ୍ରୀ ଶ୍ରୀ ଦାସ ନିରୁତ୍ତର ରହିବା ସହ ଉତ୍ତର ଦେବାକୁ ସିଡିଏମଓଙ୍କୁ କହିଥିଲେ । କିନ୍ତୁ ସିଡିଏମଓଙ୍କ ସମେତ ଜିଲ୍ଲାପାଳ ଓ ଅନ୍ୟାନ୍ୟ ନିର୍ବାଚିତ ଲୋକ ପ୍ରତିନିଧିମାନେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ । ଯାହାକି ଜିଲ୍ଲାରେ ନିମ୍ନଗାମୀ ସ୍ୱାସ୍ଥ୍ୟବସ୍ଥାର ବାସ୍ତବ ଚିତ୍ରକୁ ସମ୍ମୁଖକୁ ଆଣିଥିଲା । ମନ୍ତ୍ରୀ ଶ୍ରୀ ଦାସ ନୂତନ ବିଲଡ଼ିଂ ନିର୍ମାଣ ଓ ୪ ବର୍ଷ ଧରି ଅଲଟ୍ରା ସାଉଣ୍ଡ ମେସିନ ଅଚଳ ହୋଇ ରହିବା ପ୍ରସଙ୍ଗରେ ବିରକ୍ତି ପ୍ରକାଶ କରିଥିଲେ । ସେ କହିଥିଲେ, ଆସନ୍ତା ୭ଦିନ ମଧ୍ୟରେ ଏକ ସ୍ୱତନ୍ତ୍ର ଟିମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଭିତ୍ତିଭୂମୀ ଓ ସମସ୍ୟା ଉପରେ ଅନୁଧ୍ୟାନ କରିବ । ଦେଖାଦେଇଥିବା ସମସ୍ୟା ଖୁବ ଶୀଘ୍ର ସମାଧାନ ହେବ । ଭଦ୍ରକରେ ପସ୍ତାବିତ ମେଡିକାଲ କଲେଜ ପ୍ରତିÂା ପ୍ରସଙ୍ଗରେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ, ମୁଖ୍ୟମନ୍ତ୍ରୀ ଏ ବିଷୟରେ ଅବଗତ ଅଛନ୍ତି, ଗୁରୁତର ସହ ବିଚାର କରୁଛନ୍ତି । ସେହିଭଳି ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ନୂତନ ମେଡିକାଲ ବିଲଡିଂ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ମନ୍ତ୍ରୀ କହିବା ସହ ସମସ୍ତ ବିଧାୟକ ଓ ସାଂସଦଙ୍କୁ ନେଇ ଜିଲ୍ଲାର ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ଏକ ଜରୁରି ସମକ୍ଷା ବୈଠକ ସେ କରିବେ ବୋଲି ପ୍ରକାଶ କରିଥିଲେ । ବିଶେଷକରି ଫାଙ୍କା ପଡିÿଥିବା ଡାକ୍ତର ପଦବୀ ପୂରଣ ହେବ । ଅନ୍ୟ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।
୫ଟି କାର୍ଯ୍ୟକ୍ରମରେ ମନ୍ତ୍ରୀ ଓ ସଚିବମାନେ ପୂର୍ବରୁ କୌଣସି ସୂଚନା ନ ଦେଇ ବିଭିନ୍ନ ଅଞ୍ଚଳ ଗସ୍ତ କରିବା କଥା । କିନ୍ତୁ ଆଶ୍ୱର୍ଯ୍ୟଜନକ ଭାବେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ଭିତିରିଆ ସୂଚନା ମିଳିଯାଇଥିଲା । ଜିଲ୍ଲା ଓ ସ୍ୱାସ୍ଥ୍ୟ ବିଭାଗ ପୂରା ସଜାଗ ହୋଇ ଯାଇଥିଲା । ତେଣୁ ସମସ୍ତେ ଖୁବ କମ୍ ସମୟ ମଧ୍ୟରେ ସତର୍କ ହୋଇଯାଇଥିଲେ ତେଣୁ ବିଶେଷକିଛି ପରିଶ୍ରମ କରିବାକୁ ପଡ଼ିନଥିଲା । ମନ୍ତ୍ରୀଙ୍କ ନଜରକୁ ମଧ୍ୟ ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟଙ୍କ ଠାରୁ କୌଣସି ଅଭିଯୋଗ କିମ୍ବା ଅନିୟମିତତା ଆସିନଥିଲା । ପରିମଳ ଠାରୁ ଆରମ୍ଭ କରି ରୋଗୀଙ୍କ ଖାଦ୍ୟ ବ୍ୟବସ୍ଥା ପର୍ଯ୍ୟନ୍ତ ସବୁକିଛିକୁ ନେଇ ସନ୍ତୋଷ ପ୍ରକଟ କରିଥିଲେ ମନ୍ତ୍ରୀ ।
ମନ୍ତ୍ରୀ ଆସୁଥିବା ଖବର ପାଇ ଡିଆରଡ଼ିଏ ସମ୍ମିଳନୀ କକ୍ଷରେ ଯୋଜନା ବୋଡର଼୍ ବୈଠକରେ ଉପସ୍ଥିତ ଥିବା ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଯୋଜନା ବୋଡର଼୍ ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପ୍ରମୁଖ ମନ୍ତ୍ରୀଙ୍କ ନିକଟରେ ପହଞ୍ଚି ଥିଲେ । ଶେଷରେ ମନ୍ତ୍ରୀ ଶ୍ରୀ ଦାସ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଥିଲେ । ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଉପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି ବୈଠକରେ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ବ୍ୟତୀତ ଜିଲ୍ଲାପାଳ ଜ୍ଞାନ ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ଆର୍ଯ୍ୟ ମିଶ୍ର, ଅତିରିକ୍ତ ଚିକିତ୍ସାଧିକାରୀ ଡ଼ା. ପ୍ରଦୀପ ଖୁଣ୍ଟିଆ, ତିହିଡ଼ି ବ୍ଲକ ଅଧ୍ୟକ୍ଷା ବିଦୁ୍ୟତ୍ ଲତା ନାୟକ, ଚାନ୍ଦବାଲି ବିଧାୟକଙ୍କ ପ୍ରତିନିଧି ଅଶୋକ ବଳ, ଯୁବନେତା ପ୍ରବୀର ଜେନା, ଛାତ୍ର ନେତା ତଥାଗତ ସାମଲଙ୍କ ସମେତ ବହୁ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତଥିଲେ । ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଉପରେ ଆଲୋଚନା ହୋଇଥିଲା ।


Comments are closed, but trackbacks and pingbacks are open.