
ନବରଙ୍ଗପୁର,(ବି.ବି.ନୁ୍ୟଜ): ବିଜେଡିରେ ଦୁର୍ବଳ ନେତୃତ୍ୱ ପ୍ରସଙ୍ଗରେ ଭିଡିଓ ଭାଇରାଲ୍କୁ ନେଇ ବେଶ୍ ଉତ୍ସାହିତ ହୋଇ ପଡ଼ିଥିଲା ବିଜେପି । ଦଳୀୟ କର୍ମୀମାନେ ଭିଡିଓଙ୍କୁ ସୋସିଆଲ ମିଡିଆରେ ଅଧିକ ଭାଇରାଲ କରି ଖୁସି ମନାଇଥିଲେ । ଏହାର ୨ ଦିନ ଯାଇନି, ବିଜେପି ସଂଗଠନର ଦୁର୍ବଳତା ପଦାରେ ପଡି ଦାଣ୍ଡରେ ଗଡ଼ିଛି । ଜିଲ୍ଲାରେ ଦଳର ଦୁର୍ବଳ ସଂଗଠନ ଏବଂ ଦୁର୍ବଳ ନେତୃତ୍ୱକୁ ବିରୋଧ କରି ଜିଲ୍ଲା ସଂପାଦକ ପଦରୁ ଇସ୍ତଫା ଦେଇଛନ୍ତି ମନୋଜ ମହାଙ୍କୁଡ । ଏହାକୁ ନେଇ ଦଳକୁ ଲାଗିଛି ଶକ୍ତ ଝଟ୍କା । ମନୋଜ କହିଛନ୍ତି, ଆହୁରି ଅନେକ ନେତା ଏବଂ କର୍ମୀ ଭାଜପା ହାତ ଛାଡ଼ିବାକୁ ସଜବାଜ ହେଉଛନ୍ତି । ଜିଲ୍ଲାରେ ଦଳର ସଂଗଠନ ‘ମାମୁ-ଭଣଜା’ ସଂଗଠନରେ ସୀମିତ ରହିଛି । କିନ୍ତୁ ମାମୁ କିଏ ଓ ଭଣଜା କିଏ ତାହା ସ୍ପଷ୍ଟ କରିନାହାନ୍ତି ।
ମନୋଜ ଅଭିଯୋଗ କରିଛନ୍ତି ଯେ, ବିଜେପିର ଜିଲ୍ଲା କମିଟି ଗଠନ ବେଳେ ଅନେକ ପୁରୁଖା ଓ ଆଗଧାଡିର ନେତାଙ୍କୁ ଅଣଦେଖା କରାଯାଇଛି । କମିଟି ଗଠନ ବେଳେ କାହାରିକୁ ଡକାଯାଇନଥିଲା କି କାହାରି ପରାମର୍ଶ ନିଆଯାଇନଥିଲା । ଜିଲ୍ଲାରେ ୧୦ଟି ବ୍ଲକ ଏବଂ ୨ଟି ପୌରପାଳିକା ଥିବା ବେଳେ କେବଳ ନବରଙ୍ଗପୁର ପୌରପାଳିକା ଓ ନନ୍ଦାହାଣ୍ଡି ବ୍ଲକକୁ ନେଇ ଜିଲ୍ଲା ସଂଗଠନକୁ ସୀମିତ ରଖାଯାଇଛି । ବଳକା ୯ଟି ବ୍ଲକ ଏବଂ ଗୋଟିଏ ପୌରପାଳିକାର ବରିÂ କର୍ମୀଙ୍କୁ ଜିଲ୍ଲା କମିଟିରେ ସ୍ଥାନ ଦିଆଯାଇନି । ତେଣୁ ସଂଗଠନ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଏହାକୁ ନେଇ ଦଳ ଗଠନ ସମୟର ପୁରୁଖା ନେତା ଓ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଦୁର୍ବଳ ସଂଗଠନର ଦୁର୍ବଳ ନେତୃତ୍ୱକୁ ନେଇ ଆଗାମୀ ପଞ୍ଚାୟତ ଓ ପୌରନିର୍ବାଚନ ଲଢିବା ସମ୍ଭବ ନୁହେଁ । ଜିଲ୍ଲା କମିଟି ଗଠନ ଦିନରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ । ତାଙ୍କ ଅଭିଯୋଗକୁ ଦଳର ଜିଲ୍ଲାସଭାପତି ଜଗଦୀଶ ବିଶୋୟୀ ଗୁରୁତ୍ୱ ଦେଇନଥିଲେ । ଦୁର୍ବଳ ନେତୃତ୍ୱରେ ଦୁର୍ବଳ ସଂଗଠନରେ କାମ କରିବା ଅପେକ୍ଷା ଇସ୍ତଫା ଦେବା ଉଚିତ ମନେ କରିଥିଲେ ।
ବିଜେପି ଜିଲ୍ଲା ସଭାପତି ଜଗଦୀଶ ବିଷୋୟୀଙ୍କୁ ଯୋଗାଯୋଗ କରିବାରୁ ମନୋଜଙ୍କ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । କହିଛନ୍ତି, ଏକ ପାରିବାରିକ ଉତ୍ସବରେ ଦଳ ସଂପର୍କରେ ନକରାତ୍ମକ ଆଲୋଚନା କରିବାରୁ ତାଙ୍କୁ ଦଳ ତରଫରୁ କୈଫିୟତ ମଗା ଯାଇଥିଲା । ସେ କୈଫିୟତ ଦେବା ସହିତ ଜିଲ୍ଲା ସଂଗଠନକୁ ସୁଦୃଢ କରିବାକୁ ଇସ୍ତଫା ଦେଇଥିବା ପତ୍ରରେ ଲେଖିଛନ୍ତି । ଆଗାମୀ ଦିନରେ ଦଳର ଜିଲ୍ଲା କୋର୍ କମିଟିରେ ଏ ସଂପର୍କରେ ନିଷ୍ପତ୍ତି ନିଆଯିବ । ଦଳ ପାଇଁ ସମୟ ଦେଉଥିବା କର୍ମୀଙ୍କୁ ହିଁ ଦଳ ଗୁରୁତ୍ୱ ଦେଉଛି । କେବଳ ପଦ ଲାଳସା ଥିବା ଲୋକଙ୍କୁ ଦଳ ଆଉ ଗୁରୁତ୍ୱ ଦେଉନି । ଜିଲ୍ଲା ବିଜେପି ସଂଗଠନ ସୁଦୃଢ ରହିଛି ବୋଲି ସେ କହିଛନ୍ତି ।
Comments are closed, but trackbacks and pingbacks are open.