ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପରିଷଦ ବୈଠକ:୧୦ ବର୍ଷରେ କର୍ମଚାରୀଙ୍କ ବଦଳି

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ଏଣିକି ଗୋଟିଏ ସ୍ଥାନରେ ୧୦ ବର୍ଷରୁ ଅଧିକ ରହିପାରିବେନି ସ୍ୱାସ୍ଥ୍ୟ କର୍ମଚାରୀ । ଏହା ପୂର୍ବରୁ ତାଙ୍କୁ ଅନ୍ୟତ୍ର ବଦଳି କରାଯିବ । ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସାଧାରଣ ପରିଷଦ ବୈଠକରେ ମଙ୍ଗଳବାର ଏହି ନିଷ୍ପତ୍ତି ହୋଇଛି । ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର ସିଡିଏମଓ ଡା.ଶୋଭାରାଣୀ ମିଶ୍ରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଏହି ବୈଠକ ହୋଇଥିଲା । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତ୍ରା ଏଥିରେ ଅଧ୍ୟକ୍ଷତା କରିଥିଲେ । ବୈଠକରେ କୁହାଯାଇଛି ଯେ, ବର୍ଷବର୍ଷ ଧରି ସ୍ୱାସ୍ଥ୍ୟ କର୍ମଚାରୀ ଗୋଟିଏ ସ୍ଥାନରେ ରହୁଛନ୍ତି । ଦୀର୍ଘ ଦିନ ଧରି ରହୁଥିବା କର୍ମଚାରୀ ଲୋକଙ୍କୁ ସେବା ଯୋଗାଇବାରେ ବିଫଳ ହେଉଛନ୍ତି । ରୋଗୀ ଡାକ୍ତରଖାନାକୁ ଗଲେ ଅନେକ ସମୟରେ ଡାକ୍ତର, ନର୍ସ ଅବା ଫାର୍ମାସିଷ୍ଟଙ୍କ ଦେଖା ମିଳୁନି । ଅନେକ ଡାକ୍ତରଖାନାରେ ତାଲା ଝୁଲି ରହୁଛି । ସ୍ୱାସ୍ଥ୍ୟ କର୍ମଚାରୀ ଦାୟିତ୍ୱ ଭୁଲି ଯାଉଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ଏପରିସ୍ଥଳେ, ଗୋଟିଏ ସ୍ଥାନରେ ୧୦ ବର୍ଷରୁ ଅଧିକ କୌଣସି କର୍ମଚାରୀ ରହିପାରିବେନି ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା । ସେହିପରି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କିଡନୀଜନିତ ରୋଗୀଙ୍କୁ ଡାଏଲିସିସ୍ ସେବା ଓ ଗର୍ଭବତୀଙ୍କୁ ଅଲଟ୍ରାସାଉଣ୍ଡ ସେବା ମିଳୁ ନଥିବା ନେଇ ବୈଠକରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସଦସ୍ୟମାନେ ଉଦବେଗ ପ୍ରକାଶ କରିଥିଲେ । ଏହି ସେବା ପାଇଁ ଦୂରସ୍ଥାନରୁ ରୋଗୀ ଖର୍ଚ୍ଚାନ୍ତ ହୋଇ ଆସି ହଇରାଣ ହେଉଥିବା ଓ ନିରାଶ ହୋଇ ଫେରୁଥିବା ସଦସ୍ୟମାନେ କହିଥିଲେ । ଏପରିକି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ ହୋଇଥିଲା । ଅଲଟ୍ରାସାଉଣ୍ଡ ପାଇଁ ଗର୍ଭବତୀମାନେ ପାପଡାହାଣ୍ଡି ଡାକ୍ତରଖାନାକୁ ଯାଉଥିବା କୁହାଯାଇଥିଲା । ଏହି ଦୁଇ ସେବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଠିକ୍ ଭାବେ ମିଳୁ ନଥିବାରୁ ଜିଲ୍ଲାପାଳ କ୍ଷୋଭ ପ୍ରକାଶ କରିଥିଲେ । ଏହି ଦୁଇ ସେବାକୁ ସୁନିଶ୍ଚିତ ଓ ତଦାରଖ କରିବାକୁ ଜିଲ୍ଲାପାଳ ସିଡିଏମଓଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଖାଲି ପଡିଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ କୁହାଯାଇଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନୁଦାନ ଖର୍ଚ୍ଚ କରିବାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକ ତୁଳାନରେ ପଛରେ ପଡିଥିବା କୁହାଯାଇଥିଛି । ଏହାକୁ ନେଇ ଜିଲ୍ଲାପାଳ ଉଦ୍ବେଗ ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ, ନବରଙ୍ଗପୁର ସହରରେ ୧ କୋଟି ୪୮ ଲକ୍ଷ ଟଙ୍କା ବ୍ୟୟରେ ଏକ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ପାଇଁ ମଞ୍ଜୁରୀ ମିଳିଥିବା ବୈଠକରୁ ସୂଚନା ମିଳିଛି । ପୁରୁଣା ଡାକ୍ତରଖାନା ପରିସରରେ ନୂଆ ସ୍ୱାସ୍ଥ୍ୟକେନ୍ଦ୍ର କୋଠା ନିର୍ମାଣ ପାଇଁ ପ୍ରକ୍ରିୟା ଜାରି ରହିଥିବା ସିଡିଏମଓ ସୂଚନା ଦେଇଛନ୍ତି । ଡାକ୍ତରଖାନାଗୁଡିକରେ ନିରାମୟ ଔଷଧ ରୋଗୀଙ୍କୁ ମିଳୁଛି କି ନାହଁ ଏହାର ତଦାରଖ କରିବାକୁ ସ୍ୱତନ୍ତ୍ର ଦଳ ସମୀକ୍ଷା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖାଲି ରହିଥିବା କ୍ୱାଟର୍ସଗୁଡିକୁ କର୍ମଚାରୀଙ୍କୁ ତୁରନ୍ତ ପ୍ରଦାନ କରିବାକୁ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଛନ୍ତି । ଅବ୍ୟବହୃତ ଆମ୍ବୁଲାନ୍ସ ଓ କୋଠାଗୁଡିକର ବିବରଣୀ ଦେବାକୁ ସିଡିଏମଓଙ୍କୁ ଜିଲ୍ଲାପାଳ କହିଛନ୍ତି । ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା ଠେଲା, ଚା-ଜଳଖିଆ ଦୋକାନୀ, ଗାଡିଚାଳକ ଆଦିଙ୍କୁ ଚିହ୍ନଟ କରି ସେମାନଙ୍କୁ କୋଭିଡ ଟୀକା ଦେବାକୁ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ବୈଠକରେ ଗୁରୁତ୍ୱ ଦେଇଛନ୍ତି । ବୈଠକରେ ନବରଙ୍ଗପୁର ଉପଜିଲ୍ଲାପାଳ ଭାସ୍କର ରଇତ, ଡିପିଏମ ସୁଶାନ୍ତ ପ୍ରହରାଜଙ୍କ ସମେତ ମୁଖ୍ୟ ଚିକିତ୍ସାଳୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons