ଜୀବନ ଦୋଛକିରେ ୪ ଅନାଥ ଶିଶୁ

Get real time updates directly on you device, subscribe now.

ଉମରକୋଟ,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ତିନି ବର୍ଷ ହେଲା ଆରପାରିକୁ ଚାଲିଯାଇଛି ମାଆ । ଗତ ୧୫ ଦିନ ତଳେ ବାପାଙ୍କର ବି ମୃତୁ୍ୟ ହୋଇଛି । ସାହା ଭରସା ବୋଲି ଆଉ କେହି ନାହାନ୍ତି । ପଡୋଶୀ ଦୟା ପରବଶ ହୋଇ ୪ ପିଲାଙ୍କୁ କିଛିକିଛି ଖାଇବାକୁ ଦେଉଛନ୍ତି । ଏଭଳି ଏକ ଦୃଦୟ ଫଟା ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଞ୍ଚଳରେ । ବୟସ ହୋଇ ନଥିବାରୁ ପିଲାଗୁଡିକ କିଛି ବି କରିପାରୁ ନାହାନ୍ତି । କେବଳ ପରସ୍ପରର ମୁହଁକୁ ଚାହିଁ ରହିଛନ୍ତି । ପ୍ରଶାସନର ସହାୟତାକୁ ଚାହିଁ ରହିଛନ୍ତି ।
ସୂଚନା ଅନୁସାରେ, ଏହି ୪ ପିଲାଙ୍କ ବାପା ହେଲେ ସ୍ୱର୍ଗତ ବୁକା ଗଣ୍ଡ । ଏମାନଙ୍କ ଗାଁ ନାମ ହେଲା ତହୋରା । ଗତ ୧୫ ଦିନ ତଳେ ରୋଗରେ ପଡି ବୁକାଙ୍କର ମୃତୁ୍ୟ ହୋଇଛି । ତିନି ବର୍ଷ ତଳୁ ମା’ ସନ୍ତୁଳାଙ୍କର ମୃତୁ୍ୟ ହୋଇଛି । ଏହି ପରିବାର ପାଖରେ ୨ ଏକର ଜମି ଥିଲା । କିନ୍ତୁ ବୁକା ରୋଗରେ ପଡିବା ପରେ ଚିକିତ୍ସା ପାଇଁ ସାହୁକାର ପାଖରେ ଏହି ଜମି ବନ୍ଧକ ରହିଛି । ବୁକାଙ୍କର ୪ ଜଣ ପିଲା ଅଛନ୍ତି । ଦୁଇଜଣ ଝିଅ ଓ ଦୁଇଜଣ ପୁଅ । ସବୁଠାରୁ ବଡ ହେଲା ଝିଅ ଯାହାର ବୟସ ମାତ୍ର ୧୨ ବର୍ଷ । ଏବେ ଏହି ୧୨ ବର୍ଷ ବାଳିକା ମୁଣ୍ଡରେ ପରିବାରର ବୋଝ । ଏହି ଚାରି ପିଲାଙ୍କ ସମ୍ପତି କହିଲେ ମାତ୍ର ଖଣ୍ଡେ ଭଙ୍ଗାରୁଜା ଘର । ରୋଷେଇ କରି ଗଣ୍ଡେ ଖାଇବା ବି ଏମାନଙ୍କୁ ଜଣାନାହିଁ । ପଡୋଶୀ କେତେବେଳେ ଗଣ୍ଡେ ଅଧେ ଖାଇବାକୁ ଦେଉଛନ୍ତି । ସେଇଥିରେ ଚଳୁଛନ୍ତି । ଝାଟିମାଟି ଘରଟି ଦୀର୍ଘ ଦିନରୁ ଛପର ହୋଇନି । ଦିନରେ ଖରା, ରାତିରେ ତରା ପଡୁଛି । ଭୋକ ହେଲେ ପିଲାଗୁଡିକ ଏଣେତେଣେ ବୁଲି କାହାକୁ କେମିତି କିଛି ମାଗି ଖାଉଛନ୍ତି । ଘରେ ଚାଉଳ ମୁଠେ ନାହିଁ । ଅନ୍ୟ ଜିନିଷ କଥା ଦୂରରେ ଥାଉ । ଏପରିସ୍ଥଳେ, ଉଭୟ ବାପା ଓ ମା’ଙ୍କୁ ହରାଇ ଅନାଥ ହୋଇପଡିଥିବା ଏହି ଚାରି ନିଷ୍ପାପ ଶିଶୁଙ୍କ ପାଇଁ ପ୍ରଶାସନିକ ସହାୟତା ଓ ଥଇଥାନ ବେଶ୍ ଜରୁରୀ ହୋଇପଡିଛି । ଏ ସମ୍ପର୍କରେ ଗୋÂୀ ଉନ୍ନୟନ ଅଧିକାରୀ ସନ୍ତୋଷଜନକ ଉତ୍ତର ଦେଇ ନଥିଲେ ହେଁ ଏହି ପିଲାଙ୍କୁ କୁର୍ସୀସ୍ଥିତ ଆଶ୍ରମ ବିଦ୍ୟାଳୟରେ ଥଇଥାନ କରିବାକୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି । ଚାରି ଅନାଥ ପିଲାଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରୟାସ କରିବେ ବୋଲି କହିଛନ୍ତି । ପିଲାଗୁଡିକ ଆଶ୍ରମ ବିଦ୍ୟାଳୟକୁ ଗଲେ ଅତି କମ୍ରେ ଗଣ୍ଡେ ଖାଇ ବଞ୍ଚିଯିବେ ବୋଲି ଗ୍ରାମବାସୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons