ଜୀବିତ ମହିଳାଙ୍କୁ ହତ୍ୟା ଅଭିଯୋଗ ମାମଲା: ରାଇମଣିଙ୍କ ସ୍ୱାମୀ, ଶ୍ୱଶୁର ଖଲାସ

Get real time updates directly on you device, subscribe now.

ରାଇରଙ୍ଗପୁର,(ବି.ବି.ନ୍ୟୁଜ୍): ବାଦାମପାହାଡ ଅଞ୍ଚଳରେ ନବବଧୂ ରାଇମଣି ପୋଡ଼ି ହତ୍ୟା ଘଟଣାରେ ବିନା ଦୋଷରେ ଗତ ତିନି ମାସ ଧରି ରାଇରଙ୍ଗପୁର ଉପକାରାଗାରେର ବନ୍ଦୀ ଜୀବନ ବିତାଉଥିବା ସଂଜୟ ନାଏକ ଏବଂ ତାଙ୍କ ବାପା ମଙ୍ଗଊ ନାଏକ ଆଜି ଖଲାସ ହୋଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଦୁହେଁ ବିନା ସର୍ତ୍ତେର ମୁକୁଳିଛନ୍ତି । ପତ୍ନୀ ରାଇମଣିଙ୍କୁ ହତ୍ୟା କରି ପୋଡ଼ିବା ଅଭିଯୋଗରେ ସ୍ୱାମୀ ସଂଜୟ ନାଏକ ଏବଂ ଶ୍ୱଶୁର ମଙ୍ଗଲ ନାଏକଙ୍କୁ ବାଦାମପାହାଡ଼ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରେ ଦୁହିଁଙ୍କ ଜାମିନ ନାମଂଜୁର ହେବାରୁ ଜେଲ୍ ପଠାଇ ଦିଆଯାଇଥିଲା । ମାତ୍ର ଏହି ମାମଲାର ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଥିଲାଯେ ରାଇମଣି ପ୍ରକୃତପକ୍ଷେ ଜୀବିତ । ଜଙ୍ଗଲରୁ ଉଦ୍ଧାର ହୋଇଥିବା ଅର୍ଦ୍ଧଦଗ୍ଧ ମୃତ ଶରୀରଟି ଅନ୍ୟ କୌଣସି ମହିଳାଙ୍କର । ଏହି ମାମଲାଟିକୁ ନେଇ ପୁଲିସ ହରଡ଼ ଘଣାରେ ପଡିଥିବାବେଳେ ଆଜି ଜେଲ୍ରୁ ଖଲାସ ପାଇବା ପରେ ପୁଲିସ ଦ୍ୱାରା ସେମାନେ ଅତ୍ୟାଚାରିତ ହୋଇଥିବାର ବାପାପୁଅ କୋହ ଭରା କଣ୍ଠରେ ସାମ୍ବାଦିକଙ୍କ ନିକଟରେ ପ୍ରକାଶ କରିଛନ୍ତି । ଯାହାକି ପୁଲିସର ଦବଙ୍ଗଗିରିକୁ ପଦାରେ ପକାଇଛି ।
ସୂଚନା ଅନୁସାରେ ଗତ ଏପ୍ରିଲ ୨୭ ତାରିଖରେ ବାଦାମପାହାଡ଼ ଥାନା ପାହାଡପୁର ଜଙ୍ଗଲରୁ ଜଣେ ଯୁବତୀର ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର କରାଯାଇଥିଲା । ଏହି ମାମଲାରେ ବାଦାମପାହାଡ ଥାନାରେ କେସ୍ ନଂ. ୧୮/୨୦୧୯ ଦଫା ୩୦୨ରେ ମାମଲା ରୁଜୁ ସହ ତଦନ୍ତ ହୋଇଥିଲା । ଥାନା ଅଧିକାରୀ ଶଶଧର ସେଠୀ ମୃତଶରୀରଟି ରାଇମଣି ବାଙ୍କିରାଙ୍କର ବୋଲି ପ୍ରମାଣ କରି ପୁରୁଣାପାଣି ଚିରୁଡି ଗ୍ରାମର ବାସିନ୍ଦା ରାଇମଣିଙ୍କ ସ୍ୱାମୀ ସଞ୍ଜୟ ନାଏକ ଓ ଶ୍ୱଶୁର ମଙ୍ଗଲ ନାଏକଙ୍କୁ ଦୀର୍ଘ ୭ ଦିନ ଧରି ଥାନା ହାଜତେରେ ରଖିଥିଲେ । ଶେଷରେ ନିଜ ଆଡୁ ପ୍ରମାଣ ଯୋଗାଡ କରି ୩୦୨ ଦଫାରେ ବାପା ଓ ପୁଅକୁ କୋର୍ଟକୁ ପଠାଇଥିଲେ । ପରବର୍ତ୍ତୀ ସମୟରେ ମୃତ ଶରୀରର ଡିଏନଏ ଯାଞ୍ଚ ବେଳେ ପୁଲିସ ରାଇମଣି ତାଙ୍କ ମା’ଙ୍କ ସହ କଟକ ଖାନନଗରରେ ରହୁଥିବା ଦେଖିବାକୁ ପାଇଥିଲେ । ଯାହା ମାମଲାକୁ ସମ୍ପୂର୍ଣ୍ଣ ଓଲଟପାଲଟ କରିଦେଇଥିଲା ।
ଏ ନେଇ ପ୍ରଥମେ ‘ପ୍ରମେୟ’ରେ ଖବର ପ୍ରକାଶ ପାଇଥିଲା । ଫଳରେ ଅଞ୍ଚଳରେ
ହଇଚଇ ସୃଷ୍ଟି ହୋଇଥିଲା । ଖବର ପ୍ରକାଶ ପରେ ପୁଲିସ ଚାପରେ ପଡ଼ି ଗତ ୨୭ତାରିଖରେ ରାଇମଣିଙ୍କୁ ତାଙ୍କ ମା’ଙ୍କ ସହ ପୁଲିସ ରାଇରଙ୍ଗପୁର ସିଭିଲ କୋର୍ଟ ଏସ୍ଡିଜେମ୍ଙ୍କ ଦାୟିତ୍ୱରେ ଥିବା ସବ୍ଜଜ୍ଙ୍କ କୋର୍ଟରେ ହାଜର କରିଥିଲା । ଦୁହିଁଙ୍କ ବୟାନ କୋର୍ଟରେ ରେକର୍ଡ କରାଯାଇଥିଲା । ଅନ୍ୟପକ୍ଷରେ ବିଚାରପତି ପୁଲିସ ଦାଖଲ କରିଥିବା କାଗଜପତ୍ର ତଥା ମାମଲାର ତର୍ଜମା କରି ଗିରଫ ରାଇମଣିଙ୍କ ଶ୍ୱଶୁର ଏବଂ ସ୍ୱାମୀଙ୍କୁ ନିର୍ଦ୍ଦୋଷ ବୋଲି ସାବ୍ୟସ୍ତ କରିବା ସହିତ ତୁରନ୍ତ ରବିବାର ସକାଳେ ଦୁହିଁଙ୍କୁ ବିନାସର୍ତ୍ତରେ ଖଲାସ କରିଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଉଭୟ ବାପା ଓ ପୁଅ ରାଇରଙ୍ଗପୁର କୋର୍ଟରୁ ବିନା ସର୍ତ୍ତେର ଆଜି ଜେଲ୍ରୁ ମୁକୁଳିଛନ୍ତି ।
ଜେଲ୍ରୁ ମୁକୁଳିବା ପରେ ଉଭୟ ବାପା ମଙ୍ଗଲ ଓ ସଞ୍ଜୟଙ୍କର ଭୟରେ ପାଟି ଖନେଇ ଯାଉଥିଲା । ତଥାପି କ୍ୟାମେରା ସାମ୍ନାରେ କୋହଭରା କଣ୍ଠରେ କହିଲେଯେ ସାତଦିନ ଥାନା ହାଜତରେ ଥିବାବେଳେ ଦିନରେ ଥରେ ଓ ରାତିରେ ଥରେ ମାତ୍ର ଖାଇବାକୁ ଦିଆଯାଉଥିଲା । ପୁଲିସ ବାଡିରେ ପ୍ରବଳ ବାଡେଇ ବାଡି ଭାଙ୍ଗି ଦେଇଥିଲା ଓ ରାଇମଣିର ମୃତ୍ୟୁ ପାଇଁ ସେମାନେ ଦାୟୀ ବୋଲି ମାନିବାକୁ ବାଧ୍ୟ କରିଥିଲା ।
ପ୍ରଶ୍ନ ଉଠୁଛି ମୟୂରଭଞ୍ଜ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ବିଭିନ୍ନ ଥାନାର ସିସି କ୍ୟାମେରା କ’ଣ କାମ କରୁନାହିଁ, ନା କେବଳ ଲୋକ ଦେଖାଣିଆ । ସେହିପରି ଉକ୍ତ ବାଦାମପାହାଡ ଥାନା ରାଇରଙ୍ଗପୁର ଏସ୍ଡିପିଓଙ୍କ ଅଧୀନରେ ଥିବାରୁ ଘଟଣା ସମ୍ପର୍କେର ଏସ୍ଡିପିଓ କିମ୍ବା ରାଇରଙ୍ଗପୁର ଠାରେ ଥିବା ଅତିରିକ୍ତ ଏସ୍ପି ଜାଣିପାରିଲେ ନାହିଁ କି ତଦନ୍ତକୁ ଅତି ଖାମଖିଆଲି ଭାବେ ନେଇ ଦୁଇଟି ପରିବାର ସମେତ ବାପପୁଅଙ୍କ ଜୀବନ ଜେଲ୍ରେ ବିତାଇବାକୁ ଯୋଜନା କରିଥିଲେ ?
ଜଙ୍ଗଲରୁ ଉଦ୍ଧାର ପାଇଥିବା ଅଚିହ୍ନା ମହିଳା ଶବଟି କାହାର ବୋଲି ସାଧାରଣରେ ପ୍ରଶ୍ନ ଉଠିଥିବାବେଳେ ଏହାର ନିରପେକ୍ଷ ତଦନ୍ତ ନେଇ ଜନସାଧାରଣରଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ମାମଲାର ପ୍ରକୃତ ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇବା ଲକ୍ଷ୍ୟରେ ରାଇମଣିଙ୍କ ନିରୀହ ସ୍ୱାମୀ, ଶ୍ୱଶୁରଙ୍କୁ ଫସାଯାଇଥିଲା କି ବୋଲି ମଧ୍ୟ ବୁଦ୍ଧିଜୀବୀମାନେ ସନ୍ଦେହ ପ୍ରକଟ କରିଛନ୍ତି । ଏ ନେଇ ପୁଲିସର ପ୍ରତିକ୍ରିୟା ମିଳିନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons