ଜୁଆରେ ହାରି ବନ୍ଧା ରହିଲେ ଶ୍ରୀଜଗନ୍ନାଥ

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ୍): କୁମାର ପୂର୍ଣ୍ଣିମା ଅବସରରେ ମା’ଲକ୍ଷ୍ମୀ ଠାକୁରାଣୀଙ୍କ ସହ ଜୁଆ ଖେଳିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଶ୍ରୀମନ୍ଦିରରେ ଦେବଦମ୍ପତ୍ତିଙ୍କ ଦୁ୍ୟତକ୍ରୀଡ଼ାରେ ମହାପ୍ରଭୁ ହାରି ଯାଇଥିଲେ । ଲକ୍ଷ୍ମୀ ଠାକୁରାଣୀଙ୍କ ଠାରୁ ପରାସ୍ତ ହୋଇ ମହାପ୍ରଭୁ ବନ୍ଧକ ରହିଥିଲେ । ମହାପ୍ରଭୁଙ୍କ ପ୍ରତିନିଧି ଭାବେ ମୁଦିରସ୍ତ ସେବକ ଓ ମା’ ଲକ୍ଷ୍ମୀଙ୍କ ପ୍ରତିନିଧି ଭାବେ ଭିତରଚ୍ଛ ସେବକ ଦେବନୀତି ସମ୍ପନ୍ନ କରିଥିଲେ । ଏହି ଅବସରରେ ଶ୍ରୀସୁଦର୍ଶନ ଦେବ ନଗର ପରିକ୍ରମା କରିଥିଲେ । ଶ୍ରୀସୁଦର୍ଶନ ଶ୍ରୀମନ୍ଦିରକୁ ଫେରିବା ପରେ ଦୁ୍ୟତ କ୍ରୀଡ଼ା ନୀତି ଆରମ୍ଭ ହୋଇଥିଲା । ଅପରାହ୍ନ ସାଢେ଼ ଚାରିଟାରେ ସୁଦର୍ଶନ ନଗର ପରିକ୍ରମାରେ ବାହାରିଥିଲେ ।
ପ୍ରଭୁଙ୍କ ମଧ୍ୟାହ୍ନ ଧୂପ ବଢ଼ିବା ପରେ ମା’ ଲକ୍ଷ୍ମୀଙ୍କ ସହ ସରସ୍ୱତୀ ଖଟଶେଯକୁ ବିଜେ କରିଥିଲେ । ଦଇତାପତିମାନେ ରତ୍ନସିଂହାସନରୁ ଶ୍ରୀସୁଦର୍ଶନ ଦେବଙ୍କୁ ବିଜେ କରି ଜଗମୋହନରେ ବିଜେ କରିଥିଲେ । ଚଉଦଳରେ ବିରାଜିତ ଶ୍ରୀସୁଦର୍ଶନ ଠାକୁରଙ୍କୁ ପାଟପତନି ଓ ଚୁଳଲାଗି କରାଯାଇ ରୁନ୍ଧି ଥିଲେ । ସେବକମାନେ ଘଣ୍ଟ ଘଣ୍ଟା ଛତା ଓ କାହାଳୀର ପଟୁଆରରେ ଶ୍ରୀସୁଦର୍ଶନ ଦେବଙ୍କୁ ବଡ଼ଦେଉଳ ପରିକ୍ରମା କରି ଶ୍ରୀକ୍ଷେତ୍ରସ୍ଥିତ ତିନୋଟି ଋଷି ଆଶ୍ରମ ପରିଦର୍ଶନ କରିଥିଲେ । ସିଂହଦ୍ୱାର ସମ୍ମୁଖରୁ ରାଜନଅର ହୋଇ ଦୋଳମଣ୍ଡପ ସାହି ଜହ୍ନିମୁଣ୍ଡିଆଛକସ୍ଥିତ ଅଙ୍ଗିରା ଆଶ୍ରମରେ ବିଜେ ହୋଇଥିଲେ । ପରେ ବାଲିସାହିସ୍ଥିତ ଭୃଗୁ ଆଶ୍ରମ ଓ ଜମ୍ବେଶ୍ୱରଙ୍କ ମନ୍ଦିର ପଣ୍ଡୁ ଆଶ୍ରମରେ ଶ୍ରୀସୁଦର୍ଶନ ମହାପ୍ରଭୁ ବିଜେ ହୋଇଥିଲେ । ସେଠାରେ ବନ୍ଦାପନା ହୋଇ ପାରମ୍ପରିକ ଦେବନୀତି ଶେଷ ହୋଇଥିଲା ।
ଶ୍ରୀସୁଦର୍ଶନ ଦେବ ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିରକୁ ବାହୁଡ଼ା ଯାତ୍ରା କରିଥିଲେ । ତା ପରେ ମା’ ଲକ୍ଷ୍ମୀ ସରସ୍ୱତୀଙ୍କୁ ସିଂହାସନରେ ବିଜେ କରାଯିବା ସହ ନୂଆଲୁଗା ଲାଗି କରାଯାଇ ସର୍ବାଙ୍ଗ ନୀତି ଅନୁÂିତ ହୋଇଥିଲା । ଠାକୁରଙ୍କ ମହାସ୍ନାନ ବଢ଼ିଥିଲା । ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ପରେ ଚାରିବାଡ଼ରେ ପୂଜାପଣ୍ଡା ପୂଜାବିଧି ସାରିଥିଲେ । ଦକ୍ଷିଣିଘରୁ ଶ୍ରୀମଦନମୋହନଙ୍କୁ ଆଣି ମା’ଲକ୍ଷ୍ମୀ ଓ ମଦନମୋହନଙ୍କୁ ଠାକୁରାଣୀଙ୍କ ଆଜ୍ଞାମାଳ ଅର୍ପଣ କରାଯାଇଥିଲା । ଠାକୁର ଓ ଠାକୁରାଣୀ ସାତ ପାହାଚ ନିକଟରେ ଥିବା ପାଲିଙ୍କିରେ ବିଜେ ହୋଇ ମା’ଲକ୍ଷ୍ମୀ ଠାକୁରାଣୀଙ୍କ ମନ୍ଦିରକୁ ଯାଇ ସେଠାରେ ପଡ଼ିଥିବା ଆସନରେ ବିଜେ ହୋଇଥିଲେ । ଆସନରେ ଦେବ ଦମ୍ପତି ପାରମ୍ପରିକ ଦୁ୍ୟତ କ୍ରୀଡ଼ା ଖେଳିଥିଲେ । ଦେବ ଦମ୍ପତିଙ୍କ ପକ୍ଷରୁ ସେବକମାନେ ଖେଳିଥିଲେ । ୨୧ଟି ରୌପ୍ୟ କଉଡ଼ି ଓ ୨୧ ଗୋଟି ହିଙ୍ଗୁଳ କଉଡ଼ିରେ ପଶା ଓ ଶକଟା ଆଦି ପାରମ୍ପରିକ କ୍ରୀଡ଼ା ଅନୁÂିତ ହୋଇଥିଲା । ସେଠାରେ ଠାକୁରମାନଙ୍କୁ ଫଳମୂଳ ଆଦି ଶୀତଳ ଭୋଗ ଲାଗି ହୋଇଥିଲା ।
ଏହା ପରେ ଠାକୁର ଠାକୁରାଣୀଙ୍କୁ ଗମ୍ଭୀରାସ୍ଥିତ ରତ୍ନସିଂହାସନ ନିକଟରେ ବିଜେ କରାଯାଇଥିଲା । ଠାକୁରଙ୍କ ଚନ୍ଦନଲାଗି ସର୍ବାଙ୍ଗ ବଢ଼ି ନୂଆଲୁଗା ଓ ଅଳଙ୍କାର ଲାଗି ହୋଇଥିଲା । ବଡ଼ସିଂହାର ଧୂପ ବଢ଼ିଥିଲା । ପନ୍ତିଭୋଗରେ ବିଭିନ୍ନ ଫଳ ସାମଗ୍ରୀ ଠାକୁରଙ୍କୁ ଅର୍ପଣ କରାଯାଇଥିଲା । ପୁନର୍ବାର ଦିଅଁମାନଙ୍କ ପ୍ରତିନିଧିତ୍ୱ କରୁଥିବା ସେବକମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାରମ୍ପରିକ ଦୁ୍ୟତ କ୍ରୀଡ଼ା ଖେଳିଥିଲେ ।
ଶ୍ରୀଜଗନ୍ନାଥ ମହାପ୍ରଭୁ ପାରମ୍ପରିକ କ୍ରୀଡା ଶକଟା, ପଶା ଓ କଉଡ଼ି ଖେଳରେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କଠାରୁ ପରାଜିତ ହୋଇଥିଲେ । ମା’ଙ୍କ ସର୍ତ୍ତ ମୁତାବକ ମହାପ୍ରଭୁ ଠାକୁରାଣୀଙ୍କ ନିକଟରେ ବନ୍ଧକ ରହିଥିଲେ । ରତ୍ନସିଂହାସନରେ ବିରାଜିତ ଠାକୁରଙ୍କ ସ୍ୱରୂପ ମାଧବ ସାତ ଦିନ ପର୍ଯ୍ୟନ୍ତ ମା’ ଲକ୍ଷ୍ମୀଠାକୁରାଣୀଙ୍କ ନିକଟରେ ବନ୍ଧକ ରହିବାର ପାରମ୍ପରିକ ବିଧି ପାଳନ ହୋଇଥିଲା । ସାତ ଦିନର ବନ୍ଧକ ପରେ ଅଷ୍ଟମ ଦିନ ସକାଳେ ପ୍ରଭୁ ମାଧବ ଲକ୍ଷ୍ମୀ ସାଆନ୍ତାଣୀଙ୍କ ବନ୍ଧକରୁ ମୁକୁଳି ପୁନଃ ରତ୍ନସିଂହାସନକୁ ଫେରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons