ଭୁବନେଶ୍ବର : ବିଧାୟକମାନଙ୍କୁ ନିଜ ଦାୟିତ୍ବ ତୁଲାଇବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ଜନତା ଦଳର ବିଧାୟକମାନଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସଙ୍କଟ ସମୟରେ ସେମାନଙ୍କ ଦାୟିତ୍ବ ନିର୍ବାହ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ କହିଛନ୍ତି କରୋନା ସଂକ୍ରମଣରେ ଭାରତ ଆଜି ସାରା ବିଶ୍ବରେ ସବୁଠାରୁ ଉପରେ ଅଛି । ଆମ ଦେଶରେ ପ୍ରତି ଦୁଇ ଦିନରେ ଏକ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି । ଆମ ରାଜ୍ୟ ଓଡିଶା ମଧ୍ୟ କରୋନାର କଡା ମୁକାବିଲା କରୁଛି। ଆମର କୋଭିଡ ଯୋଦ୍ଧାମାନଙ୍କର ତ୍ୟାଗ ଓ ପରିଶ୍ରମ ଏବଂ ଆପଣମାନଙ୍କ ସହଯୋଗ ଯୋଗୁଁ ରାଜ୍ୟରେ ଆରୋଗ୍ୟ ହାର ବଢୁଛି ଓ ମୃତ୍ୟୁ ହାର ସବୁଠାରୁ କମ୍ ଅଛି। ଏହି ସଂକଟ ସମୟରେ ବିଧାୟକମାନଙ୍କୁ ଲୋକଙ୍କ ସାଥିରେ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ ଯୋଦ୍ଧାମାନଙ୍କ ସାଥିରେ ରୁହନ୍ତୁ । ସେମାନଙ୍କ କାମକୁ ପ୍ରଶଂସା କରନ୍ତୁ । ସେମାନଙ୍କ ସୁଖ ଦୁଃଖରେ ସାମିଲ ହୁଅନ୍ତୁ । ମୃତ କୋଭିଡ ରୋଗୀଙ୍କ ଶବ ସଂସ୍କାର କ୍ଷେତ୍ରରେ କେତେକ ଅସୁବିଧା ହେଉଛି । ଏଥିପାଇଁ ଲୋକଙ୍କୁ ବୁଝାନ୍ତୁ ଏବଂ ମୃତଦେହ ସଂସ୍କାରରେ ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଆଜିଠାରୁ ଗଞ୍ଜାମରେ ୫ଟି କୋଭିଡ ଗୃହ ବନ୍ଦ କରାଗଲା । ସେଠାରେ ପରିସ୍ଥିତିରେ ଉନ୍ନତି ଆସିଛି। କିନ୍ତୁ ଖୋର୍ଦ୍ଧା ଓ କଟକରେ ପରିଚାଳନା କରିବା ପାଇଁ ଆମକୁ ଅଧିକ ପରିଶ୍ରମ କରିବାକୁ ହେବ। ନିଜେ ଯତ୍ନବାନ ରହି ଲୋକଙ୍କୁ ସଚେତନ କରିବାକୁ ବିଧାମାନଙ୍କୁ ଆହ୍ବାନ ଦେଇଛନ୍ତି ।
କୋଭିଡ୍ ଯୋଗୁଁ ଅନ୍ୟ ରାଜ୍ୟରେ ଥିବା ୧୦ ଲକ୍ଷ ଭାଇଭଉଣୀ ଓଡିଶା ଫେରିଛନ୍ତି । ସେମାନଙ୍କ ମଧ୍ୟରୁ କେହି ବି ଯୋଗ୍ୟ ଲୋକ ଯେପରି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବ ନାହିଁ, ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେହିପରି ଅନ୍ୟ ରାଜ୍ୟରୁ ଆସୁଥିବା ଭାଇଭଉଣୀ ମାନେ ଯେପରି ନିର୍ମାଣ ଶ୍ରମିକ ଯୋଜନା ପାଇଁ ସୁବିଧାରେ ପଞ୍ଜିକରଣ କରିପାରିବେ, ସେଥିରେ ସହଯୋଗ କରିବାକୁ କହିଛନ୍ତି ।
ଲଘୁଚାପ ବର୍ଷାରେ ରାଜ୍ୟରେ ବନ୍ୟା ଆସିଛି । ଲୋକଙ୍କ ଏ ଅସୁବିଧା ସମୟରେ ଲୋକଙ୍କ ସାଥିରେ ରୁହନ୍ତୁ । ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ରାଜ୍ୟ ସରକାର ସବୁ ସହଯୋଗ ଯୋଗାଇ ଦେବେ।
ବର୍ତ୍ତମାନ କେବଳ ସାରା ଓଡିଶା ନୁହେଁ, ସାରା ଭାରତର ଅର୍ଥନୀତି ଆହ୍ବାନମୂଳକ ସମୟ ଦେଇ ଗତି କରୁଛି। ତଥାପି ଲୋକଙ୍କ କଲ୍ୟାଣ ପାଇଁ ବିଧାୟକ ପାଣ୍ଠିକୁ ଆଉ ୧ କୋଟି ଟଙ୍କା ଦେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି । ଏହି ଟଙ୍କାରେ ସ୍ବୟଂ ସହାୟକ ଗୋଷ୍ଠୀରୁ ମାସ୍କ ମଧ୍ୟ କିଣା ଯାଇ ପାରିବ । ଏହାଦ୍ବାରା ସ୍ବୟଂ ସହାୟକ ଗୋଷ୍ଠୀର ମା ମାନେ ରୋଜଗାର ପାଇବେ ଏବଂ ଲୋକମାନେ ମଧ୍ୟ ନିରାପଦ ରହିବେ।
କୋଭିଡ ଏବଂ ବନ୍ୟା ପରିସ୍ଥିତିରେ ପିଲାଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି NEET ଓ JEE ପରୀକ୍ଷା ଘୁଞ୍ଚାଇବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ବୋଲିସ କହିଛନ୍ତି । କିନ୍ତୁ ତାହା ହେଲା ନାହିଁ। ବର୍ତ୍ତମାନ ଆମ ପାଖରେ ୪୮ ଘଣ୍ଟାରୁ କମ୍ ସମୟ ରହିଛି । ପିଲାମାନେ ଆମ ଦେଶର ଭବିଷ୍ୟତ ଓଡ଼ିଶାର ଭବିଷ୍ୟତ । ସେମାନେ ଆମ ପରିବାରର ଓ ସେମାନଙ୍କ ସୁରକ୍ଷା ଆମ ଦାୟିତ୍ବ । ତେଣୁ ପିଲାମାନେ ଯେପରି ଭଲରେ ଭଲରେ ପରୀକ୍ଷା ଦେବେ, ସେଥିପାଇଁ ରାଜ୍ୟ ସରକାର ମାଗଣାରେ ପରିବହନ ଓ ରହିବାର ବ୍ୟବସ୍ଥା କରିଛନ୍ତି। ନିଜ ନିଜ ଅଞ୍ଚଳର ପିଲାମାନେ ଯେପରି ସୁବିଧାରେ ପରୀକ୍ଷା ଦେବେ, ସେଥିରେ ପୁରା ସହଯୋଗ କରିବାକୁ ବିଧାୟକମାନଙ୍କୁ ପରାମର୍ଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ମୁଁ ସବୁବେଳେ କହି ଆସିଛି ଯେ, ସାଢେ ଚାରି କୋଟି ଓଡିଶାବାସୀ ହେଉଛନ୍ତି ମୋ ପରିବାର । ସେମାନଙ୍କ କଲ୍ୟାଣ ଆମ ଦାୟିତ୍ବ । ‘ଓଡିଶା – ମୋ ପରିବାର’ କାର୍ୟ୍ୟକ୍ରମରେ ଏ ସମୟରେ ପିଲାଙ୍କୁ ସବୁ ସହଯୋଗ ଯୋଗାଇ ଦିଆଯିବ । ସେହିପରି ଅଧିକ ରକ୍ତଦାନ କ୍ୟାମ୍ପ ପାଇଁ କାମ କରିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।
Comments are closed, but trackbacks and pingbacks are open.