କୋଷାଗୁମୁଡ଼ା: ଜେଜେମା’ଙ୍କ ବିଶ୍ୱାସ ସହ ଖେଳିଲା । କାରସାଦି କରି ଫୋନ୍ ଫେ’ ଦ୍ୱାରା ତାଙ୍କ ଆକାଉଣ୍ଟ୍ରୁ ପେନସନ୍ ଟଙ୍କା ଚଳୁ କଲା । ଆଉ ସେହି ଟଙ୍କାରେ ରାଜ୍ୟ ବାହାରେ ଅୟେସ କରୁଥିଲା ନାତି । ତଞ୍ଚକତା କରି ପ୍ରାୟ ୬ ଲକ୍ଷ ୬୦ ହଜାର ଟଙ୍କା ହଡ଼ପ କରିବା ଅଭିଯୋଗରେ କୋଡ଼ିଙ୍ଗା ପୁଲିସ୍ ଅଭିଯୁକ୍ତ ନାତିକୁ ବିଶାଖାପାଟଣାରୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଉଛି ରଜନୀକାନ୍ତ । ଘର ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ୍ କୋଡ଼ିଙ୍ଗା ଥାନା ଅନ୍ତର୍ଗତ କଟାଗାଁରେ ।
ଅଭିଯୋଗ ଅନୁଯାୟୀ, କୋଡ଼ିଙ୍ଗା ଥାନା କଟାଗାଁର ଅବସରପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ଚନ୍ଦ୍ରମଣି ଦେଈ ପୁଅ, ବୋହୂ ଓ ନାତିନାତୁଣୀଙ୍କ ସହ ରହୁଛନ୍ତି । ଅବସର ପରେ ଚନ୍ଦ୍ରମଣିଙ୍କୁ ମିଳୁଥିବା ପେନ୍ସନ୍ ଟଙ୍କା ତାଙ୍କ ଆକାଉଣ୍ଟ୍ରେ ଜମା ହେଉଥିଲା । ଟଙ୍କା ଦରକାର ହେଲେ ମଝିରେ ମଝିରେ ନାତି ରଜନୀକାନ୍ତକୁ ନେଇ ବ୍ୟାଙ୍କରୁ ଟଙ୍କା ଉଠାଇ ଆଣୁଥିଲେ । ଆକାଉଣ୍ଟ୍ରେ ଥିବା ଟଙ୍କା ଉପରେ ରଜନୀକାନ୍ତର ଲୋଲୁପ ଦୃଷ୍ଟି ପଡ଼ିଥିଲା । ଏହାକୁ ହଡ଼ପ କରିବା ପାଇଁ ଯୋଜନା କରିଥିଲା । କୋଭିଡ୍ କାରଣରୁ ଆଉ ବ୍ୟାଙ୍କ ଯାଉ ନ ଥିଲେ ଚନ୍ଦ୍ରମଣି । ଟଙ୍କା ଦରକାର ହେଲେ ନାତି ରଜନୀକାନ୍ତ ତାଙ୍କୁ କେତେବେଳେ ହଜାରେ ତ ଆଉ କେବେ ୨ ହଜାର ଟଙ୍କା ନିଜ ଆଡ଼ୁ ଦେଉଥିଲା । ଏହାରି ଭିତରେ ତଞ୍ଚକତା କରି ଜେଜେମା’ଙ୍କ ଆକାଉଣ୍ଟ୍କୁ “ଫୋନ୍ ପେ’ ଆପ୍ରେ ସଂଯୋଗ କରିଥିଲା । ଏହାପରେ ପର୍ଯ୍ୟାୟକ୍ରମେ ବିଭିନ୍ନ ସମୟରେ ମୋଟା ଅଙ୍କର ଟଙ୍କା ଉଠାଉଥିଲା ରଜନୀକାନ୍ତ । ତେବେ ୬୦ ହଜାର ଟଙ୍କା ଦରକାର ପଡ଼ିବାରୁ ପୁଅ ପ୍ରଦୀପକୁ ନେଇ ନବରଙ୍ଗପୁର ଷ୍ଟେଟ୍ବ୍ୟାଙ୍କ୍ ଯାଇଥିଲେ ଚନ୍ଦ୍ରମଣି । ପେନସନ୍ ଖାତାରେ ଆଉ ମାତ୍ର ୬୭ ଟଙ୍କା ଥିବା ଜାଣିବା ପରେ ତାଙ୍କ ମୁଣ୍ଡ ଚକର୍ କାଟିଥିଲା । ସଙ୍ଗେସଙ୍ଗେ ବ୍ୟାଙ୍କ ଷ୍ଟେଟ୍ମେଣ୍ଟ୍ ମାଗିଥିଲେ ଚନ୍ଦ୍ରମଣି । ବିଭିନ୍ନ ସମୟରେ ଟଙ୍କା ଉଠାଯାଇଥିବା ଦେଖିବା ପରେ ବିବ୍ରତ ହୋଇପଡ଼ିଥିଲେ ସେ । ପର୍ଯ୍ୟାୟକ୍ରମେ ତାଙ୍କ ଆକାଉଣ୍ଟ୍ରୁ ୬ ଲକ୍ଷ ୬୦ ହଜାର ଟଙ୍କା ଉଠି ସାରିଥିଲା । ସମସ୍ତ ଟଙ୍କା ଆପ୍ ମାଧ୍ୟମରେ ଉଠିଥିବା ଜଣାପଡ଼ିଥିଲା । ନିରାଶ ମଧ୍ୟରେ ଘରକୁ ଆସି ନାତି ରଜନୀକାନ୍ତକୁ ଫୋନ୍ କରି ଟଙ୍କା ସମ୍ପର୍କରେ ପଚାରିଥିଲେ ଚନ୍ଦ୍ରମଣି । ତେବେ ଟଙ୍କା ହଡ଼ପ କରି ନେବା ପରେ ରାଜ୍ୟ ବାହାରେ ମଉଜ କରୁଥିଲା ରଜନୀକାନ୍ତ । ୧୫ ଦିନ ହେଲା ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଅଛି ବୋଲି ଚନ୍ଦ୍ରମଣି ଜାଣିପାରିଥିଲେ । ଏହାସହ ରଜନୀକାନ୍ତକୁ ସହଯୋଗ କରିଥିବା ବ୍ୟକ୍ତିଙ୍କ ବିଷୟରେ ସୁରାକ୍ ପାଇଥିଲେ । ଉଭୟଙ୍କ ବିରୋଧରେ ଚନ୍ଦ୍ରମଣିଙ୍କ ପୁଅ ତଥା ଅଭିଯୁକ୍ତ ରଜନୀକାନ୍ତଙ୍କ ଦାଦା ପ୍ରଦୀପ ଗତକାଲି ଥାନାରେ ଏତଲା ଦେଇଥିଲେ । କୋଡ଼ିଙ୍ଗା ଥାନା ଅଧିକାରୀ ସରିତା ମହାପାତ୍ର ମାମଲା ରୁଜୁ ଅନୁସନ୍ଧାନ ଆରମ୍ଭ କରିଥିଲେ । କେତେକ ସହଯୋଗୀଙ୍କୁ କଟାଗାଁରୁ ଉଠାଇ ଆଣି ପଚରାଉଚରା କରିବା ପରେ ରଜନୀକାନ୍ତ ବିଶାଖାପାଟଣାରେ ଥିବା ପୁଲିସ୍ ଜାଣିବାକୁ ପାଇଥିଲା । ଏହାପରେ ପୁଲିସ୍ ଟିମ୍ ବିଶାଖାପାଟଣା ଯାଇ ସେଠାରୁ ରଜନୀକାନ୍ତକୁ କାବୁ କରିଥିଲେ । ଆଜି ଅଭିଯୁକ୍ତ ନାତି ରଜନୀକାନ୍ତକୁ କୋର୍ଟ ଚାଲାଣ କରାଯାଇଥିବା କୋଡ଼ିଙ୍ଗା ଥାନା ଅଧିକାରୀ ସରିତା ମହାପାତ୍ର ସୂଚନା ଦେଇଛନ୍ତି ।
ରିପୋର୍ଟ ଗଗନ ଗନ୍ତାୟତଙ୍କ ଠାରୁ
Comments are closed, but trackbacks and pingbacks are open.