ଜେଜେମା’ର ଆଖିବୁଜା ମାଡ଼ରେ ୩ ବର୍ଷର ଶିଶୁକନ୍ୟା ଲହୁଲୁହାଣ

Get real time updates directly on you device, subscribe now.

ଅନୁଗୁଳ,(ବି.ବି.ନ୍ୟୁଜ୍): ଭୋକ ବିକଳରେ ପଡ଼ୋଶୀ ଘରେ ଖାଇବା ଜଣେ ତିନି ବର୍ଷର ମା’ ଛେଉଣ୍ଡ ଶିଶୁକନ୍ୟା ପାଇଁ ମହଙ୍ଗା ପଡ଼ିଲା । ଏତିକି କଥାରେ ଜେଜେମା’ର ମୁଣ୍ଡକୁ ପିତ ଚଢ଼ିଗଲା, ହିତାହିତ ଜ୍ଞାନ ଭୁଲି ନିର୍ଦ୍ଦୟ ଭାବେ ନାତୁଣୀକୁ ପିିଟି ଲହୁଲୁହାଣ କରିବା ସହ ଘରେ ତାଲା ପକାଇ ଦେଲା । ପାଣି ମୁନ୍ଦାଏ ପାଇଁ କାକୁତିମୀନତି ହୋଇଥିଲେ ମଧ୍ୟ ଏହି କଅଁଳ ଶିଶୁର ଚିକ୍ରାର ଜେଜେମା’ର ହୃଦୟକୁ ଛୁଇଁଲା ନାହିଁ । ପଡ଼ୋଶୀ, ଗ୍ରାମବାସୀଙ୍କଠାରୁ ଖବର ପାଇ ପୁଲିସ, ଜିଲ୍ଲା ଶିଶୁ ମଙ୍ଗଳ କମିଟି କର୍ମକର୍ତା ଓ ସ୍ୱେଚ୍ଛାସେବୀ ବନ୍ଦ କୋଠରୀରୁ ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ । ଅନୁଗୁଳ ବ୍ଲକ୍ ତଥା ବନ୍ତଳା ଥାନା ଗଡ଼ତରାସ ଗ୍ରାମରେ ରବିବାର ସକାଳେ ଏ ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ।
ଜେଜେମା’କୁ ପୁଲିସ ପଚରାଉଚୁରା କରି କୋର୍ଟ୍ଚାଲାଣ କରିଥିବା ବେଳେ ଶିଶୁକନ୍ୟାର ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶିଶୁକନ୍ୟା ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି । ଶିଶୁ କନ୍ୟା ସୁସ୍ଥ ହେବା ପରେ ତାକୁ ସ୍ୱଧାର ଗୃହରେ ଥଇଥାନ କରାଯିବ ନା ତା’ ବାପାକୁ ହସ୍ତାନ୍ତର କରାଯିବ, ସେ ନେଇ ବିଚାର କରାଯିବ ବୋଲି ଶିଶୁ ମଙ୍ଗଳ କମିଟିର ଭାରପ୍ରାପ୍ତ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ମୁତାବକ, ତିନି ବର୍ଷର ଏହି ଶିଶୁକନ୍ୟା ଅର୍ଚ୍ଚିତା (ଛଦ୍ମନାମ)ର ମା’ ଦେଢ଼ ବର୍ଷତଳେ ଆରପାରିରେ । ବାପା ବାହାରେ କାମଧନ୍ଦା କରୁଥିବାରୁ ଅଧିକାଂଶ ଦିନ ଘରେ ରହନ୍ତି ନାହିଁ । ତେଣୁ ମା’ ଛେଉଣ୍ଡ ଅର୍ଚ୍ଚିତା ଓ ତା’ର ୫ ବର୍ଷର ବଡ଼ ଭଉଣୀ ଜେଜେମା’ ପାଖରେ ରହିଆସୁଛନ୍ତି । ହେଲେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଛୋଟ ପିଲା ଦୁଇଟିକୁ ଆକଟ କରିବାକୁ ଯାଇ ଜେଜେମା ଅନେକ ସମୟରେ ଅକଥନୀୟ ଅତ୍ୟାଚାର କରିଆସିଛି । ରବିବାର ସକାଳେ ନାତୁଣୀ ଅର୍ଚ୍ଚିତା କ’ଣ ଖାଇବାକୁ ଜେଜେ ମା’ ପାଖରେ ଅଳି କରିଥିଲା । ହେଲେ ଜେଜେମା’ ଶୁଣିନଥିଲେ । ଭୋକବିକଳରେ ତେଣୁ ଅର୍ଚ୍ଚିତା ପଡ଼ୋଶୀ ଘରେ ଖାଇ ଦେଇଥିଲା ।
ଏହା ଜାଣିବା ପରେ ଜେଜେମା’ର ରାଗ ପଞ୍ଚମରେ । ବିଧା, ଗୋଇଠାଠାରୁ ଆରମ୍ଭ କରି ଛାଟ, ଚପଲ ଯାହା ପାରିଲା ଆଖିବୁଜା ପିଟି ଶରୀରରେ ନୋଳା ଫଟାଇ ଦେଲେ । ଗାଳିଗୁଲଜ ବି କରି ଏକ ବନ୍ଦ କୋଠରେ ତାଲା ପକାଇ କାମକୁ ପଳାଇ ଯାଇଥିଲେ ଏହି ହୃଦୟହୀନା ଜେଜେମା’ । ଅର୍ଚ୍ଚିତାର ବିକଳ କାନ୍ଦ ସାହିପଡ଼ିଶା ଲୋକଙ୍କୁ ବ୍ୟଥିତ କରିଥିଲା । ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଘଟଣାଟି ସୋସିଆଲ୍ ମିଡିଆରେ ପବନ ବେଗରେ ଭାଇରାଲ୍ ହୋଇଥିଲା । ପୁଲିସ୍ ଓ ଶିଶୁ ସୁରକ୍ଷା କମିଟି ଗଡ଼ତରାସ ଗ୍ରାମରୁ ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ । ଅପରପକ୍ଷରେ ମାଡ ମାରିବାକୁ କଥାକୁ ଜେଜେ ମା’ ସ୍ୱୀକାର କରିଛନ୍ତି । ଆକଟ କରିବା ପାଇଁ ନାତୁଣୀକୁ ମାଡ ମାରିଥିବା ବେଳେ ଏଥିରେ କୌଣସି ମନ୍ଦ ଉଦ୍ଦେଶ୍ୟ ନଥିବା ଜେଜେ ମା’ ପ୍ରକାଶ କରିଛନ୍ତି ।
ତେବେ ଘଟଣା ଅତି ସମ୍ବେଦନଶୀଳ ହୋଇଥିବାରୁ ପୁଲିସ୍ ଏହାକୁ ଅତି ଗୁରୁତ୍ୱର ସହ ନେଇଛି । ପୁଲିସ୍ ଜେଜେ ମା’କୁ ଗିରଫ କରି ଅପରାହ୍ଣରେ କୋର୍ଟଚାଲାଣ କରିଥିବା ଜଣାପଡ଼ିଛି । ବନ୍ତଳା ପୁଲିସ୍ ସହ ଖୋଦ୍ ଅତିରିକ୍ତ ଏସ୍ପି ବସନ୍ତ କୁମାର ପ୍ରଧାନ ଶିଶୁ କନ୍ୟାକୁ ଶିଶୁ ମଙ୍ଗଳ କମିଟି ପାଖରେ ହାଜର କରିଥିଲେ । ଅପରାହ୍ଣରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରା ଡାକ୍ତରଖାନା ଯାଇ ଆହତ ଶିଶୁକନ୍ୟାର ଚିକିତ୍ସା ବ୍ୟବସ୍ଥା ବୁଝାବୁଝି କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons