ନୟାଗଡ଼/ଖଣ୍ଡପଡ଼ା,(ବି.ବି.ନ୍ୟୁଜ୍): ଶନିବାର ଖଣ୍ଡପଡ଼ା ଜେଲରୁ ଜଣେ କଏଦୀ ଚମ୍ପଟ ମାରିଥିବା ବେଳେ ରବିବାର ନୟାଗଡ଼ ଜେଲରୁ ଆଉ ଜଣେ କଏଦୀ ଚମ୍ପଟ ମାରିଥିଲା । ଜିଲ୍ଲାର ଦୁଇଟି ଜେଲରୁ ଦୁଇ ଜଣ କଏଦୀ ଫେରାର ହେବା ପରେ ଜେଲ କର୍ମଚାରୀ ଓ ଜିଲ୍ଲା ପୁଲିସ୍ର ନିଦ ହଜିଯାଇଥିଲା । ତେବେ ନୟାଗଡ଼ ଜେଲରୁ ଖସି ଯାଇଥିବା କଏଦୀକୁ ନୟାଗଡ଼ ସଦର ଓ ଟାଉନ୍ ଥାନା ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଫେରାର ହେବାର ୨୪ ଘଣ୍ଟା ଭିତରେ କାବୁ କରିବାରେ ସକ୍ଷମ ହୋଇଛନ୍ତି । ସେହିଭଳି ଖଣ୍ଡପଡ଼ା ଜେଲରୁ ଖସିଯାଇଥିବା କଏଦୀକୁ ଜେଲ କର୍ମଚାରୀମାନେ ଫତେଗଡ଼ ଥାନା କାଳିଗିରି ବ୍ରିଜ୍ ନିକଟ ବୁଦୁବୁଦିଆ ଜଙ୍ଗଲରୁ ଆଜି ମାଡ଼ି ବସିଛନ୍ତି । ଏମାନଙ୍କୁ ପୁଲିସ୍ କୋର୍ଟରେ ହାଜର କରାଇବା ପରେ ପୁଣି ସେମାନଙ୍କୁ ଜେଲ ଭିତରର ସେମାନଙ୍କ ପୁରୁଣା ଠିକଣାକୁ ପଠାଇଦିଆଯାଇଛି ।
ଖବରରୁ ପ୍ରକାଶ ଯେ, ନୟାଗଡ଼ ଟାଉନ୍ ଥାନା ଲେଖନପୁର ଗ୍ରାମର ହିମାଂଶୁ ନାୟକ(୨୭) ନାମରେ ପୂର୍ବରୁ ୨୦୧୭ ମସିହାରେ ୧୬୪/୧୭ ଏବଂ ୨୦୧୮ ମସିହାରେ ୧୫୮/୧୮ ନମ୍ବରରେ ଦୁଇଟି ମାମଲା ରହିଥିଲା । ଏକ ଡକାୟତି ଉଦ୍ୟମ ଘଟଣାରେ ହୋଇଥିବା କେସ୍ ନଂ. ୨୬/୧୯ର ୱାରେଣ୍ଟ ବଳରେ ଗତ ଜୁଲାଇ ୩୧ ତାରିଖ ଦିନ ଟାଉନ୍ ଥାନା ପୁଲିସ୍ ତାକୁ ଗିରଫ କରି ଜେଲ ହାଜତକୁ ପଠାଇଥିଲା । ହିମାଂଶୁ ଜେଲ ଭିତରେ ରହି ଆସୁଥିଲେ ସୁଦ୍ଧା ବାହାରକୁ କୌଣସି ପ୍ରକାରେ ଖସି ଯିବାକୁ ଯୋଜନା କରୁଥିଲା । ଗତ ଶୁକ୍ରବାର ଦିନ ତା’ର ଜଣେ ସାଙ୍ଗ ତାକୁ ଜେଲରେ ଦେଖା କରି ରବିବାର ଦିନ ୧୦ଟାରେ ଖସି ଯିବାକୁ କହିଥିଲା । ଏଥି ପାଇଁ ସାଙ୍ଗ ଜଣକ ତାକୁ ସହଯୋଗ କରିବାକୁ ବାହାରେ ମୋଟରସାଇକେଲ ଧରି ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲା । ଯୋଜନା ମୁତାବକ ରବିବାର ସାଙ୍ଗ ଜଣକ ମୋଟର ସାଇକେଲ ଧରି ବାହାରେ ଅପେକ୍ଷା କରି ରହିଥିଲା । ଏପଟେ ଖଣ୍ଡପଡ଼ା ଜେଲ୍ରୁ ଚମ୍ପଟ ମାରିଥିବା କଏଦୀ ସଂପର୍କରେ ତଦନ୍ତ କରିବାକୁ ଆଇଜିଙ୍କ ନିର୍ଦ୍ଦେଶକ୍ରମେ ନୟାଗଡ଼ ଜେଲର୍ ଉମେଶ ଚନ୍ଦ୍ର ବଳବନ୍ତରାୟ ଖଣ୍ଡପଡ଼ା ଚାଲିଯାଇଥିଲେ । ରବିବାର ଜେଲ ଭିତର ବନ୍ଦ ରହୁଥିବାରୁ ବାହାର ଗେଟ୍ ତାଲା ପଡିରହିଥିଲା । ଭିତରେ ଡାକ୍ତର କଏଦୀମାନଙ୍କୁ ଦେଖି ଔଷଧ ଦେଉଥିଲେ । ଏହି ସମୟରେ ହିମାଂଶୁ ଡାକ୍ତରଙ୍କଠାରୁ ଔଷଧ ନେଇ କନ୍ଫରେନ୍ସ ରୁମ୍ର ତାଜାକୁ ଧରି ଛାତ ଉପରକୁ ଚଢ଼ି ଚାଲିଯାଇଥିଲା । ଏହାପରେ ଇଣ୍ଟରଭ୍ୟୁ ରୁମ୍ ତାଜା ଦେଇ ବାହାରକୁ ଖସି ଯିବାରେ ସକ୍ଷମ ହୋଇଥିଲା । ସେପଟେ ବାହାରେ ଅପେକ୍ଷା କରିଥିବା ସାଙ୍ଗ ମୋଟରସାଇକେଲ ଯୋଗେ ଚମ୍ପଟ ମାରିଥିଲା । ହିମାଂଶୁ ଛାତ ଉପର ଦେଇ ଯିବା ରାସ୍ତାରେ ସିସି କ୍ୟାମେରା ନଥିବାରୁ ଘଟଣା ସଂପର୍କରେ କିଛି ଜଣା ପଡ଼ିନଥିଲା । ସଦର ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ହିମାଂଶୁକୁ ଖୋଜିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା । ରାତି ପ୍ରାୟ ୩ଟାରେ ବିଶେଷ ସୂତ୍ରରୁ ଖବର ପାଇ ସଦର ଥାନା ଅଧିକାରୀ ଓ ଟାଉନ୍ ଥାନା ଅଧିକାରୀ ସଦଳବଳେ କଏଦୀର ନିଜ ଗ୍ରାମ ଲେଖନପୁରର ବୈକୁଣ୍ଠ ନାୟକଙ୍କ ଘର ଉପରେ ଚଢ଼ଉ କରି ତାକୁ ଧରିବାରେ ସକ୍ଷମ ହୋଇଥିଲେ । ସଦର ଥାନାରେ ଏକ ମାମଲା (୧୦୨/୧୯) ରୁଜୁ କରାଯାଇ ଆଜି ହିମାଂଶୁକୁ ତା’ର ପୁରୁଣା ଠିକଣାକୁ ପଠାଇ ଦିଆଯାଇଥିବା ପୁଲିସ୍ ସୂଚନା ଦେଇଛି ।
ସେହିଭଳି ଖଣ୍ଡପଡ଼ା ଜେଲରୁ ଚମ୍ପଟ ମାରିଥିବା ତପନ ରାଉତ(୨୭)କୁ ମଧ୍ୟ ଧରାଯାଇ କୋର୍ଟ ଚାଲାଣ କରାଯାଇଛି । ଶନିବାର ସେ ଜେଲ ପରିସରରୁ ପାଚେରି ଡେଇଁ ଫେରାର ହୋଇଯିବା ପରେ ନିଜ ଘରକୁ ଚାଲି ଯାଇଥିଲା । ସେଠାରେ ଦୁଇଦିନ ରହିବା ପରେ ଆଜି ସକାଳୁ ସେ ଅନ୍ୟତ୍ର ଚାଲିଯିବାକୁ ଉଦ୍ୟମ କରୁଥିବା ବେଳେ ଫତେଗଡ଼ ଥାନା ଅନ୍ତର୍ଗତ କାଳିଗିରି ବ୍ରିଜ୍ ନିକଟ ଅଳସୁଆ ଠାରୁ ନିଲମ୍ବିତ ୱାର୍ଡର କିଶୋର ଚନ୍ଦ୍ର ସାହୁ ଓ ତାଙ୍କ ସାଙ୍ଗ ତଥା ଭଞ୍ଜନଗରସ୍ଥିତ ସ୍ୱତନ୍ତ୍ର କାରାଗାରରେ ୱାର୍ଡର ଜ୍ୟୋତିରଞ୍ଜନ ସୁନ୍ଦରାୟ ତାକୁ ଧରିବାରେ ସକ୍ଷମ ହୋଇଥିଲେ । ସୂଚନାଯୋଗ୍ୟ ଯେ, ତପନ ଏକ ବଳା+ାର ମାମଲାରେ ବିଚାରାଧୀନ କଏଦୀ ଭାବେ ରହିଥିବା ବେଳେ ଗତବର୍ଷ ମଧ୍ୟ ଜେଲରୁ ଚମ୍ପଟ ମାରିଥିଲା ।
Comments are closed, but trackbacks and pingbacks are open.