ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଲକ୍ଷ୍ମୀସାଗର ଥାନା ପୁଲିସ୍ ହାଇଦରର ସହଯୋଗୀ ମହମ୍ମଦ ନସିରୁଦ୍ଦିନ୍ ଓରଫ ଉମର ଓସ୍କାର ଓରଫ ବବୁଲ (୪୦)କୁ ଗିରଫ କରି କୋର୍ଟ ଚାଲାଣ କରିଛି । ନସିରୁଦ୍ଦିନର ଘର କଟକ ଗଣ୍ଡରପୁରରେ । ନସିରୁଦ୍ଦିନ ସହ ବଡ଼ଗଡ଼ ବିଜେବିନଗରରେ ରହୁଥିବା କନ୍ଧମାଳ ଜି.ଉଦୟଗିରିର ସାଜନ କୁମାର ନାୟକ(୨୭) ଓ ବଡ଼ଗଡ଼ ମ୍ୟୁଜିୟମ ଫ୍ଲାଟ୍ରେ ରହୁଥିବା ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ଗଣେଶ୍ୱରପୁରର ସନ୍ତୋଷ କୁମାର ନାଥ(୨୪)ଙ୍କୁ ମଧ୍ୟ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏମାନଙ୍କ ବିରୋଧରେ ୨୯୪/୩୪୧/୩୨୩/୨୫୧/୩୭୯ ଦଫା ଲାଗିଛି । ତେବେ ନସିରୁଦ୍ଦିନ ୨୦୧୪ ଡିସେମ୍ବରରେ ଚୌଦ୍ୱାର ଜେଲରୁ ପାରୋଲରେ ଆସି ଖସି ଯାଇଥିଲା । ଗତ ୪ ତାରିଖରେ କଟକ ରୋଡସ୍ଥିତ ‘ରେନ୍ ଦି କ୍ଲବ୍’ ବାର୍ରେ ମାରପିଟ୍ କରୁଥିଲା । ବାରମାଲିକ ପୁଲିସ୍କୁ ଜଣାଇଥିଲେ । ଲକ୍ଷ୍ମୀସାଗର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ନସିରୁଦ୍ଦିନକୁ ଧରିଥିଲା । କଟକ ରୋଡରେ ଥିବା ‘ରେନ୍ ଦି କ୍ଲବ୍’ ବାର୍ ମାଲିକ ସହ ନସିରୁଦ୍ଦିନର ଭଲ ସମ୍ପର୍କ ଥିଲା । ବାର୍ ମାଲିକ ଜାଣିଥିଲେ ଉମର ଓସ୍କାର ହେଉଛି ମହମ୍ମଦ ନସିରୁଦ୍ଦିନ୍ ଓରଫ ବବୁଲ । ହେଲେ ସେ ପୁଲିସ୍କୁ ଏ ବିଷୟରେ ଜଣାଉ ନଥିଲେ । କାରଣ ନସିରୁଦ୍ଦିନ ସବୁ ଦିନ ବାର୍କୁ ଆସି ଲକ୍ଷ ଲକ୍ଷ ଟଙ୍କା ଉଡ଼ାଉଥିଲା । ତା’ ପାଇଁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ହେଉଥିବାରୁ ବାର୍ ମାଲିକ ପୁଲିସ୍କୁ କିଛି ଜଣାଉ ନଥିଲେ । ନସିରୁଦ୍ଦିନ ସବୁ ଦିନ ୧୦ରୁ ୧୫ ଜଣ ଯୁବକଙ୍କୁ ନେଇ ବାର୍ ଆସୁଥିଲା । ୪ ତାରିଖରେ ‘ରେନ୍ ଦି କ୍ଲବ୍’ ବାର୍ ଆସିଥିଲେ ନସିରୁଦ୍ଦିନ ଓ ତା’ର କିଛି ସହଯୋଗୀ । ଏହି ସମୟରେ କୌଣସି କାରଣକୁ ନେଇ ସୁଆଙ୍ଗର ପ୍ରଭାତ କୁମାର ଶତପଥୀଙ୍କ ସହ ନସିରୁଦ୍ଦିନର ପାଟିତୁଣ୍ଡ ହେଲା । କଥା ହାତାହାତି ଓ ପରେ ବାର୍ରେ ଆତଙ୍କ ଖେଳିଲା । ବାର୍ କର୍ମଚାରୀ ପୁଲିସ୍କୁ ଫୋନ୍ କରିଥିଲେ । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବାର୍ର କିଛି ବାଉନ୍ସରଙ୍କ ସହ ୧୦ ଜଣଙ୍କୁ ଥାନାକୁ ନେଇଥିଲା । ବାର୍ ମାଲିକଙ୍କୁ ମଧ୍ୟ ପୁଲିସ୍ ଘଟଣା ବିଷୟରେ ପଚରାଉଚରା କରଥିଲା । ଏହି ସମୟରେ ବାର୍ ମାଲିକ ନସିରୁଦ୍ଦିନ କଥା ପୁଲିସ୍କୁ ବଖାଣି ଦେଇଥିଲେ । ତା’ପରେ ପୁଲିସ୍ ନସିରୁଦ୍ଦିନର ପୁରୁଣା ଫାଇଲ ଖୋଲିବାରେ ସବୁ ତଥ୍ୟ ପଦାକୁ ଆସିଥିଲା । ଏହି ଘଟଣା ଡିିସିପି ଅନୁପ ସାହୁ ଜେଲ୍ ଏଡିଜିଙ୍କୁ ଜଣାଇଥିଲେ । ଆଜି ଚୌଦ୍ୱାର ଜେଲ୍ର ଅତିରିକ୍ତ ଜେଲର ଥାନାକୁ ଆସି ଘଟଣା ବିଷୟରେ ବୁଝିଥିଲେ । ଜେଲ୍ କର୍ତ୍ତୃପକ୍ଷ ଏନେଇ କୋର୍ଟକୁ ଜଣାଇବେ । ଏହାପରେ ଝାରପଡା ଜେଲ୍ରୁ ନସିରୁଦ୍ଦିନକୁ ଚୌଦ୍ୱାର ଜେଲ୍କୁ ନିଆଯିବ ବୋଲି ଜଣାପଡ଼ିଛି ।
Comments are closed, but trackbacks and pingbacks are open.