ଭୁବନେଶ୍ୱର,(ବି.ବି.ବ୍ୟୁରୋ): ନିଶାଦେଇ ଲୁଟ୍ପାଟ ପରେ ଫାୟାର ଷ୍ଟେସନ ନିକଟରେ ଜଣେ ଯାତ୍ରୀଙ୍କୁ ରାସ୍ତା କଡ଼ରେ ଫିଙ୍ଗୁଥିବା ବେଳେ ଖଣ୍ଡଗିରି ପୁଲିସ୍ ଦୁଇ ଜଣଙ୍କୁ କାବୁ କରିଥିଲା । ସେମାନେ ହେଲେ କଟକ ଟାଙ୍ଗୀର ଅତୁଲ୍ୟ କୁମାର ଗୋଚ୍ଛାୟତ (୫୦) ଓ କଟକ ବୈଦେଶ୍ୱର ଥାନା କଳାପଥରର ମନୋଜ ପ୍ରଧାନ (୪୦) । ଆଜି ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।
ପୁଲିସ ସୂଚନା ଅନୁଯାୟୀ, ଗଞ୍ଜାମ ତାରାସିଂ ଥାନା ବରପାଲୀର ମିଥୁନ ନାୟକ ବେଙ୍ଗାଲୁରରେ କାମ କରୁଥିଲେ । ସେ ଟ୍ରେନ୍ ଯୋଗେ ଆସି ରବିବାର ଅପରାହ୍ଣରେ ଭୁବନେଶ୍ୱର ରେଳ ଷ୍ଟେସନରେ ଓହ୍ଲାଇଥିଲେ । ସେଠାରୁ ସେ ବରମୁଣ୍ଡା ବସ୍ଷ୍ଟାଣ୍ଡକୁ ଆସିଥିଲେ । ବସ୍କୁ ଅପେକ୍ଷା କରିଥିବା ବେଳେ ଅତୁଲ୍ୟ ଓ ମନୋଜ ତାଙ୍କ ସହ ଭେଟ ହେଇ ବନ୍ଧୁତା ଯୋଡ଼ିଥିଲେ । ସେମାନେ ମଧ୍ୟ ଗଞ୍ଜାମ ଯିବେ ବୋଲି ତାଙ୍କୁ କହିଥିଲେ । ପରେ ସେମାନେ ମୋବାଇଲ୍ କିଣିବା ପାଇଁ କହି ମିଥୁନଙ୍କୁ ଡାକି ନେଇଥିଲେ । ଫାୟାରଷ୍ଟେସନ ନିକଟରେ ତାଙ୍କୁ କୋଲ୍ଡ ଡ୍ରିଙ୍କ୍ସ ପିଇବାକୁ ଦେଇଥିଲେ । ତା’ପରେ ମିଥୁନ କିଛି ଜାଣିପାରି ନଥିଲେ । ପରେ ଅତୁଲ୍ୟ ଓ ମନୋଜ ମିଥୁନଙ୍କ ପକେଟରୁ ଟଙ୍କା, ମୋବାଇଲ୍ ଫୋନ୍ ଓ ବ୍ୟାଗ୍ ଲୁଟି ତାଙ୍କୁ ରାସ୍ତା କଡ଼କୁ ନେଇ ଠେଲିବା ସମୟରେ ପିସିଆର ପୁଲିସ ହାବୁଡ଼ରେ ପଡ଼ିଥିଲେ । ପୁଲିସ ସଙ୍ଗେ ସଙ୍ଗେ ଦୁଇଜଣଙ୍କୁ କାବୁ କରିବା ସହ ଲୁଟ୍ ସାମଗ୍ରୀ ଜବତ କରିଥିଲା । ଅଚେତ ହୋଇ ପଡ଼ିଥିବା ମିଥୁନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଅତୁଲ୍ୟ ଓ ମନୋଜଙ୍କୁ ପୁଲିସ ଥାନାକୁ ଆଣି ଜେରା କରିଥିଲା । ଉଭୟ ଏପରି ରେଳ ଓ ବସ୍ଯାତ୍ରୀଙ୍କୁ ନିଶାଦେଇ ଲୁଟ୍ପାଟ କରୁଥିବା ମାନିଥିଲେ । ଖବରପାଇ ଗତକାଲି ସନ୍ଧ୍ୟାରେ ମିଥୁନଙ୍କ ଦାଦା ଲୋଚନ ନାୟକ ପହଞ୍ଚି ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ତାଙ୍କ ଅଭିଯୋଗକୁ ଭିତ୍ତିକରି ଏକ ଲୁଟ୍ପାଟ ମାମଲା ରୁଜୁକରି ଅତୁଲ୍ୟ ଓ ମନୋଜଙ୍କୁ ଗିରଫ କରିଥିଲା ।
Comments are closed, but trackbacks and pingbacks are open.