
କଟକ,(ବି.ବି.ବୁ୍ୟରୋ): ସମ୍ବଲପୁର ଜେଲ୍ରେ ହେଉ ବା ଭ୍ୟାନ୍ରେ ଆସିଲା ବେଳକୁ, ଏପରିକି ଏସ୍ସିବି କ୍ୟାବିନ୍ ଭିତରେ³ ସବୁ ବେଳେ ହାଇଦର୍ ହାତରେ ରହୁଥିଲା ଜେଲ୍ ଗାର୍ଡ ଶିବନାରାୟଣ ନନ୍ଦର ମୋବାଇଲ୍ । ଫେରାର୍ ପ୍ଲାନ୍ ପ୍ରସ୍ତୁତ ହେବା ପରେ ଏହି ଫୋନ୍ରେ ହିଁ ସବୁ ସହଯୋଗୀଙ୍କୁ ଯୋଗାଯୋଗ କରିଥିଲା ହାଇଦର୍ । ଏପରିକି ଫେରାର୍ ଦିନ ସକାଳୁ ବି କିଛି ସହଯୋଗୀଙ୍କୁ ହାଇଦର୍ ଏହି ଫୋନ୍ ବ୍ୟବହାର କରି ଏସ୍ସିବିକୁ ଡକାଇଥିଲା । କହିବାକୁ ଗଲେ ଜେଲ୍ ଗାର୍ଡ ତାର ଫୋନ୍କୁ ଏକରକମ ହାଇଦରକୁ ହସ୍ତାନ୍ତର କରିଦେଇଥିଲା ।
ଖାଲି ସେତିକି ନୁହେଁ, ଏସ୍ସିବିର ସର୍ଜରୀ କ୍ୟାବିନ୍ ଆଗରେ ଡୁ୍ୟଟି ଦେଉଥିବା କନ୍ଷ୍ଟେବଳ ମହମ୍ମଦ ମୌସିମ୍ ପ୍ରଚୁର ଅନୁକମ୍ପା ଦେଖାଇଥିଲା ହାଇଦର୍ ଓ ତା ଗ୍ୟାଙ୍ଗ୍ର ସହଯୋଗୀମାନଙ୍କୁ । ହାଇଦର୍ ଜଣେ କୁଖ୍ୟାତ ଗ୍ୟାଙ୍ଗ୍ଷ୍ଟର୍ ହୋଇଥିବା ଜାଣି ମଧ୍ୟ ମୌସିମ୍ ସବୁ ପ୍ରକାର ସୁବିଧା ଯୋଗାଇ ଦେଉଥିଲା । କ୍ୟାବିନ୍ ଭିତରକୁ ସମସ୍ତଙ୍କର ଅନାୟାସରେ ଯାଆସ ପାଇଁ ମୌସିମ୍ ଦେଉଥିଲା ଅନୁମତି । ଏପରିକି ହାଇଦର୍ ପାଇଁ ଯାହା ଖାଇବାକୁ ବା ପିଇବାକୁ ଆସୁଥିଲା ସେସବୁ ମୌସିମ୍ ମଧ୍ୟ ଖାଉଥିଲା । – ଏଭଳି ଅନେକ ଚାଞ୍ଚଲ୍ୟକର ତଥ୍ୟ ଏବେ ତଦନ୍ତ ବେଳେ ପଦାକୁ ଆସିଛି । ଏହି ଦୁଇ ସରକାରୀ କର୍ମଚାରୀ ଜଣେ ଆଜୀବନ ସଜା ଭୋଗୁଥିବା କଏଦୀକୁ ଅନୁକମ୍ପା ଦେଖାଇବା ଓ କର୍ତ୍ତବ୍ୟରେ ଅବହେଳା କରିବା କଥା ସ୍ପଷ୍ଟ ହେବା ପରେ ଦୁଇ ଜଣଙ୍କୁ ମଙ୍ଗଳାବାଗ ଥାନା ପୁଲିସ ଆଜି ଗିରଫ କରିଛି । ଏହି ଦୁଇ ଜଣ ସରକାରୀ କର୍ମଚାରୀଙ୍କୁ ମିଶାଇ ହାଇଦର୍ ଫେରାର୍ ଘଟଣାରେ ଏଯାବତ ମୋଟ ୮ ଜଣ ଗିରଫ ହୋଇସାରିଲେଣି ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।
ପୁଲିସର କହିବାନୁସାରେ, ହାଇଦର୍ ସମ୍ବଲପୁର ଜେଲ୍ରେ ରହିବା ପରେ ତାର ଜେଲ୍ ୱାର୍ଡର ଶିବନାରାୟଣ ନନ୍ଦ ସହିତ ପରିଚୟ ହୋଇଥିଲା । ହାଇଦର୍ ଜେଲ୍ରେ ରହିବା ବେଳେ ତାଠାରୁ ଶିବନାରାୟଣ ଉପକୃତ ହୋଇ ବହୁ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରେ । ଖାସ୍କରି ଫୋନ୍ରେ କଥା କରାଇବାରେ ଶିବନାରାୟଣ ସହଯୋଗ କରେ । ଜେଲ୍ ବାହାରକୁ ମେଡ଼ିକାଲ୍କୁ ଆସିବା ବେଳେ ଶିବନାରାୟଣ ତାର ଫୋନ୍ ହାଇଦରକୁ ଧରାଇଦିଏ । ଫୋନ୍ ପାଇବା ପରେ ହାଇଦର୍ ମନଖୋଲି କଥା ହୁଏ । ତେବେ ହାଇଦର୍ ଏସ୍ସିବିରୁ ଫେରାର୍ ହେବା ଯୋଜନା ଜେଲ୍ରେ ପ୍ରସ୍ତୁତ ହେବା ପରେ ସେ ତାର ପୁଅ, ଜ୍ୱାଇଁ ଓ କିଛି ସହଯୋଗୀଙ୍କୁ ଏହି ଜେଲ୍ ଗାର୍ଡ ଶିବନାରାୟଣର ଫୋନ୍ରେ ଅବଗତ କରିଥିଲା । ଗତ ୨୩ ତାରିଖ ଦିନ ହାଇଦର୍ ସମ୍ବଲପୁରରୁ କଟକ ଏସ୍ସିବି ଆସିବା ବେଳେ ଭ୍ୟାନ୍ ଭିତରେ ଶିବନାରାୟଣର ଫୋନ୍ରେ ହାଇଦର ଲଗାତାର ଭାବେ କଥା ହୋଇ ଆସୁଥିଲା । ଏସ୍ସିବିରେ ପହଞ୍ଚିବା ପରେ ଜେଲ୍ ଗାର୍ଡ ଶିବନାରାୟଣର ଡୁ୍ୟଟି କ୍ୟାବିନ୍ ଆଗରେ ସକାଳ ସମୟରେ ପଡେ଼ । ଏହି ସମୟରେ ଶିବନାରାୟଣ ତାର ଫୋନ୍କୁ ଏକରକମ ହାଇଦର୍କୁ ଧରାଇଦିଏ । ଏହି ସମୟରେ ହାଇଦର୍ କ୍ୟାବିନ୍ ଭିତରେ ରହି ତାର ଫେରାର୍ ବିଷୟ ପୁଅ, ଜ୍ୱାଇଁ ଓ ସହଯୋଗୀଙ୍କ ସହିତ ଆଲୋଚନା କରୁଥିଲା । ଏପରିକି ୟାକୁବ୍, ସେକ୍ ରଇସୁଦ୍ଧିନ, ସେକ୍ ଇମ୍ରାନ୍ ଓ ଗେହ୍ଲି ଓରଫ ଅର୍ଚ୍ଚନା ପରିଡ଼ା ସହିତ ମଧ୍ୟ ହାଇଦର ଜେଲ୍ଗାର୍ଡ ଶିବନାରାୟଣର ମୋବାଇଲ୍ରେ କଥା ହୋଇଥିବା ପୁଲିସ ତଦନ୍ତ ବେଳେ ସ୍ପଷ୍ଟ ହୋଇଛି । ଗୁରୁତ୍ୱପୂର୍ଣ୍ଣ ହେଉଛି, ଯେଉଁ କର୍ମଚାରୀମାନେ ସମ୍ବଲପୁର ଜେଲ୍ରୁ ହାଇଦର ସହିତ ଏସ୍ସିବି ଆସିଥିଲେ ତାଙ୍କର ରହଣି ବ୍ୟବସ୍ଥା ନିକଟସ୍ଥ ଏକ ହୋଟେଲ୍ରେ ଶିବନାରାୟଣ କରିଥିବା ଜଣାପଡ଼ିଛି । ହାଇଦର୍ଠାରୁ ପଇସା ନେଇ ଶିବନାରାୟଣ ଏହି ହୋଟେଲ୍ ରୁମ୍ ବୁକ୍ କରିଥିଲା ।
ଅନ୍ୟପଟେ, ହାଇଦର୍ର ପ୍ରହରୀ ବା ଗାର୍ଡ ଡୁ୍ୟଟି ଭାବେ କନ୍ଷ୍ଟେବଳ ମହମ୍ମଦ ମୌସିମ୍ ଦାୟିିତ୍ୱ ପାଇବା ପରଠାରୁ ସେ ହାଇଦରକୁ ଅନୁକମ୍ପା ଦେଖାଇବା ଆରମ୍ଭ କରିଥିଲା । ୨୩ ତାରିଖରେ ହାଇଦର୍ କ୍ୟାବିନ୍ ପାଇବାର ଗୋଟିଏ ଦିନ ପରେ ମୌସିମ୍ କ୍ୟାବିନ୍ ଆଗରେ ଡୁ୍ୟଟି ଦେଲା । ଏହି ସମୟରେ ପ୍ରଥମେ ହାଇଦର୍ର ପୁଅ ଅଜୁ ଆସି କ୍ୟାବିନ୍ ପାଖରେ ପହଞ୍ଚିଲା । ବାପାଙ୍କୁ ଦେଖା କରିବ ବୋଲି ମୌସିମ୍କୁ କହିଲା । ଏଥିରେ ମୌସିମ୍ ରାଜି ହୋଇଗଲା । ଏହା ପରେ ମୌସିମ୍ ଉପସ୍ଥିତିରେ ଅଜୁ ତାର ବାପାଙ୍କୁ ଭେଟ କରି ଫେରିଗଲା । ମାତ୍ର ଏହା ପରେ ଅଜୁ ଏବଂ ଅନ୍ୟ ସମ୍ପର୍କୀୟ ସେଠାକୁ ଆସିବା ପରେ ମୌସିମ୍ କୌଣସି ପ୍ରକାର କଟକଣା ରଖୁନଥିଲା । ଏପରିକି ଯିଏ ଯାହା ଖାଦ୍ୟ ବା ପାନୀୟ ଆଣୁଥିଲେ ସେସବୁ ହାଇଦର୍ ଖାଇବା ସହିତ ମୌସିମ୍ ମଧ୍ୟ ଖାଉଥିଲା । ସେ ରାତି ସମୟରେ ହାଇଦର୍ କ୍ୟାବିନ୍ରେ ଏକାଧିକ ଯୁବତୀଙ୍କୁ ରହିବା ପାଇଁ ମଧ୍ୟ ଅନୁମତି ଦେଉଥିଲା । ଏହା ବଦଳରେ ମୌସିମ୍ କିଛି ଟଙ୍କା ହାଇଦର୍ ପୁଅଠାରୁ ନେଇଥିବା ବିଷୟ ପୁଲିସ ଜାଣିବାକୁ ପାଇଛି । ଏହି ବିଷୟରେ ଅଧିକ ତଦନ୍ତ ହେଉଛି । ତେବେ ପୁଲିସ ଏହି ଦୁଇ ଜଣଙ୍କ କର୍ତ୍ତବ୍ୟରେ ଅବହେଳା ଓ ହାଇଦର୍କୁ ଅକୁକମ୍ପା ଦେଖାଇବା ବିଷୟ ଜାଣିବା ପରେ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ଏହି କ୍ରମରେ ଡିସିପି ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ମଧ୍ୟ ଦେଇଛନ୍ତି । କନ୍ଷ୍ଟେବଳ ମୌସିମ୍ କିଭଳି ନିଶାଗ୍ରସ୍ତ ହେଲା ତାହାର ତଦନ୍ତ ଚାଲିଛି । ହାଇଦର୍ କ୍ୟାବିନ୍ରୁ କିଛି ଖାଦ୍ୟ ବା ବିରିୟାନିର ନମୁନା ସଂଗ୍ରହ ହୋଇ ଲ୍ୟାବକୁ ପରୀକ୍ଷା ପାଇଁ ଯାଇଛି । କନ୍ଷ୍ଟେବଳଠାରୁ ସଂଗ୍ରହ ହୋଇଥିବା ରକ୍ତ ନମୁନା ମଧ୍ୟ ପରୀକ୍ଷା ହେଉଛି । ଏହାର ରିପୋର୍ଟ ଆସିବା ପରେ କନ୍ଷ୍ଟେବଳ କିପରି ବେହୋସ୍ ହେଲା ତାହା ସ୍ପଷ୍ଟ ହେବ ବୋଲି ଡିସିପି କହିଛନ୍ତି । ତେବେ ଡିସିପି ଆଜି ପ୍ରତ୍ୟକ୍ଷ ଭାବେ ନହେଲେ ବି ପରୋକ୍ଷ ଭାବେ ସୂଚନା ଦେଇଛନ୍ତି କି, କନ୍ଷ୍ଟେବଳ ମୌସିମ୍ ନିଶାଦିଆ ବିରିୟାନି ଖାଇବା ପରେ ଅଚେତ ହୋଇଥିଲା ।
Comments are closed, but trackbacks and pingbacks are open.