ଜେଲ ଗଲେ ବାପା ପୁଅ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଥିବା ଅତିରିକ୍ତ ପିସିସିଏଫ୍ ତଥା ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କୁ ଗିରଫ କରିଛି ଭିଜିଲାନ୍ସ । ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରା ଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ବାପା ଓ ପୁଅଙ୍କୁ ବିଚାର ବିଭାଗୀୟ ହାଜତ (ଝାରପଡ଼ା ଜେଲ୍)କୁ ପଠାଇ ଦିଆଯାଇଛି । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ବାପ ଓ ପୁଅ ବିଚାର ବିଭାଗୀୟ ହାଜତରେ ରହିବେ । ଅଭୟଙ୍କ ପୁତୁରା ଓ ଡ୍ରାଇଭରଙ୍କୁ ମଧ୍ୟ ଅଟକ ରଖି ଭିଜିଲାନ୍ସ ଜେରା ଚଳାଇଛି । ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ଜବତ କରିଥିବା ସମ୍ପତ୍ତିର ଆକଳନ ଚାଲିଛି । ଏହି ସମ୍ପତ୍ତି ଆୟଠାରୁ ୪୩୫ ପ୍ରତିଶତ ଅଧିକ । ଆହୁରି ଅନେକ ସମ୍ପତ୍ତି ବାହାରିବ ବୋଲି ଭିଜିଲାନ୍ସ ପକ୍ଷରୁ କୁଯାହାଇଛି ।
କୋର୍ଟ ଯିବା ପୂର୍ବରୁ ବାପା ପୁଅଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ହସ୍ପିଟାଲ୍ ନିଆ ଯାଇଥିଲା । ଫେରିବା ସମୟରେ ଅଭୟ ଗଣମାଧ୍ୟମକୁ କହିଥିଲେ, ପୁଅ ମୋ ଟଙ୍କାରେ ଅୟସ କରୁନଥିଲା । ମୋ ପୁଅର ମାସିକ ଦରମା କୋଟିଏ ଟଙ୍କା । କିଛି ଠକେଇ ହୋଇନି, ସବୁ ଯଥାର୍ଥ ଅଛି । ମୋ ବିରୋଧରେ ଆସିଥିବା ସବୁ ଅଭିଯୋଗ ମିଛ । ବିଭାଗୀୟ ଅର୍ଥ ହଡ଼ପ କରିନାହାନ୍ତି ବୋଲି ପାଠକ କହିଛନ୍ତି । ପୁଅ ଆକାଶ କହିଛନ୍ତି, ଯାହା ସବୁ ଅଭିଯୋଗ ହୋଇଛି, ସବୁ ଭୁଲ୍ । ପ୍ରତିଶୋଧ ପରାୟଣ ହୋଇ ଏସବୁ କରାଯାଉଛି, କୋର୍ଟରେ ସବୁ କିଛି ପ୍ରମାଣ ଦିଆଯିବ ।
ଏପଟେ ଆକାଶଙ୍କ କୋଟିଏ ଟଙ୍କା ଦରମା ବିଷୟରେ ମୁହଁ ଖୋଲିଛନ୍ତି ଭିଜିଲାନ୍ସ ସେଲ୍ ଏସ୍ପି ରାଧାକୃଷ୍ଣ ଦାସ । ଏସ୍ପି କହିଛନ୍ତି, ଆଇଏଫ୍ଏସ୍ ଅଭୟ ଡାହା ମିଛ କହୁଛନ୍ତି । ତାଙ୍କ ପୁଅ ଚାକିରି କରି ମାସକୁ ୧ କୋଟି ଦରମା ପାଉଛନ୍ତି ବୋଲି କିଛି ପ୍ରମାଣ ନାହିଁ । ଯଦି ସେ ଏତେ ଟଙ୍କା ଦରମା ପାଉଥିଲେ ତେବେ ଇନ୍କମ୍ ଟ୍ୟାକ୍ସ ନିଶ୍ଚିତ ଦେଉଥିବେ । କିନ୍ତୁ ସେ ବାବଦରେ କିଛି କାଗଜପତ୍ର ଦେଇନାହାନ୍ତି । କେବଳ ନିଜକୁ ବଞ୍ଚାଇବାକୁ ଯାଇ ଆଇଏଫ୍ଏସ୍ ଅଭୟ ଏମିତି ମିଛ କହି ଥାଇପାରନ୍ତି ବୋଲି ଏସ୍ପି ଶ୍ରୀ ଦାସ କହିଛନ୍ତି ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଭୟକାନ୍ତଙ୍କ ଘରେ ୨ ଦିନ ତଳେ ଭିଜିଲାନ୍ସ ଚଢ଼ଉ କରିଥିଲା । ଭୁବନେଶ୍ୱର, ବିହାର, ରାଜସ୍ଥାନ, ମୁମ୍ବାଇ ଓ ପୁନେର ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା । ଯାଞ୍ଚ ବେଳେ ଅଭୟକାନ୍ତଙ୍କ ସମ୍ପତ୍ତି ଯେତେ ଖୋଳିଲେ ସେତେ ବାହାରୁଛି । ଗ୍ୟାରେଜରେ ଗୋଟିଏ ପରେ ଗୋଟିଏ ଦାମୀ ଗାଡ଼ି, ଆଲିସାନ୍ ଫ୍ଲାଟ୍ ଆଉ ଫାର୍ମ ହାଉସ୍ ସହିତ ସମ୍ପର୍କୀୟ ଓ ଡ୍ରାଇଭରଙ୍କ ନାଁରେ ବି ଠୁଳ ହୋଇଛି ବିପୁଳ ବ୍ଲାକ୍ ମନି । ୨ଦିନ ୧୫୦ ଅଫିସରଙ୍କ ମାରାଥନ୍ ରେଡ୍ ପରେ ଏବେ ନିଆଯାଇଛି ଆrନ୍ । ରେଡ୍ ସମୟରେ ଭିଜିଲାନ୍ସ ହାତରେ ଆଇଏଫ୍ଏସ୍ ଅଭୟ କୋଟି କୋଟି ଟଙ୍କାର ଆୟ ବର୍ହିଭୂତ ବହୁ ବେନାମୀ ସମ୍ପତ୍ତି ସହ ବେଆଇନ କାର୍ଯ୍ୟର ଦସ୍ତାବିଜ ଲାଗିଛି ।
ଗୁରୁବାର ବାପ ଓ ପୁଅଙ୍କୁ ଏକାଠି ସାରା ରାତି ଜେରା କରିଥିଲା ଭିଜିଲାନ୍ସ । ସେପଟେ ଡିଆଇଜି ସଞ୍ଜୟ କୌଶଲ ଅଭୟଙ୍କୁ ମଧ୍ୟ ଜେରା କରିଥିଲେ । ଏହି ସମୟରେ ଏମାନେ ଅନେକ ମିଥ୍ୟା ତଥ୍ୟ ଭିଜିଲାନ୍ସକୁ ଦେଇଥିଲେ । ଶୁକ୍ରବାର ୨ ଜଣଙ୍କୁ କୋଭିଡ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା ଭିଜିଲାନ୍ସ । ତା’ପରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରା ଯାଇ କୋର୍ଟ ଚାଲାଣ କରା ଯାଇଥିଲା ।
ଆକାଶଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ୯ କୋଟି ୪୦ ଲକ୍ଷରୁ ଅଧିକ ଟଙ୍କା ଜମା ରହିଛି । ଭୁବନେଶ୍ୱର ସହିଦନଗର ଓ ନୂଆପଲ୍ଲୀ ବ୍ୟାଙ୍କ୍ ଶାଖାକୁ ବ୍ରହ୍ମପୁରରୁ ଅନେକ ଟଙ୍କା ଆସିଛି । ଆକାଶ ମାସକୁ ୧ କୋଟି ଟଙ୍କା ଦରମା ପାଉଛନ୍ତି ବୋଲି ବାପା ଅଭୟ କହିଥିଲେ । କିନ୍ତୁ ଆକାଶ କୌଣସି ସାଲାରି ସି୍ଲପ୍ ଦେଖାଇ ପାରିନାହାନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଆକାଶ କଣ କରନ୍ତି ? କେଉଁଠୁ ଟଙ୍କା ଆଣୁଥିଲେ? ଏଥିରେ ଆଉ କେଉଁମାନେ ଜଡ଼ିତ ରହିଛନ୍ତି? ଏହାର ଉତ୍ତରରେ ଭିଜିଲାନ୍ସ ଏସ୍ପି କହିଛନ୍ତି, ସବିଶେଷ ତଦନ୍ତ ପରେ ସବୁ ଜଣାପଡ଼ିବ । ରିମାଣ୍ଡ ଆବେଦନ ନେଇ ବିଚାର ହୋଇନି ବୋଲି ଏସପି କହିଛନ୍ତି । ସେତିକି ନୁହେଁ, ଯାଞ୍ଚ ସମୟରେ ଅଭୟକାନ୍ତଙ୍କ ଘରୁ ଜବତ ହୋଇଛି ବନ୍ଧୁକ । ତେବେ ଜଣେ ସରକାରୀ ଅଧିକାରୀ ହୋଇ ଅଭୟକାନ୍ତ କାହିଁକି ନିଜ ପାଖରେ ମାରଣାସ୍ତ୍ର ରଖିଥିଲେ ତାକୁ ନେଇ ପ୍ରଶ୍ନ ଉଠୁଛି ।
ସବିଶେଷ ସୂଚନା ଅନୁଯାୟୀ, ଜମା ଟଙ୍କାର ସ୍ଲିପ୍ ଏବଂ ଏଟିଏମ୍ କାଉଣ୍ଟରରେ ଡିପୋଜିଟ୍ ହୋଇଥିବା ଟଙ୍କାର ସମ୍ପୂର୍ଣ୍ଣ ହିସାବ ହୋଇନାହିଁ । ଏ ସଂପର୍କରେ ସଂପୃକ୍ତ ବ୍ୟାଙ୍କଗୁଡ଼ିକରେ ବିବରଣୀ ଯାଞ୍ଚ କରାଯାଉଛି । ସେହିଭଳି ଭୁବନେଶ୍ୱର ଟ୍ରାଭେଲ ଏଜେନ୍ସି ମାଧ୍ୟମରେ ଚାର୍ଟାର ବିମାନ ସମ୍ବନ୍ଧରେ ବୁକିଂ ଏବଂ ଦେୟ ପ୍ରଦାନ କରା ଯାଇଥିବାରୁ ସେମାନଙ୍କର ଭୂମିକା ତଦନ୍ତ ପରିସରକୁ ଆସିଛି । ଆୟକର ରିଟର୍ଣ୍ଣର ସବିଶେଷ ତଥ୍ୟ ଅନୁସନ୍ଧାନ କରାଯାଉଛି । ସେୟାର, ମୁ୍ୟଚୁଆଲ୍ ଫଣ୍ଡ ଏବଂ ଅନ୍ୟାନ୍ୟ ବଜାର ଉପକରଣରେ ବିନିଯୋଗ ମଧ୍ୟ ଅନୁସନ୍ଧାନ କରାଯାଉଛି । ଆହୁରି ମଧ୍ୟ ବେନାମୀ କାରବାର ଦିଗଗୁଡିକରେ ମଧ୍ୟ ଦୃଷ୍ଟି ଦିଆଯାଉଛି ବୋଲି ଭିଜିଲାନ୍ସ କହିଛି । ଅନୁସନ୍ଧାନର ବିସ୍ତାର ପରିସରକୁ ଦୃଷ୍ଟିରେ ରଖି ସମସ୍ତ ଦିଗକୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ୨୦ ଜଣିଆ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ବ୍ୟାଙ୍କ୍ ପକ୍ଷରୁ ଆକାଶଙ୍କୁ ଅନେକ ସହଯୋଗ ମିଳିଛି । ସଂପୃକ୍ତ ବ୍ୟାଙ୍କ୍ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons