ଜୈସ କମାଣ୍ଡର ମୁନ୍ନା ଲାହୋରୀ ନିହତ

Get real time updates directly on you device, subscribe now.

ଶ୍ରୀନଗର: ଜମ୍ମୁ-କାଶ୍ମୀରର ସୋପିଆନ ଜିଲ୍ଲାରେ ଆଜି ହୋଇଥିବା ଏକ ଏନକାଉଣ୍ଟରରେ ଜୈସ-ଇ-ମହମ୍ମଦର ଜଣେ ପ୍ରମୁଖ କମାଣ୍ଡର ତଥା ଆଇଇଡି ବିଶେଷଜ୍ଞ ମୁନ୍ନା ଲାହୋରୀ ସମେତ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଅନ୍ୟ ଜଣକର ପରିଚୟ ଜୀନତ ଉଲ ଇସଲାମ ବୋଲି ଜଣାପଡିଛି । ସେ କାଶ୍ମୀରର ବାସିନ୍ଦା ଅଟେ ଏବଂ ଲାହୋରୀର ସହାୟକ ଭାବେ ନିୟୋଜିତ ଥିଲା ।
ଭାରତୀୟ ସୁରକ୍ଷା ଏଜେନ୍ସି ଦେଇଥିବା ସୂଚନା ଅନୁଯାୟୀ, ମୁନ୍ନା ଲାହୋରୀ ଓରଫ ଛୋଟା ବୁରମି ହେଉଛି ପାକିସ୍ତାନର ଲାହୋର ସହରର ବାସିନ୍ଦା । ତା’ର ବୟସ ୧୯ ବର୍ଷ । ସେ ଗତ ବର୍ଷ କାଶ୍ମୀରରେ ଅନୁପ୍ରବେଶ କରିଥିଲା । ସେ ଆଇଇଡି ପ୍ରସ୍ତୁତ କରିବାରେ ସିଦ୍ଧହସ୍ତ ଥିଲା । କିଛି ସପ୍ତାହ ତଳେ ବନିହାଲରେ ସିଆରପିଏଫର ଏକ ଗାଡ଼ିକୁ କାର୍ ବିସ୍ଫୋରଣ କରି ଉଡାଇବାର ଯୋଜନା ଏବଂ ଜୁନ୍ ୧୭ରେ ସେନାର ଏକ ଗାଡ଼ି ଉପରେ ଆଇଇଡି ଆକ୍ରମଣ ଘଟଣାରେ ସେ ସଂପୃକ୍ତ ଥିଲା । ଏହି ଦୁଇଟିଯାକ ଘଟଣାରେ ବ୍ୟବହୃତ ଆଇଇଡି ସେ ହିଁ ପ୍ରସ୍ତୁତ କରିଥିଲା । ତା’ଛଡା ରାଜ୍ୟରୁ ଯୁବକମାନଙ୍କୁ ଜୈସରେ ସାମିଲ କରିବା ଦାୟିତ୍ୱ ବି ତା’ ଉପରେ ନ୍ୟସ୍ତ କରାଯାଇଥିଲା । ସେ ଦକ୍ଷିଣ କାଶ୍ମୀରରେ ଘଟିଥିବା ଅନେକ ବିସ୍ଫୋରରେ ସଂପୃକ୍ତ ଥିଲା । ସେ ମଧ୍ୟ ଏହି ଅଞ୍ଚଳରେ ଅନେକ ସାଧାରଣ ନାଗରିକଙ୍କୁ ହତ୍ୟା କରିଛି । ଏସବୁ କାରଣରୁ ଅନେକ ଦିନରୁ ଲହୋରୀ ଭାରତୀୟ ସେନାର ଟାର୍ଗେଟରେ ରହିଆସିଥିଲା । ଏଭଳି ଏକ କୁଖ୍ୟାତ ଆତଙ୍କବାଦୀକୁ ମାରିବା ସୁରକ୍ଷାକର୍ମୀଙ୍କ ପାଇଁ ଏକ ବଡ଼ ସଫଳତା ବୋଲି ମନେ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons