ଜୋକୋଭିକ୍, ହାଲେପ୍ଙ୍କ ବିଜୟ ଅଭିଯାନ

Get real time updates directly on you device, subscribe now.

ଲଣ୍ଡନ: ଆରମ୍ଭ ହୋଇଛି ବର୍ଷର ତୃତୀୟ ଗ୍ରାଣ୍ଡସ୍ଲାମ ୱିମ୍ବଲଡନ୍ ଓପନ୍ । ପ୍ରଥମ ଦିବସରେ ସିଡେଡ୍ ଖେଳାଳିମାନେ ଚମକ୍ରାର ପ୍ରଦର୍ଶନ ସହ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି । ପୁରୁଷ ସିଙ୍ଗଲ୍ସରେ ଡିଫେଣ୍ଡିଂ ଚାମ୍ପିଅନ୍ ନୋଭାକ୍ ଜୋକୋଭିକ୍, ଚତୁର୍ଥ ସିଡ୍ କେଭିନ୍ ଆଣ୍ଡରସନ୍, ୨୩ତମ ସିଡ୍ ରବର୍ଟୋ ବୌତିଷ୍ଟା ଅଗୁଟ୍, ୨୨ତମ ସିଡ୍ ଷ୍ଟାନସ୍ଲାସ୍ ୱାରିଙ୍କା ଓ ମହିଳା ସିଙ୍ଗଲ୍ସରେ ତୃତୀୟ ସିଡ୍ କାରୋଲିନା ପ୍ଲିସକୋଭା, ସପ୍ତମ ସିଡ୍ ସିମୋନା ହାଲେପ୍, ଅଷ୍ଟମ ସିଡ୍ ଏଲିନା ସ୍ୱିତୋଲିନା, ୧୭ ଥର ଚାମ୍ପିଅନ୍ ମାଡିସନ୍ କିଜ୍, ୨୪ତମ ସିଡ୍ ପେଟ୍ରା ମାର୍ଟିକ ପ୍ରମୁଖ ବିଜୟୀ ହୋଇ ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ।
ପୁରୁଷ ସିଙ୍ଗଲ୍ସ: ୧୫ ଥର ଗ୍ରାଣ୍ଡସ୍ଲାମ ବିଜେତା ନୋଭାକ୍ ଜୋକୋଭିକ୍ ସହଜ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି । ସେ ପୁରୁଷ ସିଙ୍ଗଲ୍ସର ପ୍ରଥମ ରାଉଣ୍ଡରେ ଜର୍ମାନୀର ଫିଲିପ୍ କୋଲଶ୍ଚାଇବରଙ୍କୁ ସିଧାସଳଖ ୬-୩, ୭-୫, ୬-୩ ସେଟ୍ରେ ପରାସ୍ତ କରିଥିଲା । ତାଙ୍କୁ ଏହି ମ୍ୟାଚ୍ ଜିତିବାକୁ ଦୁଇ ଘଣ୍ଟା ୩ ମିନିଟ୍ ଲାଗିଥିଲା । ଦକ୍ଷିଣ ଆଫ୍ରିକାର ଭେଟେରାନ୍ ଖେଳାଳି କେଭିନ୍ ଆଣ୍ଡରସନ୍ ୬-୩, ୬-୪, ୬-୨ ସେଟ୍ରେ ଫ୍ରାନ୍ସର ହ୍ୟୁଜେସ୍ ହର୍ବର୍ଟଙ୍କୁ ହରାଇଥିଲେ । ସେହିପରି ୩ ଥର ଗ୍ରାଣ୍ଡସ୍ଲାମ ବିଜେତା ସ୍ୱିଜରଲାଣ୍ଡର ଷ୍ଟାନସ୍ଲାସ ୱାରିଙ୍କା ୬-୩, ୬-୨, ୬-୨ ସେଟ୍ରେ ବେଲଜିୟମ୍ର ରୁବେନ୍ ବେମେଲ୍ମାନ୍ସଙ୍କୁ ଓ ସ୍ପେନ୍ ତାରକା ଅଗୁଟ୍ ୬-୩, ୬-୨, ୬-୩ ସେଟ୍ରେ ଜର୍ମାନୀର ପିଟର ଗୋଜୋୱଜିକ୍ଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପାଦ ଥାପିଛନ୍ତି ।
ମହିଳା ସିଙ୍ଗଲ୍ସ: ମହିଳା ସିଙ୍ଗଲ୍ସର ପ୍ରଥମ ରାଉଣ୍ଡରେ ଚେକ ଗଣରାଜ୍ୟ ଷ୍ଟାର କାରୋଲିନା ପ୍ଲିସକୋଭା ଚୀନର ଲିନ୍ ଝୁଙ୍କୁ ଭେଟିଥିଲେ । ଏକ ଘଣ୍ଟା ୨୨ ମିନିଟ୍ର ମ୍ୟାଚ୍ରେ ପ୍ଲିସକୋଭା ସିଧାସଳଖ ୬-୨, ୭-୬(୭-୪) ସେଟ୍ରେ ବିଜୟୀ ହୋଇଥିଲେ । ପୂର୍ବତନ ଫ୍ରେଞ୍ଚ ଓପନ୍ ଚାମ୍ପିଅନ୍ ସିମୋନା ହାଲେପ୍ ପ୍ରଥମ ରାଉଣ୍ଡରେ ସହଜ ବିଜୟ ହାସଲ କରିଥିଲେ । ସେ ସିଧାସଳଖ ୬-୪, ୭-୫ ସେଟ୍ରେ ବେଲାରୁଷ୍ର ଆଲେକ୍ସାଣ୍ଡ୍ରା ସାସ୍ନୋଭିକ୍ଙ୍କୁ ହରାଇଥିଲେ । ତାଙ୍କୁ ଏହି ମ୍ୟାଚ୍ ଜିତିବାକୁ ଏକ ଘଣ୍ଟା ୪୧ ମିନିଟ୍ ଲାଗିଥିଲା ।
ସେହିପରି ୟୁକ୍ରେନ୍ର ଏଲିନା ସ୍ୱିତୋଲିନା ସିଧାସଳଖ ୭-୫, ୬-୦ ସେଟ୍ରେ ଅଷ୍ଟ୍ରେଲିଆର ଡାରିଆ ଗାଭ୍ରିଲୋଭାଙ୍କୁ ପରାସ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆମେରିକାର ମାଡିସନ୍ କିଜ୍ ୬-୩, ୬-୨ ସେଟ୍ରେ ଥାଇଲାଣ୍ଡର ଲୁକ୍ସିକା କୁମ୍ଖୁମ୍ଙ୍କୁ, କ୍ରୋଏସିଆ ଷ୍ଟାର ମାର୍ଟିକ ୩-୬, ୬-୩, ୬-୪ ସେଟ୍ରେ ଆମେରିକାର ଜେନିଫର ବ୍ରାଡିଙ୍କୁ, ଇଷ୍ଟୋନିଆର ଆନେଟ୍ କୋଣ୍ଟାଭେଟ୍ ୬-୦, ୩-୬, ୬-୪ ସେଟ୍ରେ ଆମେରିକାର ଏସ୍ ରୋଜର୍ସଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ । ଅପରପକ୍ଷରେ ଦଶମ ସିଡ୍ ଆର‌୍ୟନା ସବାଲେଙ୍କା ପ୍ରଥମ ରାଉଣ୍ଡରେ ପରାଜୟର ସାମ୍ନା କରିଥିଲେ । ସେ ସ୍ଲୋଭାକିଆ ପ୍ରତିଦ୍ୱନ୍ଦ୍ୱୀ ମାଗ୍ଡାଲେନା ରୈବାରିକୋଭାଙ୍କ ଠାରୁ ୨-୬, ୪-୬ ସେଟ୍ରେ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons