
ସମ୍ୱଲପୁର, (ବି.ବି.ନୁ୍ୟଜ): ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅଫ୍ଲାଇନ୍ ପରୀକ୍ଷାକୁ ବିରୋଧ କରି ଦୀର୍ଘଦିନ ହେବ ଦାନାବାନ୍ଧି ଆସିଥିବା ଛାତ୍ର ଅଶାନ୍ତି ଆଜି ଉଗ୍ରରୂପ ଧାରଣ କରିଛି । ଛାତ୍ର କଂଗ୍ରେସର ଶତାଧିକ ସଦସ୍ୟ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପହଞ୍ଚି ଏଭଳି ପରୀକ୍ଷା ବ୍ୟବସ୍ଥାକୁ ବିରୋଧ କରି ଆନେ୍ଦାଳନ ଆରମ୍ଭ କରିଥିଲେ । କର୍ତ୍ତୃପକ୍ଷ ଏସମ୍ପର୍କରେ ଆନେ୍ଦାଳନରତ ଛାତ୍ରଙ୍କ ସହ ଆଲୋଚନା କରିବା ସମୟରେ ହଠାତ୍ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଉତ୍ତେଜିତ ଛାତ୍ରମାନେ ବିଶ୍ୱବିଦ୍ୟାଳୟର ପ୍ରଶାସନିକ କୋଠାରେ ଧସେଇ ପଶିବା ସହ ଭଙ୍ଗାରୁଜା ଆରମ୍ଭ କରିଥିଲେ । ପୁଲିସ୍ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲା । ଶେଷରେ ପୁଲିସ୍ ଲାଠି ମାଡ଼ କରି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା । ଲାଠିଚାର୍ଜ ପରେ ଆନେ୍ଦାଳନରତ ଛାତ୍ରମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ଏହି ଘଟଣାରେ ୫ରୁ ଅଧିକ ଛାତ୍ର ଆହତ ମଧ୍ୟ ହୋଇଥିଲେ । ହିଂସା ପାଇଁ ଉସୁକାଇବା ଅଭିଯୋଗରେ ପୁଲିସ୍ ଏମାନଙ୍କ ମଧ୍ୟରୁ ୪ ଜଣ ଛାତ୍ରଙ୍କୁ ଗିରଫ କରି ପଚରାଉଚରା ମଧ୍ୟ ଜାରି ରଖିଛି । ଫଳରେ ଦୀର୍ଘ ୧ ଘଣ୍ଟା ଧରି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ରଣକ୍ଷେତ୍ର ପାଲଟିଯାଇଥିଲା ।
ଘଟଣା ସମ୍ପର୍କରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ ଗଣାଧ୍ୟମକୁ ବିବୃତି ଦେଇ ଏଭଳି ହିଂସାକୁ ଦୃଢ଼ ନିନ୍ଦା କରିଛନ୍ତି । ଏହା ଅକ୍ଷମଣୀୟ ଅପରାଧ ବୋଲି ସେ କହିଛନ୍ତି । କେବଳ ଏତିକି ନୁହେଁ ବରଂ ଆନେ୍ଦାଳନକାରୀମାନେ ପ୍ରକୃତରେ ଛାତ୍ର ଥିଲେ ନା ନାହିଁ ତାହା ମଧ୍ୟ ଅସ୍ପଷ୍ଟ ବୋଲି କହିଛନ୍ତି । ବିଶ୍ୱବିଦ୍ୟାଳୟର ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଚାଲିଥିବା ବେଳେ ଆକୁ ଗିରଫଦାରି ସଂଖ୍ୟା ବଢ଼ିପାରେ ବୋଲି ଏସ୍ଡିପିଓ ସତ୍ୟବ୍ରତ ଦାଶ ସୂଚନା ଦେଇଛନ୍ତି ।
ଛତିଶଗଡ଼ ସୀମାନ୍ତରେ ଥିବା ବରଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ଏବେ ଅଫଲାଇ୍ନରେ ପରୀକ୍ଷା ହେଲେ ଛାତ୍ରଛାତ୍ରୀ ମଧ୍ୟ ସଂକ୍ରମିତ ହେବାର ଆଶଙ୍କା ରହିଛି । ତେଣୁ ପରୀକ୍ଷାକୁ ଅଫ୍ଲାଇନ୍ ମୋଡ୍ରେ ନକରି ବ୍ଲେଣ୍ଡେଡ୍ ମୋଡ୍ରେ କରିବାକୁ ଦାବି କରି ନ୍ୟାସ୍ନାଲ ଷ୍ଟୁଡେଣ୍ଟ ୟୁନିଅନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଶତାଧିକ ଛାତ୍ରଛାତ୍ରୀ ମଙ୍ଗଳବାର ଦିନ ପ୍ରାୟ ୧୨ଟା ବେଳେ କ୍ୟାମ୍ପସ୍ରେ ପହଞ୍ଚିଥିଲେ । ତେବେ କ୍ୟାମ୍ପସ୍ ପରିସରରେ ନାରାବାଜି ଚାଲିଥିବା ବେଳେ ହଠାତ୍ କିଛି ଯୁବକ ବିଶ୍ୱବିଦ୍ୟାଳୟର ପ୍ରଶାସନିକ କୋଠା ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରିଥିଲେ । ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ କୋଠାଆଡ଼କୁ ଆସୁଥିବା ଦେଖି ସୁରକ୍ଷା କର୍ମୀ ମୁଖ୍ୟ ଫାଟକ ବନ୍ଦ କରିଦେଇଥିଲେ । ଏହା ପରେ ଆନେ୍ଦାଳନକାରୀ ଝରକା କାଚକୁ ଢେ଼ଲା ମାରି ଭାଙ୍ଗିବା ଆରମ୍ଭ କରିଥିଲେ । ଏହି ଘଟଣା ପରେ ଛାତ୍ରମାନେ ବଳପୂର୍ବକ ମୁଖ୍ୟ ଫାଟକ ଭାଙ୍ଗି ଭିତରକୁ ପଶିବା ସହ ଭଙ୍ଗାରୁଜା ଆରମ୍ଭ କରିଥିଲେ । ଏହି ଘଟଣାରେ ପ୍ରଶାସନିକ କୋଠାରେ ରହିଥିବା ଚଉକି, ଟେବୁଲରୁ ନେଇ ଲକ୍ଷାଧିକ ଟଙ୍କାର ଆସବାବପତ୍ର କ୍ଷଣିକ ଭିତରେ ଚୂରମାର ହୋଇଯାଇଥିଲା । ସୂଚନା ପାଇ ବୁର୍ଲା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା । ମାତ୍ର ସେମାନେ ଏହାକୁ ଖାତିର କରିନଥିଲେ । ଫଳରେ ପୁଲିସ୍ ବାଧ୍ୟହୋଇ ଲାଠିଚାର୍ଜ କରିଥିଲା । ଲାଠିମାଡ଼ ପରେ ଛାତ୍ରଛାତ୍ରୀ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିବା ବେଳେ ଏହି ହିଂସାର ନେତୃତ୍ୱ ନେଉଥିବା କିଛି ଛାତ୍ରଙ୍କୁ ପୁଲିସ୍ କାବୁ କରିନେଇଥିଲା । ସେପଟେ, ଏହି ଛାତ୍ରଙ୍କୁ ନେଇ ଆସିଥିବା ଏକ ବସ୍ (ଓଆର୍ ୧୫ ଏମ୍ ୨୬୪୨)କୁ ପୁଲିସ୍ ଜବତ କରିଛି । ବିଶ୍ୱବିଦ୍ୟାଳୟ କୁଳସଚିବଙ୍କ ଲିଖିତ ଅଭିଯୋଗ କ୍ରମେ ବୁର୍ଲା ପୁଲିସ୍ ଏସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
Comments are closed, but trackbacks and pingbacks are open.