
ବାଲେଶ୍ୱର,(ବି.ବି.ନୁ୍ୟଜ): ଜନୈକ ଯୁବକଙ୍କୁ ଦ୍ୱିତୀୟ ବିବାହ ମହଙ୍ଗା ପଡ଼ିଛି । ଦୁଇ ସଉତୁଣୀ ମଧ୍ୟରେ ବିବାଦ ନଥଲେ ବି ଦୁଇ ଶ୍ୱଶୁର ଓ ଶଳାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ସଂପୃକ୍ତ ଯୁବକ । ଦୁଇ ଶ୍ୱଶୁର ଘରୁ ବାରମ୍ବାର ହତ୍ୟା ଧମକ ପାଇବା ପରେ ଭୟରେ ଘର ଛାଡ଼ି ଯୁବକ ଜଣକ ୨ ପତ୍ନୀ ଓ ପିଲାଙ୍କ ସହ ଥାନାଠାରୁ ମାତ୍ର ଶହେ ମିଟର ଦୂର ଭଡ଼ାଘରେ ରହିଲେ । ହେଲେ ଦୁଇ ଶ୍ୱଶୁର ଓ ଶଳା ମିଶି ଜ୍ୱାଇଁଙ୍କୁ ମରଣାନ୍ତକ ଆକ୍ରମଣ କରି ଦ୍ୱିତୀୟ ପତ୍ନୀଙ୍କୁ ଉଠାଇ ନେଲେ । କେବଳ ସେତିକି ନୁହେଁ, ବ୍ଲେଡରେ ଜ୍ୱାଇଁଙ୍କ ଯୌନାଙ୍ଗକୁ କାଟି କ୍ଷତାକ୍ତ କରିଦେଲେ । ଏପରି ନୃଶଂସ କାଣ୍ଡ ଶୁକ୍ରବାର ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅଞ୍ଚଳରେ ଘଟିଛି ।
ଅଭିଯୋଗ ଅନୁସାରେ, ଭୋଗରାଇ ଥାନା କାଳାହି ଗ୍ରାମର ଲକ୍ଷ୍ମୀକାନ୍ତ ସେଠୀଙ୍କ ପୁଅ ରାଜେଶ (୩୨) ୧୧ ବର୍ଷ ତଳେ ସ୍ଥାନୀୟ ଶୁଖଷଣ୍ଡା ଗ୍ରାମର ମଧୁସୂଦନ ଖାଟୁଆଙ୍କ ଝିଅ ସବିତାଙ୍କୁ ବିବାହ କରିଥିଲେ । ଉଭୟଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି । ପରେ ସଂପୃକ୍ତ ଥାନା ଅନ୍ତର୍ଗତ ଗୀତଖଳା ଗ୍ରାମର ସମ୍ପର୍କୀୟ ଗୌରାଙ୍ଗ ଧଳଙ୍କ ଝିଅ ପ୍ରତିମାକୁ ପ୍ରେମ ବିବାହ କରିଥିଲେ ରାଜେଶ । ଦୁଇ ପତ୍ନୀଙ୍କୁ ନେଇ ରାଜେଶ ସୁଖରେ ରହୁଥିଲେ । ହେଲେ ଦୁଇ ଶ୍ୱଶୁର ମଧୁସୂଦନ ଓ ଗୌରାଙ୍ଗ ସମେତ ପ୍ରଥମ ପତ୍ନୀଙ୍କ ଭାଇ ତ୍ରିଲୋଚନ ତାଙ୍କୁ ଜୀବନରୁ ମାରି ଦେବା ନେଇ ବାରମ୍ବାର ଧମକ ଦେଇ ଆସୁଥିଲେ । ଏଥିରେ ଭୟଭୀତ ହୋଇ ପତ୍ନୀ, ଛୁଆଙ୍କୁ ନେଇ କିଛି ଦୂରରେ ଘର ଭଡ଼ା ନେଇ ରାଜେଶ ରହୁଥିଲେ । ମାତ୍ର ଶୁକ୍ରବାର ସକାଳ ପ୍ରାୟ ୭ଟା ବେଳେ ରାଜେଶଙ୍କ ୨ ଶ୍ୱଶୁର ଓ ଶଳା ଭୂଜାଲି, ଛୁରି ଓ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ସେଠାରେ ପହଞ୍ଚିଥିଲେ । ରାଜେଶ କିଛି ବୁଝିବା ପୂର୍ବରୁ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଗୌରାଙ୍ଗର ଭୂଜାଲି ଚୋଟରେ ରାଜେଶଙ୍କ ମୁଣ୍ଡ, ବାମ ହାତ, ବାମ କାନ ଓ ବେକରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ମଧୁସୂଦନ ଓ ତ୍ରିଲୋଚନ ବିଧା ଗୋଇଁଠା ମାରିବା ସହ ଏକ ଧାରୁଆ ବ୍ଲେଡରେ ରାଜେଶଙ୍କ ଯୌନାଙ୍ଗ କାଟି ଦେଇଥିଲେ । ଏହାସହିତ ପ୍ରଥମ ପତ୍ନୀ ସବିତାଙ୍କୁ ପିଟାମରା କରିବା ସହ ପୁଅକୁ ମଧ୍ୟ ଲୁହାରଡରେ ବାଡେ଼ଇଥିଲେ । ପରେ ଆକ୍ରମଣ କାରୀମାନେ ରାଜେଶଙ୍କ ଦ୍ୱିତୀୟ ପତ୍ନୀ ପ୍ରତିମାଙ୍କୁ ଜୋରଜବରଦସ୍ତ ଉଠାଇ ନେଇ ପଳାଇ ଯାଇଥିଲେ । ପୁଣି ପ୍ରତିମା ସହିତ ସମ୍ପର୍କ ରଖିବାକୁ ଚେଷ୍ଟା କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ରାଜେଶଙ୍କୁ ଉଦ୍ଧାର କରି ଜଳେଶ୍ୱରପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏନେଇ ରାଜେଶଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ଭୋଗରାଇ ଥାନା କେସ ନଂ. ୮୯/୨୧ରେ ପୁଲିସ ଏକ ମାମଲା ରୁଜୁ ହୋଇଛି । ଏପରି ଏକ ଘଟଣା ଭୋଗରାଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।


Comments are closed, but trackbacks and pingbacks are open.