ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ନିଲମ୍ବନ ଆଦେଶ ଉଠିଲା

Get real time updates directly on you device, subscribe now.

କଟକ,(ବି.ବି.ନ୍ୟୁଜ୍): ନିଃସର୍ତ୍ତ କ୍ଷମା ପ୍ରାର୍ଥନା ପରେ ନିଲମ୍ବନ ଦଣ୍ଡାଦେଶରୁ ମୁକୁଳିଛନ୍ତି ଝାରସୁଗୁଡ଼ାର ନିଲମ୍ବିତ ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ । ଅଦାଲତଙ୍କ ଆଦେଶ ଉଲ୍ଳଂଘନ କରି ନିଲମ୍ବିତ ହୋଇଥିବା ଜିଲ୍ଲାପାଳ ଶ୍ରୀ ପ୍ରଧାନଙ୍କ ଉପରୁ ହାଇକୋର୍ଟ ଆଜି ନିଲମ୍ବନ ଆଦେଶ ଉଠାଇ ଦେଇଛନ୍ତି । ପୂର୍ବ ନିର୍ଦ୍ଦେଶରେ ସଂଶୋଧନ କରି ଅଦାଲତ ନିଲମ୍ବନ ହଟାଇ ଦେଇଥିଲେ ମଧ୍ୟ ଶ୍ରୀ ପ୍ରଧାନ ଝାରସୁଗୁଡ଼ା ଜିଲ୍ଲାପାଳ ପଦରେ ଆଉ ଅବସ୍ଥାପିତ ହୋଇପାରିବେ ନାହିଁ ବୋଲି ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଦେଇଛନ୍ତି । ମାମଲାର ଶୁଣାଣି କରି ଆଜି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍. ଜାଭେରୀ ଏବଂ ବିଚାରପତି ଜଷ୍ଟିସ୍ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଅଦାଲତଙ୍କ ରହିତାଦେଶ ସତ୍ତେ୍ୱ ଏକ ମଦ ଦୋକାନ ଲାଇସେନ୍ସ ବାତିଲ୍ କରିବାରୁ ଓଡିଶା ହାଇକୋର୍ଟ ଗତ ୧୩ ତାରିଖରେ ଝାରସୁଗୁଡ଼ା ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନଙ୍କୁ ନିଲମ୍ବନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାର ପରଦିନ ଅର୍ଥାତ ୧୪ତାରିଖରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇଥିଲା ।
ଏଥିରେ ଉଲ୍ଲେଖ କରାଯାଇଥିଲା ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ନିଲମ୍ବିତ କରାଯାଇଛି । ଏଥିସହ ଅବକାରୀ ବିଭାଗ ପକ୍ଷରୁ ଆଉ ଏକ ସତ୍ୟପାଠ ହାଇକୋର୍ଟରେ ଦାଖଲ କରାଯାଇ ଦର୍ଶାଯାଇଥିଲା ଯେ, ଆବେଦନକାରିଣୀଙ୍କ ମଦ ଦୋକାନ ଲାଇସେନ୍ସ ବାତିଲ୍ ମାମଲାରେ ହାଇକୋର୍ଟଙ୍କ ଆଦେଶର ଉଲ୍ଲଂଘନ କରାଯାଇ ଯେଉଁସବୁ ପଦକ୍ଷେପ ନିଆଯାଇଛି ସେସବୁକୁ ଇତିମଧ୍ୟରେ ପ୍ରତ୍ୟାହୃତ କରାଯାଇଛି । ଅର୍ଥାତ ଆବେଦନକାରିଣୀଙ୍କ ମଦ ଦୋକାନର ଲାଇସେନ୍ସ ବାତିଲ୍ ଆଦେଶ ଉଠାଇ ଦିଆଯାଇଛି ଓ ତାଙ୍କ ସ୍ଥାନରେ ଅନ୍ୟ ଯେଉଁ ଦୋକାନକୁ ଲାଇସେନ୍ସ ଦିଆଯାଇଛି ତାହାକୁ ରଦ୍ଦ କରି ଦିଆଯାଇଛି । ଏହି ଦୁଇଟି ସତ୍ୟପାଠ ଦାଖଲ ପରେ ଆଜି ଓଡ଼ିଶା ହାଇକୋର୍ଟରେ ଝାରସୁଗୁଡ଼ାର ପୂର୍ବତନ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ବ୍ୟକ୍ତିଗତ ଭାବେ ହାଜର ହୋଇ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିଥିଲେ । ଏସବୁକୁ ବିଚାରକୁ ନେଇ ଓଡ଼ିଶା ହାଇକୋର୍ଟ ଆଜି ତାଙ୍କ ପୂର୍ବ ଆଦେଶରେ ପରିବର୍ତ୍ତନ କରି ଜିଲ୍ଲାପାଳଙ୍କ ଉପରୁ ନିଲମ୍ବନ ଆଦେଶକୁ ଉଠାଇ ଦେଇଛନ୍ତି ।
ମାମଲାରୁ ଜଣାଯାଇଛି, ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ଆବେଦନକାରିଣୀ କେ.ବୀଣା ପ;ନାୟକଙ୍କ ନାମରେ ଏକ ମଦ ଦୋକାନ ଥିଲା । କିନ୍ତୁ ଏହି ମଦ ଦୋକାନ ଉପରେ ସରକାରୀ ଟିକସ ବଢ଼ିବାରୁ ପ୍ରଶାସନ ପକ୍ଷରୁ ତାଙ୍କୁ ନୋଟିସ୍ କରାଯାଇଥିଲା । ଏହାକୁ ଚାଲେଞ୍ଜ କରି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଓଡ଼ିଶା ହାଇକୋର୍ଟ ମାମଲାର ଶୁଣାଣି କରି ଏକ ଅନ୍ତରୀଣ ନିର୍ଦ୍ଦେଶନାମାରେ ଆବେଦନକାରିଣୀଙ୍କ ମଦ ଦୋକାନ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଆଦେଶ ଦେଇଥିଲେ । କିନ୍ତୁ ହାଇକୋର୍ଟଙ୍କ ଆଦେଶ ସତ୍ତେ୍ୱ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ ପ୍ରଧାନ ଆବେଦନକାରିଣୀ କେ.ବୀଣା ପ;ନାୟକଙ୍କ ମଦ ଦୋକାନର ଲାଇସେନ୍ସ ବାତିଲ୍ କରିବା ସହ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମଦ ଦୋକାନ ପାଇଁ ଲାଇସେନ୍ସ ପ୍ରଦାନ କରିଥିଲେ । ଏ ସଂକ୍ରାନ୍ତରେ ଆବେଦନକାରିଣୀଙ୍କ ପକ୍ଷରୁ ଅଦାଲତଙ୍କୁ ଅବଗତ କରାଯାଇଥିଲା । ଫଳରେ ହାଇକୋର୍ଟ କ୍ଷୁବ୍ଧ ହେବା ସହ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଅଦାଲତଙ୍କ ଆଦେଶ ଉଲ୍ଲଂଘନ କରିଥିବା ଅଭିଯୋଗରେ ନିଲମ୍ବନ କରିବା ପାଇଁ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons